ସୁନ୍ଦରପଦା ଅମରେଶ ନାୟକ ହତ୍ୟାକାଣ୍ଡ: ଅଭିଯୁକ୍ତଙ୍କ ଫଟୋ ଧରି ବୁଲୁଛି ପୁଲିସ
କେତେ ଅଫିସର ଲାଗିଲେ ଧରା ହେବେ ହତ୍ୟାକାରୀ?
ଭୁବନେଶ୍ବର: ସୁନ୍ଦରପଦା ଅମରେଶ ନାୟକ ହତ୍ୟା ଘଟଣାରେ ଆଉ କେତେ ଜଣ ପୁଲିସ ଅଧିକାରୀ ଲାଗିଲେ ହତ୍ୟାକାରୀ ଧରା ପଡ଼ିବେ? ହତ୍ୟାକାରୀ ଜଣେ କିମ୍ବା ଦୁଇ ଜଣ ନୁହଁନ୍ତି ଯେ କେଉଁଠି ଗାଏବ ହୋଇଯିବେ। ୨୦ଜଣ ଯୁବକ ରାଜଧାନୀରୁ ଏମିତି ଏକାବେଳକେ ଚମ୍ପଟ ହୋଇଗଲେ ଯେ ପୁଲିସ ସେମାନଙ୍କୁ ଠାବ କରି ପାରୁନାହିଁ। ତାହା ପୁଣି ୫ ଦିନ ବିତିଗଲା ପରେ ମଧ୍ୟ। ପୂରା କମିସନରେଟ୍ ପୁଲିସ ଲାଗି ପଡ଼ିଛି ହତ୍ୟାକାରୀମାନଙ୍କ ପଛରେ। କିନ୍ତୁ ସେମାନେ ପୁଲିସକୁ ଚକ୍ମା ଦେଇ ଘୂରି ବୁଲୁଛନ୍ତି। ପୁଲିସ ହତ୍ୟାକାରୀମାନଙ୍କୁ ଜାଣିଶୁଣି ଗିରଫ କରୁନାହିଁ, ନା ଗିରଫ ନ କରିବାକୁ ଚାପ ପଡ଼ୁଛି, ତାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚା। ଏଭଳି ପରିସ୍ଥିତିରେ ଆଜି ମୃତ ଅମରେଶଙ୍କ ଭାଇ ଅବିନାଶ କହିଛନ୍ତି, ତୁରନ୍ତ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରୁ। କାରଣ ସେମାନେ ଆମ ପରିବାର ଉପରେ ପୁଣି ଥରେ ଆକ୍ରମଣ କରିବାର ଆଶଙ୍କା ରହିଛି। ତେଣୁ ପୁଲିସ ଆମ ପରିବାର ଓ ପ୍ରତ୍ୟକ୍ଷଦର୍ଶୀଙ୍କୁ ସୁରକ୍ଷା ଯୋଗାଇଦେଉ।
Sambad is now on WhatsApp
Join and get latest news updates delivered to you via WhatsApp
ହତ୍ୟାକାଣ୍ଡର ୪ ଦିନ ପରେ ଅର୍ଥାତ ବୁଧବାର ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଓ ତାଙ୍କ ଟିମ୍ ଏୟାରଫିଲ୍ଡ ଥାନାରେ ହତ୍ୟାକାଣ୍ଡ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହା ପରେ ଏୟାରଫିଲ୍ଡ ଥାନା ପୁଲିସକୁ ସହଯୋଗ କରିବାକୁ କମିସନରେଟ ପୁଲିସର ମୁଖ୍ୟାଳୟ ଏସିପି, ଗ୍ରିଭାନ୍ସ ଏସିପି, ସ୍ପେସାଲ ସ୍କ୍ବାଡ ଏସିପି, ଏହା ସାଙ୍ଗକୁ ଏୟାରଫିଲ୍ଡ ଥାନା ଇନ୍ସପେକ୍ଟରଙ୍କ ସମେତ ଆଉ ୪ ଥାନା ଇନ୍ସପେକ୍ଟରୁଙ୍କୁ ଦାୟିତ୍ବ ଦିଆଯାଇଥିଲା। କହିବାକୁ ଗଲେ ଗୋଟିଏ ହତ୍ୟାକାଣ୍ଡ ପାଇଁ ପୂରା କମିସନରେଟ ପୁଲିସ ଲାଗି ପଡ଼ିଛି। ବୈଷୟିକ ଜ୍ଞାନ ସହଯୋଗରେ ପୁଲିସ ତଦନ୍ତ ଚଳାଇଛି। ହତ୍ୟାକାରୀମାନେ ପେସାଦାର ଅପରାଧୀ ନ ଥିଲେ। ଯେଉଁଠି ବି ଥିବେ, ପୁଲିସକୁ ନିଶ୍ଚିତ ଖବର ମିଳିଯିବା କଥା। କିନ୍ତୁ ସବୁ ଯେମିତି ଫେଲ ମାରିଛି, କମିସନରେଟ ପୁଲିସ ଆଗରେ।
ପରିବାର ଲୋକ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୁରକ୍ଷା ଲୋଡ଼ିଲେ ଅମରେଶଙ୍କ ଭାଇ
ପୁଲିସ ଜଳକା ଭଳି ଚାହିଁ ରହିଥିବା ବେଳେ କେବଳ ଅଭିଯୁକ୍ତଙ୍କ ଫଟୋ ଧରି ବୁଲିବା ସାର ହୋଇଛି। ହତ୍ୟାକାରୀଙ୍କୁ ଧରିବା ଲାଗି ପୁଲିସ ରାତିଦିନ ଏକ କରି ଦେଇଥିବା ବେଳେ ଏବେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଫଟୋ ପାଇଛି। ଉକ୍ତ ଫଟୋରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପୁଲିସ ପାଇଁ ସହଜ ହେବ। ସେହିପରି ହତ୍ୟାକାରୀଙ୍କୁ ଧରିବା ଲାଗି ଏୟାରଫିଲ୍ଡ ଥାନା ପୁଲିସ ଧଉଳି, ଏୟାରପୋର୍ଟ, ଶ୍ରୀଲିଙ୍ଗରାଜ ଥାନା ଇନ୍ସପେକ୍ଟରଙ୍କ ସହାୟତାରେ ସ୍ୱତନ୍ତ୍ର ଟିମ୍ ଗଠନ କରି ଚଢ଼ଉ ଜାରି ରଖିଛି। ଅଭିଯୁକ୍ତମାନେ ଗିରଫ ଭୟରେ ସହର ଛାଡ଼ି ଦେଇଥିବାରୁ ସେମାନଙ୍କୁ ଧରିବା ଲାଗି ପୁଲିସ ଜିଲ୍ଲା ବାହାରେ ଡେରା ପକାଇଛି। ଅଭିଯୁକ୍ତଙ୍କ ମୋବାଇଲ ଫୋନକୁ ଆଧାର କରି ସେମାନଙ୍କୁ ଠାବ କରିବା ଲାଗି ଉଦ୍ୟମ କରୁଛି। ଅଭିଯୁକ୍ତମାନଙ୍କ ବନ୍ଧୁବାନ୍ଧବ ଓ ସାଙ୍ଗ ସାଥୀଙ୍କ ଘରେ ମଧ୍ୟ ପୁଲିସ ଚଢ଼ଉ ଚଳାଇଛି। ତେବେ ଖୁବଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।