କଷ୍ଟସାଧ୍ୟ ଗ୍ରୁପ୍‌ରେ ଭାରତ; ତଥାପି ସ୍ବର୍ଣ୍ଣ ଆଶା

ପୁରୁଷରେ ସିଙ୍ଗାପୁର, ସ୍କଟଲାଣ୍ଡ୍‌, ମହିଳାରେ ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ପ୍ରତିଦ୍ବନ୍ଦ୍ବୀ

କଟକ: ବୁଧବାର ଆରମ୍ଭ ହେଉଥିବା ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ପ୍ରତିଯୋଗିତାରେ ଭାରତକୁ କଷ୍ଟସାଧ୍ୟ ଗ୍ରୁପ୍‌ରେ ସ୍ଥାନ ମିଳିଛି। ପୁରୁଷ ବିଭାଗରେ ଭାରତ ଗ୍ରୁପ୍‌ ବି’ରେ ସିଙ୍ଗାପୁର ଓ ସ୍କଟଲାଣ୍ଡ୍‌ ସହିତ ସ୍ଥାନ ପାଇଛି। ସେହିପରି ମହିଳା ବିଭାଗରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ବିପକ୍ଷରେ ଭାରତ ଗ୍ରୁପ୍‌ ବି’ରେ ପ୍ରତିଦ୍ବନ୍ଦ୍ବିତା କରିବ। ପୁରୁଷ ବିଭାଗ ଗ୍ରୁପ୍‌ ଏ’ରେ ଇ˚ଲଣ୍ଡ, ଶ୍ରୀଲଙ୍କା, ସାଇପ୍ରସ, ଗ୍ରୁପ୍‌ ସି’ରେ ନାଇଜେରିଆ, ମାଲେସିଆ, ବା˚ଲାଦେଶ, ଗ୍ରୁପ୍‌ ଡି’ରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ୱେଲ୍ସ ରହିଛନ୍ତି। ମହିଳା ବିଭାଗର ଗ୍ରୁପ୍‌ ଏ’ରେ ସିଙ୍ଗାପୁର, ୱେଲ୍ସ, ସ୍କଟଲାଣ୍ଡ୍‌, ଗ୍ରୁପ୍‌ ସି’ରେ ଅଷ୍ଟ୍ରେଲିଆ, ମାଲେସିଆ, ସାଇପ୍ରସ, ଗ୍ରୁପ୍‌ ଡି’ରେ ନାଇଜେରିଆ, ଇ˚ଲଣ୍ଡ, ବା˚ଲାଦେଶ ପ୍ରାରମ୍ଭିକ ରାଉଣ୍ଡରେ ଖେଳିବେ। ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ଦ୍ବିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବେ।
ପ୍ରତିଯୋଗିତାର ଡ୍ର’କୁ ନଜରରେ ରଖି ଭାରତ ସ୍ବର୍ଣ୍ଣ ପଦକ ନିଶ୍ଚିତ ପାଇବ ବୋଲି ଦୃ‌ଢ଼ୋକ୍ତି ପ୍ରକାଶ କରିଛନ୍ତି ୯ ଥର ଜାତୀୟ ବିଜେତା ତଥା ଅଲିମ୍ପିଆନ୍‌ ଶରତ କମଲ। ଇ˚ଲଣ୍ଡ ଏଥର ସବୁଠୁ ଦୁର୍ବଳ ଦଳ ପଠାଇଥିବା ବେଳେ ନାଇଜେରିଆ, ସିଙ୍ଗାପୁର, ଭାରତ ଆଗରେ ସମସ୍ୟା ହେବେ ନାହିଁ। ତଥାପି ଏହି ଦଳଗୁଡିକ ପୂର୍ବାପେକ୍ଷା ଦୁର୍ବଳ ହୋଇଥିଲେ ବି ଭାରତ କଷ୍ଟସାଧ୍ୟ ଗ୍ରୁପ୍‌ରେ ରହିଥିବା ସେ ସ୍ବୀକାର କରିଛନ୍ତି। ତେଣୁ ଗ୍ରୁପ୍‌ ପର୍ଯ୍ୟାୟରୁ ମ୍ୟାଚ୍‌ ଜିତିବା ପ୍ରଥମ ଲକ୍ଷ୍ୟ ରହିବ। ପରବର୍ତ୍ତୀ ପର୍ଯ୍ୟାୟରେ ଦଳଗତ ଓ ବ୍ୟକ୍ତିଗତ ଇଭେଣ୍ଟରେ ଆମେ ଶ୍ରେଷ୍ଠ ପ୍ରଦର୍ଶନ କରିବୁ ବୋଲି ଶରତ ଆଶା ପ୍ରକାଶ କରିଛନ୍ତି। ତାଙ୍କ ମତରେ, ବର୍ତ୍ତମାନ ପରିସ୍ଥିତିରେ ଜି ସାଥିଆଁ ଯେଉଁଭଳି ଭାବେ ପ୍ରଦର୍ଶନ ଦେଇ ଆସୁଛନ୍ତି, ଯେତେ କଷ୍ଟସାଧ୍ୟ ଦଳ ହେଲେ ବି ତାକୁ ପ୍ରତିହତ କରିବାରେ ସେ ସକ୍ଷମ। ବର୍ତ୍ତମାନ ସେ ତାଙ୍କ ଜୀବନର ଶ୍ରେଷ୍ଠ ଫର୍ମ ଦେଇ ଗତି କରୁଛନ୍ତି। ଅନ୍ୟପକ୍ଷରେ ଇ˚ଲଣ୍ଡ ଓ ନାଇଜେରିଆର ଦୁଇ ପ୍ରମୁଖ ଖେଳାଳି ଏଠାକୁ ଆସୁନଥିବାରୁ ଏହା ଭାରତ ପାଇଁ ସୁଯୋଗ ସୃଷ୍ଟି କରିଛି। ଯାହା ଆମକୁ ପଦକ ନିକଟତର ହେବାରେ ସହଜ ହେବ ବୋଲି ଶରତ କହିଛନ୍ତି।
ଏହାବ୍ୟତୀତ ମହିଳା ଦଳ ବିନା କୌଣସି ବାଧାରେ ପ୍ରଥମ ପର୍ଯ୍ୟାୟ ଅତିକ୍ରମ କରିଯିବା ସମ୍ଭାବନା ରହିଛି। ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ସହଜସାଧ୍ୟ ଦଳ ହୋଇଥିଲା ବେଳେ ସିଙ୍ଗାପୁର ସହିତ କଡ଼ା ଟକ୍କର ହେବା ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ସବୁକିଛି ଭାର ମନିକା ବାତ୍ରାଙ୍କ ଉପରେ ରହିବ। ମଧୁରିକା ପାଟକର ଅନ୍ୟତମ ଅଭିଜ୍ଞ ଖେଳାଳି ଦଳରେ ଥିବା ବେଳେ ଜାତୀୟ ବିଜେତା ଅର୍ଚ୍ଚନା କାମଥ, ମନିକାଙ୍କୁ ସହଯୋଗ କରିପାରିବେ।

ସମ୍ବନ୍ଧିତ ଖବର