ଏକା ସାଙ୍ଗରେ ଦୁଇ ଦୁଇ ଥର ଗାଡ଼ି ଧକ୍କା ହେବା ପରେ ମଧ୍ୟ ବଞ୍ଚିଗଲେ ମହିଳା, ଭିଡିଓରେ ଦେଖନ୍ତୁ ସେ ସମୟର ହୃଦୟ ଥରାଇବା ଭଳି ଦୃଶ୍ୟ

ନୂଆଦିଲ୍ଲୀ : ଚୀନ୍‌ରେ ଜଣେ ମହିଳାଙ୍କ ସହ ଘଟିଥିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁଇ ଦୁଇ ଥର ଗାଡ଼ି ଧକ୍କା ହେବା ପରେ ମଧ୍ୟ ମହିଳାଜଣଙ୍କ ଜୀବିତ ରହିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭିଡିଓରେ ମହିଳାଙ୍କୁ ଏକ ଟାକ୍ସି ଆସି ଧକ୍କା ଦେବା ପରେ ସେ ତଳେ କଚାଡ଼ି ହୋଇ ପଡ଼ୁଛନ୍ତି । ପଡ଼ିବା ପରେ ଅଚେତ ହୋଇ ଯାଇଥିଲେ ମଧ୍ୟ କେହି  ତାଙ୍କୁ ସାହାଯ୍ୟ କରିବା ପାଇଁ ଆସୁ ନାହାନ୍ତି, ଯାହା ପରେ ଏକ ଏସ୍‌ୟୁଭି ଗାଡ଼ି ଆସି ତାଙ୍କ ଉପରେ ଚଢ଼ି ଯାଉଛି । ଏହା ପରେ ଲୋକେ ତାଙ୍କୁ ଉଦ୍ଧାର କରୁଛନ୍ତି । ଉଦ୍ଧାର ପରେ ମହିଳାଜଣଙ୍କ ଜୀବିତ ଥିବା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ୪୧ସେକେଣ୍ଡର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଭିଡିଓରେ ଦେଖାଯାଇଛି କି, ମହିଳାଜଣଙ୍କ ନିଜ ସ୍କୁଟର ଯୋଗେ ଯାଉଥିବା ସହ ରାସ୍ତା ଫାଙ୍କା ଥିବା ଦେଖାଯାଉଛି । ଯାହା ପରେ ସେ ରାସ୍ତା ପାର ହେଉଛନ୍ତି । ଠିକ୍‌ ଏହି ସମୟରେ ହଠାତ ଏକ ଟାକ୍ସି ଆସି ତାଙ୍କୁ ଧକ୍କା ଦେବା ପରେ ସେ ତଳେ ପଡ଼ି ଯାଉଛନ୍ତି । ପଡ଼ିବାର କିଛି ସମୟ ପରେ ଏକ ଏସ୍‌ୟୁଭି ଗାଡ଼ି ଆସି ତାଙ୍କ ଉପରେ ଚଢ଼ି ଯାଉଛି । ଯାହାକୁ ଦେଖି ଲୋକେ ଏସ୍‌ୟୁଭି ଗାଡ଼ି ଚାଳକଙ୍କୁ ଅଟକିବାକୁ କହିବା ସହ ମହିଳାଙ୍କୁ ତଳୁ ବାହାର କରୁଛନ୍ତି । ଅକ୍ଟୋବର ୪ରେ ଏହି ଘଟଣା ଘଟିଥିବା ବେଳେ ଚିକିତ୍ସା ପରେ ମହିଳାଜଣଙ୍କ ସୁସ୍ଥ ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର