ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ
ଧରଣୀମାଲ ଡବଲ ମର୍ଡର ମାମଲା
ନୂଆପଡା : ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଧରଣୀମାଲ ଗାଁରେ ଘଟିଥିବା ଡବଲ ମର୍ଡର ମାମଲାର ଶୁଣାଣି କରି ସୋମବାର ନୂଆପଡ଼ା ଜିଲ୍ଲା ଦୌରା ଜଜ୍ ତାଙ୍କ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାର ଅଭିଯୁକ୍ତ ଶିବ ନିଆଲକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହିତ ୧୦ ହଜାର ଟଙ୍କା ଜରିମାନା ପାଇଁ ନିର୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମାମଲାର ବିବରଣୀ ଅନୁସାରେ, ୨୦୧୩ ମଇ ୩୧ ତାରିଖ ରାତିରେ ଧରଣୀମାଲରେ ଏକ ସାଂସ୍କୃତିକ କାଯ୍ୟର୍କ୍ରମ ଚାଲିଥିଲା। ଗାଁର ଧନେଶ୍ୱର କଟା ଓ ପତ୍ନୀ ନିରୂପମା କଟା ତାଙ୍କ ଘରର ଉପର ମହଲାରେ ଶୋଇଥିଲେ। ଧନେଶ୍ୱର ଓଡ଼ିଶା ପୁଲିସରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ଜ୍ୱାଇଁ ପ୍ରଭୁଲାଲ ଜଣେ ଆର୍ମୀ ଯବାନ ଥିଲେ। ମଧ୍ୟ ରାତ୍ରିରେ ପ୍ରଭୁଲାଲ ଧନେଶ୍ୱରଙ୍କ ଘରକୁ ଏକ ବାଇକ୍ରେ ତାଙ୍କ ସହଯୋଗୀ ଶିବ ନିଆଲଙ୍କ ସହିତ ଆସିଥିଲେ। ଶିବ ତଳେ ଅପେକ୍ଷା କରିଥିବା ବେଳେ ଧନେଶ୍ୱର ଉପର ମହଲାକୁ ଚଢ଼ି ପିସ୍ତଲରେ ଶଳା ଧନେଶ୍ୱର ଓ ଶଳା ଭାଉଜ ନିରୂପମାଙ୍କୁ ଗୁଳି କରି ହତ୍ୟା କରିଥିଲେ।
ଗୁଳି ଶବ୍ଦ ଶୁଣି ଗ୍ରାମବାସୀ ଧାଇଁ ଆସିବା ବେଳେ ଉଭୟେ ଫେରାର ହୋଇ ଯାଇଥିଲେ। ଶିବଙ୍କୁ ଗ୍ରାମର କିଛି ଲୋକେ ଚିହ୍ନି ପାରିଥିଲେ। ଏନେଇ ବୋଡ଼େନ ଥାନା ପୁଲିସରେ କେସ୍ ନଂ ୭୨/୧୩ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା। ପ୍ରଥମେ ଶିବଙ୍କୁ ଗିରଫ କରି ୯ ମାସ ପରେ ୨୦୧୪ ଏପ୍ରିଲ ୧୩ରେ ପ୍ରଭୁଲାଲଙ୍କୁ ବୋଡ଼େନ ପୁଲିସ ଗିରଫ କରି କୋର୍ଟ ଚାଳଣ କରିଥିଲା। ଏନେଇ ନୂଆପଡ଼ା ଜିଲ୍ଲା କୋର୍ଟରେ ମାମଲା ବିଚାରାଧୀନ ଥିଲା।
୪ ବର୍ଷ ପରେ ୧୭ ଜଣଙ୍କ ସାକ୍ଷ୍ୟଙ୍କ ବୟାନ ଗ୍ରହଣ କରି ସୋମବାର ଜିଲ୍ଲା ଦୌରା ଜଜ୍ ଅସୀମ ଦଳବେହେରା ମାମଲାର ଶୁଣାଣି କରିଥିଲେ। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଶିବ ନିଆଲଙ୍କୁ ଆଜୀବନ କାରାଦଣ୍ଡଦେଶ ସହିତ ୧୦ ହଜାର ଟଙ୍କାର ଜରିମାନା ପାଇଁ ଜିଲ୍ଲା ଦୌରାଜଜ୍ ନିର୍ଦେଶ ଦେଇଥିଲେ। ଜରିମାନା ଅନାଦେୟ ହେଲେ ୧ବର୍ଷର ସଶ୍ରମ କାରାଦଣ୍ଡଦେଶ ଶୁଣାଇଛନ୍ତି।
ସୂଚନାଯୋଗ୍ୟ ଯେ ଗତ ୫ ତାରିଖ ଉକ୍ତ ମାମଲାରେ ପ୍ରଭୁଲାଲଙ୍କୁ ଆଜୀବନ କାରାଦଣ୍ଡଦେଶ ସହିତ ୧୦ ହଜାର ଟଙ୍କାର ଜରିମାନା ପାଇଁ ଜିଲ୍ଲା ଦୌରା ଜଜ୍ ନିର୍ଦେଶ ଦେଇଥିଲେ। ସରକାରଙ୍କ ତରଫରୁ ପିପି ନିଦର୍ଶିନୀ ରଥ କେସ ପରିଚାଳନା କରିଥିଲେ।