ନବୀନଙ୍କ ପଚାଶ କୋଟି

ଭୁବନେଶ୍ୱର : କୋଟିଏ କି ଦୁଇକୋଟି ନୁହେଁ, ପାଖାପାଖି ୫୦ କୋଟି ଟଙ୍କାର ମାଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆକାଉଣ୍ଟରେ ଏବେ ବି ରହିଛି ପ୍ରାୟ ୨୪ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କା। କିନ୍ତୁ କାହିଁକି କେଜାଣି, ନବୀନ ନିଜ ଭଉଣୀ ଗୀତା ମେହେଟ୍ଟାଙ୍କ ଠାରୁ ଧାର ସୂତ୍ରରେ ଆଣିଛନ୍ତି ୧୫ଲକ୍ଷ ଟଙ୍କା। ୨୦୧୫ ମାର୍ଚ୍ଚ ୯ ତାରିଖରେ ନବୀନ ଏ ଟଙ୍କା ଆଣିଥିଲେ। ହେଲେ ଏଯାଏ ଫେରାଇନାହାନ୍ତି। ନା ଦାମୀ ଗାଡ଼ି ଅଛି ନା ସୁନା ଗହଣା ପ୍ରତି ସଉକ ଅଛି ତାଙ୍କର। ୧୯୮୦ ମସିହା ମଡେଲର ଏକ ପୁରୁଣା ଆମ୍ବାସାଡର କାର୍‌ର ସେ ମାଲିକ। ଯେତିକି ସୁନା ଗହଣା ଅଛି, ତାର ଆନୁମାନିକ ମୂଲ୍ୟ ପ୍ରାୟ ୨ଲକ୍ଷ ୫ ହଜାର ଟଙ୍କା ହେବ।

୨୦୧୬-୧୭ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସଂପତ୍ତି ତାଲିକାରେ ରହିଛି ଏହି ତଥ୍ୟ। ଅନ୍ୟପକ୍ଷରେ ରାଜ୍ୟର ଅନ୍ୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ଭଳି ଗାଡ଼ି, ସୁନା, ସଂପତ୍ତି ଆଦି ପ୍ରତି ସେଭଳି ନିରାସକ୍ତ ନୁହଁନ୍ତି। କିଏ ବସ୍‌ ମାଲିକ ତ ଆଉ କିଏ ପେଟ୍ରୋଲ ପମ୍ପ କରିଛନ୍ତି। ପ୍ରାୟ ଅଧିକାଂଶ ମନ୍ତ୍ରୀ କୋଟିପତି।

୨୦୧୪ ମସିହାରେ ଯେଉଁ ଆକଳନ ହୋଇଥିଲା, ତାହା ଆଧାରରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ନୂଆଦିଲ୍ଲୀରେ ତାଙ୍କର ଯେଉଁ ଘର ରହିଛି,ଯାହାର ୫୦ ପ୍ରତିଶତ ଅଂଶଧନ ତାଙ୍କର, ତାର ମୂଲ୍ୟ ପାଖାପାଖି ୩୬ କୋଟି ଟଙ୍କା ହେବ। ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ଥିବା ନବୀନ ନିବାସର ଦୁଇ ତୃତୀୟାଂଶ ମାଲିକ ସେ। ଯାହାର ମୂଲ୍ୟ ପାଖାପାଖି ୫କୋଟି ୭୦ ଲକ୍ଷ ଟଙ୍କା। ଫରିଦାବାଦରେ ତାଙ୍କର ଯେଉଁ ୨୨.୭ ଏକରର ଫାର୍ମ ଅଛି, ତାର ମୂଲ୍ୟ ହେବ ୭ କୋଟି ୨୫ଲକ୍ଷ ୩୪ ହଜାର ଟଙ୍କା। ମୁଖ୍ୟମନ୍ତ୍ରୀ ନିଜେ କୌଣସି ସଂପତ୍ତି କରିନାହାନ୍ତି। ସବୁ ସଂପତ୍ତି ଉତ୍ତରାଧିକାରୀ ସୂତ୍ରରେ ମିଳିଛି। କିନ୍ତୁ ପ୍ରଶ୍ନ ଉଠିଛି, ୨୦୧୦ରେ ନୂଆଦିଲ୍ଲୀ ଘରର ମୂଲ୍ୟ ୫ କୋଟି ୧୪ ଲକ୍ଷ ୨୮ ହଜାର ଟଙ୍କା ଥିଲା। ଏହା ଭିତରେ ଏମିତି କ’ଣ ହୋଇଛି ଯେ ସେ ସଂପତ୍ତିର ମୂଲ୍ୟ ପ୍ରାୟ ୭ଗୁଣ ବଢ଼ିଗଲା, ସେ ନେଇ କିନ୍ତୁ ନବୀନ ତାଙ୍କ ସଂପତ୍ତି ତାଲିକାରେ କିଛି ଦର୍ଶାଇନାହାନ୍ତି। ତାଙ୍କର ନୂଆଦିଲ୍ଲୀ ଆକାଉଣ୍ଟରେ ୧୨ଲକ୍ଷ ୧୭ ହଜାର ଟଙ୍କା ରହିଛି, ଭୁବନେଶ୍ୱର ଆକାଉଣ୍ଟରେ ରହିଛି ୧୨ଲକ୍ଷ ୪୬ ହଜାର ଟଙ୍କା। ନବୀନଙ୍କ ମୋଟ ସଂପତ୍ତିର ମୂଲ୍ୟ ପ୍ରାୟ ୪୯କୋଟି ୨୨ଲକ୍ଷ ୨୧ ହଜାର ୬୩୭ ଟଙ୍କା।

ମନ୍ତ୍ରୀ ପ୍ରଦୀପ ମହାରଥୀ ବି କୋଟିପତି। ତାଙ୍କ ପରିବାରର ସଂପତ୍ତିର ମୂଲ୍ୟ ଏ ୬ବର୍ଷ ଭିତରେ ପ୍ରାୟ ୩ ଗୁଣ ବଢ଼ି ୪ କୋଟି ୧୦ଲକ୍ଷ ୫୮ ହଜାର ଟଙ୍କାଙ୍କୁ ଛୁଇଁଛି। ଶ୍ରୀ ମହାରଥୀଙ୍କ ବ୍ୟକ୍ତିଗତ ସଂପତ୍ତିର ମୂଲ୍ୟ ଏବେ ପ୍ରାୟ ୨ କୋଟି ୭୫ଲକ୍ଷରୁ ଅଧିକ। ସ୍ତ୍ରୀ ଅଧ୍ୟାପିକା ହୋଇଥିଲେ ହେଁ ସେ ବି କୋଟିପତି। ତାଙ୍କ ସଂପତ୍ତିର ମୂଲ୍ୟ ୧ କୋଟି ୩୩ଲକ୍ଷ ୨୬ ହଜାର ଟଙ୍କା। ନିଜ ପୁଅ ରୁଦ୍ର ପ୍ରତାପଙ୍କ ସଂପତ୍ତି ସଂପର୍କରେ ଏଥର ସେ ରିପୋର୍ଟରେ କିଛି ଉଲ୍ଲେଖ କରିନାହାନ୍ତି।

ନବୀନଙ୍କ କ୍ୟାବିନେଟ୍‌ର ଅନ୍ୟତମ କୋଟିପତି ମନ୍ତ୍ରୀ ମହେଶ୍ୱର ମହାନ୍ତି। ତାଙ୍କ ସ୍ତ୍ରୀଙ୍କ ନାମରେ ପୂର୍ବରୁ ତିନିଟି ବସ୍‌ ଥିଲା। ଏହି ସଂଖ୍ୟା ୪ ରେ ପହଞ୍ଚିଛି। ଏଥିପାଇଁ ସେ ଋଣ ବି କରିଛନ୍ତି ବ୍ୟାଙ୍କରୁ। ମହେଶ୍ୱରଙ୍କର ଜାଗମରା ଘରର ଦାମ ବର୍ତମାନ ବଜାର ଦରରେ କୋଟିଏ ଟଙ୍କା। ସୁନା ଗହଣା ପ୍ରତି ତାଙ୍କର ବିଶେଷ କିଛି ମୋହ ନାହିଁ। ମାତ୍ର ସାଢେ ୮ ଭରି ସୁନା ଅଛି ତାଙ୍କ ପାଖରେ। ସେହିଭଳି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ, ବିଜୟଶ୍ରୀ ରାଉତରାୟ ବି କୋଟିପତି।

ଗତ ଅଗଷ୍ଟ ଶେଷ ସୁଦ୍ଧା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ସେମାନଙ୍କ ସଂପତ୍ତି ତାଲିକା ଦେବାର ଥିଲା। ସାମାନ୍ୟ ବିଳମ୍ବ ହେଲେ ବି ଏବେ ତାହା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର