ସବୁ ଆରଟିଓ ଅଫିସକୁ ଦଲାଲମୁକ୍ତ କରାଯିବ

ଅଟୋ ଓ ଟାକ୍ସି ଚାଳକ ମହାସଂଘର ସରକାରଙ୍କ ସହ ଆଲୋଚନା
ଟ୍ରାଫିକ୍ ଆଇନ ୩ ମାସ କୋହଳ କରିବାକୁ ମହାସଂଘର ଦାବି
ମୋଟର ଯାନ ଆଇନ ସହାୟତା ପାଇଁ ଟୋଲ ଫ୍ରି ନମ୍ବର

ଭୁବନେଶ୍ବର : ରାଜ୍ୟରେ ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରେ ଅଟୋ ଚାଳକ ଓ ଟାକ୍ସିଚାଳକମାନେ ପ୍ରତିଦିନ ତଣ୍ଡ ଗଣୁଛନ୍ତି। ଏହାକୁ ପ୍ରତିବାଦ କରି ଆଜି ସଚିବାଳୟରେ ଅଟୋ ଚାଳକ ମହାସଂଘ ଓ ଟାକ୍ସି ଚାଳକ ମହାସଂଘ ପ୍ରତିନିଧି ପରିବହନ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଆଇନ ଉଲଂଘନ କରିଥିବା ଅଭିଯୋଗରେ ଅଟୋ ଚାଳକ ଓ ଟାକ୍ସି ଚାଳକଙ୍କ ଉପରେ ଏକାଧିକ ଜରିମାନା ବଦଳରେ ଗୋଟିଏ ପ୍ରକାର ଜରିମାନା ଆଦାୟ କରିବାକୁ ଉଭୟ ସଂଘ ଦାବି କରିଛି। ଏହା ସହିତ କଡ଼ାକଡ଼ି ଯା଼ଞ୍ଚକୁ ୩ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାକୁ ଦାବି କରାଯାଇଛି। ନୂତନ ମୋଟର ଯାନ କେନ୍ଦ୍ରୀୟ ଆଇନ ହୋଇଥିବାରୁ ଏହାକୁ କୋହଳ କରିବା ସମ୍ଭବ ନୁହେଁ ବୋଲି ପରିବହନ ସଚିବ ରୋକଠୋକ କହିବା ସହ ଅଟୋ ଓ ଟାକ୍ସି ଚାଳକଙ୍କୁ କାଗଜପତ୍ର ଠିକ୍ କରିବାକୁ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡ଼ିକୁ ଦଲାଲମୁକ୍ତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଲୋକଙ୍କୁ ସହାୟତା ଯୋଗାଇଦେବାକୁ ଏକ ଟୋଲ ଫ୍ରି ନମ୍ବର କାର୍ଯ୍ୟକ୍ଷମ ହୋଇଥିବା ସେ କହିଛନ୍ତି।

ମୋଟର ଯାନ ଆଇନ କଡ଼ାକଡ଼ି ଯାଞ୍ଚକୁ ବିରୋଧ କରି ପରିବହନ ସଚିବଙ୍କ ସହ ଆଲୋଚନା ପରେ ନିଖିଳ ଓଡ଼ିଶା ଅଟୋଚାଳକ ମହାସଂଘ ଓ ନିଖିଳ ଓଡ଼ିଶା ଟାକ୍ସି ଚାଳକ ମହାସଂଘ ସଭାପତି ସୁବାସ ସିଂହ କହିଥିଲେ, ନୂତନ ମୋଟର ଆଇନ କାର୍ଯ୍ୟକାରୀ ହେବା ଫଳରେ ଅଟୋଚାଳକଙ୍କ ଉପରେ ମାତ୍ରାଧିକ ଜରିମାନା ଧାର୍ଯ୍ୟ କରାଯାଉଛି। ଫଳରେ ସେମାନଙ୍କ ଜୀବିକା ପ୍ରଭାବିତ ହେଉଛି। ଆଇନ ଅନୁଯାୟୀ ଗାଡ଼ିଗୁଡ଼ିକର କାଗଜପତ୍ର ଠିକ କରିବାକୁ ଅଧିକ ସମୟ ମଗାଯାଇଛି। ରାଜ୍ୟରେ ୧ ଲକ୍ଷ ୧୮ ହଜାର ଅଟୋଚାଳକ ଥିବା ବେଳେ ସାଢ଼େ ୫ ଲକ୍ଷ ଟାକ୍ସି ଚାଳକ ଗାଡ଼ି ଚଳାଇ ରୋଜଗାର କରୁଛନ୍ତି। ଆଇନ କୋହଳ ହୋଇପାରିବନି ବୋଲି ପରିବହନ ସଚିବ କହିଇଛନ୍ତି। ଅନ୍ୟପଟେ ଅଟୋ ଓ ଟାକ୍ସି ଚାଳକମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ସଚିବ ପ୍ରତିଶ୍ରୁତି ଦେଇଛନ୍ତି। ଏଣିକି ଏକାଧିକ ଜରିମାନା ବଦଳରେ ଗୋଟିଏ ପ୍ରକାର ଜରିମାନା ଆଦାୟ କରାଯିବ ବୋଲି ପରିବହନ ସଚିବ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ସିଂହ କହିଥିଲେ।

ପରିବହନ ସଚିବ ଜି.ଶ୍ରୀନିବାସ କହିଥିଲେ, ମୋଟର ଆଇନ କାର୍ଯ୍ୟକାରୀ କରିବା ଅର୍ଥ ଅଧିକ ଜରିମାନା ଆଦାୟ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଏଥିପାଇଁ ଲୋକେ ଆତଙ୍କିତ ହେବା ଉଚିତ ନୁହେଁ। ଆଇନର ବିଭିନ୍ନ ବ୍ୟବସ୍ଥା ବିଷୟରେ ଲୋକଙ୍କୁ ଅବଗତ କରାଇବା ସହ ଡ୍ରାଇଭିଂ ଲାଇସେନ୍ସ, ଫିଟନେସ ପ୍ରମାଣ ପତ୍ର ପାଇଁ ସବୁ ଆରଟିଓ ଅଫିସରେ ସହାୟତା କେନ୍ଦ୍ର ଖୋଲାଯାଇଛି। ଏହାସହିତ ୧୮୦୦-୩୪୫-୧୦୭୩ ଟୋଲ ଫ୍ରି ନମ୍ବର ମଧ୍ୟ ଉପଲବ୍ଧ କରାଯାଇଛି। ଏହି ପ୍ରତ୍ୟେକ ଦିନ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଲର୍ଣ୍ଣିଂ ଲାଇସେନ୍ସ ଓ ନିୟମିତ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପାଇଁ ସବୁ ଆରଟିଓ ଅଫିସରେ ଅଧିକ କାଉଣ୍ଟର ଖୋଲାଯାଇଛି। ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପୂର୍ବରୁ ପରୀକ୍ଷା ପାଇଁ ଧାର୍ଯ୍ୟଦିବସକୁ ମଧ୍ୟ ବୃଦ୍ଧି କରାଯାଇଛି। ପ୍ରତିଦିନ ଡ୍ରାଇଭିଂ ଲାଇସେନ୍ସ ଓ କେତୋଟି ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ଦିଆଗଲା, ସେସବୁର ତଥ୍ୟ ରାଜ୍ୟସ୍ତରରେ ତଦାରଖ କରାଯାଉଛି ବୋଲି ପରିବହନ ସଚିବ କହିଥିଲେ।

ପରିବହନ ସଚିବଙ୍କ ସହ ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ନିଖିଳ ଓଡ଼ିଶା ଅଟୋଚାଳକ ମହାସଂଘ କାର୍ଯ୍ୟକାରୀ ସଭାପତି ନବ ମହାନ୍ତି ଓ ଭୁବନେଶ୍ବର ଅଟୋଚାଳକ ସଂଘ ସଭାପତି ତଥା ଭୁବନେଶ୍ବର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର