ବର୍ଷାରେ ମୁମ୍ବାଇ ଉବୁଟୁବୁ, ୪ ମୃତ

୩୦ ବିମାନ ବାତିଲ, ୧୧୮ ବିମାନ ପ୍ରଭାବିତ

ମୁମ୍ବାଇ: ଲଗାଣ ବର୍ଷା‌ରେ ଏବେ ମୁମ୍ବାଇ ସହର ଉବୁଟୁବୁ। ବର୍ଷାଜନିତ ବିଭିନ୍ନ କାରଣ ପାଇଁ ମୁମ୍ବାଇରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଜଣେ ବାଳଳ ମିଠି ନଦୀରେ ଗାଧୋଉଥିବାବେ‌ଳେ ବନ୍ୟାରେ ଭାସି ଯାଇଛି। ତାକୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୨୪୦ ମିମି ବର୍ଷା ହୋଇଛି। ଛତ୍ରପତି ଶିବାଜୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ୩୦ଟି ବିମାନ ବାତିଲ ହୋଇଥିବାବେଳେ ୧୧୮ଟି ବିମାନ ବିଳମ୍ବରେ ଚାଲୁଛି। ସେହିପରି ଅନେକ ଟ୍ରେନ୍‌କୁ ବାତିଲ କରିଦିଆଯାଇଛି। ପଲଘର ଏବଂ ଥା‌ନେରେ ଜଣେ ୭ ବର୍ଷର ବାଳକ ସମେତ ୨ ଜଣ ଡ୍ରେନ୍‌ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ୨ଜଣ ବିଏମ୍‌ସି କର୍ମୀ ମଧ୍ୟ ବନ୍ୟାଜନିତ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏନ୍‌ଡିଆରଏଫ୍‌ ଏବଂ ନୌସେନା ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ମୁମ୍ବାଇରେ ସ୍କୁଲ୍‌ ଓ କଲେଜ ବନ୍ଦ ରହିଛି। ମୁମ୍ବାଇ ଏବଂ ଏହାର ଆଖାପାଖ ଅଞ୍ଚଳରେ ଆଜି ବର୍ଷା କମିଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶାରେ କିଛି ବି ପରିବର୍ତ୍ତନ ହୋଇନାହିଁ।

ସମ୍ବନ୍ଧିତ ଖବର