ଭରତପୁର ଖଣିରେ ଭୟଙ୍କର ଦୁର୍ଘଟଣା : ମାଟି ଅତଡ଼ା ଭୁଶୁଡ଼ି ଜଣେ ମୃତ, ୩ ନିଖୋଜ, ୯ ଶ୍ରମିକ ଗୁରୁତର

ତାଳଚେର : ଏମ୍‌ସିଏଲର ତାଳଚେର ସ୍ଥିତ ଭରତପୁର କୋଇଲା ଖଣିରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପ୍ରାୟ ଶହେ ଫୁଟ୍ ଉଚ୍ଚର ଏକ ମାଟି ଓ କୋଇଲା ଗଦା ହଠାତ୍‌ ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଅନ୍ୟୂନ ଚାରିଜଣ ଶ୍ରମିକ ଚାପି ହୋଇ ରହିଥିବା ଜଣାପଡ଼ିଛି। ଏଥିସହ ମାଟି ଗଦା ତଳେ ଏକାଧିକ ଭାରୀଯାନ, ଯନ୍ତ୍ରପାତି ସମେତ କାର୍ଯ୍ୟରତ ଆଉ କେତେକ ଠିକା ଶ୍ରମିକ ମଧ୍ୟ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ଆଜି ସଂଧ୍ୟା ସୁଦ୍ଧା ଜଣେ ମାତ୍ର ଗାଡ଼ି ଚାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ୩ ଜଣ ନିଖୋଜ ଶ୍ରମିକଙ୍କୁ ଉଦ୍ଧାର ଲାଗି ତନାଘନା ଉଦ୍ୟମ ଜାରି ରହିଛି। ଏହି ଦୁର୍ଘଟଣାରେ ୯ଜଣ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ସ୍ଥାନୀୟ କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଦୁର୍ଘଟଣାକୁ କେନ୍ଦ୍ର କରି ଖଣି ଅଞ୍ଚଳର ଶ୍ରମିକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଶ୍ରମିକମା‌େନ ଖଣି କାର୍ଯ୍ୟାଳୟରେ ତାଲା ପକାଇବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ତାଳଚେର ବିଧାୟକ, ଅନୁଗୁଳ ଜିଲ୍ଲାପାଳ, ଏସ୍‌ପି, ଏମ୍‌ସିଏଲର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

ସୂଚନା ଅନୁଯାୟୀ, ଭରତପୁର କୋଇଲା ଖଣି ଭିତରେ ନର୍ଥ କ୍ୱାରି ପଦ୍ମାବତୀପୁର ବେଞ୍ଚ ଅଞ୍ଚଳରୁ କୋଇଲା ଉତ୍ପାଦନ ଓ ପରିବହନ ପାଇଁ ଘରୋଇ କମ୍ପାନି ‘ସିକଲ’କୁ କାର୍ଯ୍ୟା‌େ‌ଦଶ ଦିଆଯାଇଛି। ଗତକାଲି ରାତି ସିଫ୍ଟରେ ସରଫେସ୍‌ ମାଇନର ମେସିନ ଦ୍ବାରା କୋଇଲା ଖୋଳା ଚାଲିଥିଲା। ରାତି ପ୍ରାୟ ସାଢ଼େ ୧୦ଟାବେ‌େଳ ହଠାତ୍ ପ୍ରଚଣ୍ଡ ଶବ୍ଦକରି କୋଇଲା ଉତ୍ପାଦନସ୍ଥଳୀଠାରୁ କିଛି ଦୂରରେ ଥିବା ଡମ୍ପିଂୟାର୍ଡରୁ ମାଟି ଅତଡ଼ା ଖସିବା ଆରମ୍ଭ କରିଥିଲା। କିଛି ସେକେଣ୍ଡ ଭିତରେ ମାଟି ସହିତ କୋଇଲା ମିଶି ଉତ୍ପାଦନସ୍ଥଳୀକୁ ସଂପୂର୍ଣ୍ଣ ପୋତି ଦେଇଥିଲା। ଉତ୍ପାଦନସ୍ଥଳୀରେ କାର୍ଯ୍ୟରତ ୯ ଜଣ ଶ୍ରମିକ ଓ କର୍ମଚାରୀ ଦୌଡ଼ି ପଳାଇ ଆସି ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ। ତେବେ ମେସିନରେ କାମ କରୁଥିବା ୫ ଜଣ କର୍ମଚାରୀଙ୍କ ସମେତ ଗୋଟିଏ ସରଫେସ ମାଇନର ମେସିନ, ୫ ହାଇଵା ଟ୍ରକ୍‌ ଓ ୪ ଲୋଡର ମେସିନ ମଧ୍ୟ ମାଟି ଅତଡ଼ା ଭିତରେ ପୋତି ହୋଇ ଯାଇଥିଲା।

ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ଭରତପୁର ଖଣି ପ୍ରକଳ୍ପ ଅଧିକାରୀ ଏ. କେ. ଧଳ, ପରିଚାଳକ ଭି. କେ. ସିଂହ, କ୍ଷେତ୍ର ପ୍ରବନ୍ଧକ ମୁରାରି ମିଶ୍ରଙ୍କ ସମେତ ବରିଷ୍ଠ କର୍ମଚାରୀମାନେ ପହଞ୍ଚିଥିଲେ। ପୋତି ହୋଇ ରହିଥିବା ଶ୍ରମିକଙ୍କୁ ଉଦ୍ଧାର ଲାଗି ସକାଳକୁ ଅପେକ୍ଷା କରାଯାଇଥିଲା। ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନ୍‌ଡିଆରଏଫ ଟିମ୍‌ ମଗାଯାଇଥିଲା। ଅପରାହ୍ଣ ୪ଟାବେଳେ ଅତଡ଼ା ଭିତରୁ କୁକୁଡ଼ାଙ୍ଗ ଗାଁର ଗାଡ଼ି ଚାଳକ ପପୁନ ବିଶ୍ବାଳଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଅତଡ଼ା ଭିତରେ ସୁପରଭାଇଜର ଭାବେ କାମ କରୁଥିବା ଗୋବରା ଗାଁର ରଶ୍ମିରଂଜନ ବେହେରା, ସିକ୍ୟୁରିଟି ଗାର୍ଡ ଲକେଇପଶି ଗାଁର ରମେଶ ଦାସ, ପମ୍ପ ଅପରେଟର ଶିବରାମପୁର ଗାଁର ରାଜକିଶୋର ମହାପାତ୍ର ଫସି ରହିଥିବା ଆଶଙ୍କା କରାଯାଉଛି। ସେଠାରେ କାର୍ଯ୍ୟ କରୁଥିବା ଆଉ ପ୍ରାୟ ୧୦ ଜଣ ଠିକା ଶ୍ରମିକଙ୍କ ପତ୍ତା ମିଳିପାରୁ ନଥିବା ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି। ଅବଶ୍ୟ ଏମସିଏଲ୍‌ ପକ୍ଷରୁ ଏହାକୁ ଅଗ୍ରାହ୍ୟ କରାଯାଇଛି। ରିପୋର୍ଟ ଲେଖାହେବା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର