ପୁନେ ଟେଷ୍ଟ: ସଚିନ-ସେହେଓ୍ଵାଗ୍‌ଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି

ପୁନେ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଶୁକ୍ରବାର ଏକ ନୂଆଁ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହେଓ୍ଵାଗଙ୍କ ରେକର୍ଡ ଭଙ୍ଗ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଦ୍ୱି-ଶତକ ହାସଲ କରିବାରେ ଭାରତୀୟ ବ୍ୟାଟସ୍‌ମ୍ୟାନ ହୋଇପାରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପୁନେରେ ଜାରି ଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ଶୁକ୍ରବାର ବିରାଟ କୋହଲି ନିଜ କ୍ୟାରିୟରର ୭ମ ଦ୍ୱି-ଶତକ (୨୫୪ ରନ୍‌, ୩୩୬ ବଲ, ୩୩ ଚୌକା, ୨ ଛକା) ହାସଲ କରିଛନ୍ତି। ଏଥି ସହିତ କୋହଲି ଟେଷ୍ଟ କ୍ରିକେଟରେ ୭୦୦୦ ରନ୍‌ ପୂରା କରିଛନ୍ତି।

କୋହଲି ନିଜର ୮୧ତମ ଟେଷ୍ଟ ମ୍ୟାଚର ୧୩୮ତମ ପାଳିରେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ୨୦୦ତମ ଟେଷ୍ଟ ମ୍ୟାଚର ୩୨୯ତମ ପାଳିରେ ଓ ବୀରେନ୍ଦ୍ର ସେହେଓ୍ଵାଗ ୧୦୪ ଟେଷ୍ଟ ମ୍ୟାଚର ୧୮୦ତମ ପାଳିରେ ୬-୬ ଦ୍ୱି-ଶତକ ହାସଲ କରିଥିଲେ।

ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୩ଟି ଓ୍ଵିକେଟ୍‌ ହରାଇ ୩୬ ରନ୍‌ କରିଛି। ଭାରତୀୟ ବୋଲର ଉମେଶ ଯାଦବଙ୍କୁ ୨ଟି ଓ ମହମ୍ମଦ ସାମିଙ୍କୁ ଗୋଟିଏ ଓ୍ଵିକେଟ ମିଳିଛି।

ଟେଷ୍ଟ କ୍ରିକେଟରେ ସର୍ବାଧିକ ଦ୍ୱି-ଶତକ ହାସଲ କରିଛନ୍ତି ଅଷ୍ଟ୍ରେଲିଆର ଜଣାଶୁଣା ବ୍ୟାଟସ୍‌ମ୍ୟାନ ବ୍ରାଡମ୍ୟାନ। ସେ ୫୨ଟି ଟେଷ୍ଟ ମ୍ୟାଚରେ ୧୨ଟି ଦ୍ୱି-ଶତକ ହାସଲ କରିଥିଲେ। ଶ୍ରୀଲଙ୍କାର କୁମାର ସାଙ୍ଗାକାର ୧୧ଟି ଓ ବ୍ରାୟନ ଲାରା ୯ଟି ଦ୍ୱି-ଶତକ ହାସଲ କରିଛନ୍ତି। ସେହିପରି ଇଂଲଣ୍ଡର ଓ୍ଵାଲି ହେମଣ୍ଡ ୮୫ଟି ଟେଷ୍ଟ ମ୍ୟାଚ ଓ ଶ୍ରୀଲଙ୍କାର ଜୟବର୍ଦ୍ଧନେ ୧୪୯ଟି ଟେଷ୍ଟ ମ୍ୟାଚ ଖେଳି ୭ ଦ୍ୱି-ଶତକ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର