ରାୟଗଡ଼ାରେ ସିଆରପିଏଫ୍ ଆଇଜି : ମାଓ ଗତିବିଧି ନିୟନ୍ତ୍ରଣାଧୀନ, କଳାହାଣ୍ଡି ସୀମାନ୍ତ ତ୍ରିଲୋଚନପୁରରେ ଖୋଲିବ ନୂଆ କ୍ୟାମ୍ପ
ରାୟଗଡ଼ା : ରାୟଗଡ଼ାରେ ମାଓ ଗତିବିଧି ନିୟନ୍ତ୍ରଣାଧୀନ ରହିଛି। ଆତ୍ମଗୋପନ ପାଇଁ କିଛି ଅଞ୍ଚଳରେ ମାଓବାଦୀ ଚଳ ପ୍ରଚଳ କରୁଛନ୍ତି। କିନ୍ତୁ ବିଳମ୍ବରେ ସୂଚନା ମିଳିବା ଯୋଗୁଁ ସଫଳତା ମିଳିପାରୁନି। ତେବେ ସପ୍ତାହେ କିମ୍ବା ମାସକ ମଧ୍ୟରେ ସିଆରପିଏଫକୁ ମାଓ ଦମନ କ୍ଷେତ୍ରରେ ମିଳିବ ବଡ଼ ସଫଳତା। ରାୟଗଡ଼ା ଗସ୍ତରେ ଆସି ମାଓ କାର୍ଯ୍ୟକଳାପ ସ୍ଥିତି ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ (ସିଆରପିଏଫ୍) ଓଡ଼ିଶା ପ୍ରଭାଗ ଆଇଜି ଏସ୍. କେ. ମହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଚତୁର୍ଥ ବାଟାଲିୟନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି, ରାଜ୍ୟ ପୁଲିସ ସହ କାନ୍ଧ ମିଳାଇ ସିଆରପିଏଫ୍ ନକ୍ସଲ ବିରୋଧୀ ଅପରେସନ ଚଳାଇଛି। ରାଜ୍ୟ ପୁଲିସ୍-ସିଆରପିଏଫ୍-ବିଏସଏଫ୍ ମିଳିତ ଅପରେସନ୍ ଯୋଗୁଁ ଓଡ଼ିଶାରେ ନକ୍ସଲ୍ ଗତିବିଧି ହ୍ରାସ ପାଇଛି। ରାୟଗଡ଼ା-କଳାହାଣ୍ଡି ସୀମାନ୍ତ ନିୟମଗିରିରେ ମାଓବାଦୀଙ୍କ କାର୍ଯ୍ୟକଳାପ ବଢ଼ୁଥିବାରୁ ଏହା ଉପରେ ନଜର ରଖିବାକୁ ତ୍ରିଲୋଚନପୁରରେ ଖୁବ୍ ଶୀଘ୍ର ନୂଆ କ୍ୟାମ୍ପ ଖୋଲିବ। ବର୍ତମାନ କିଛି ଯବାନ ଉକ୍ତ ଅଞ୍ଚଳରେ ନିୟୋଜିତ ଅଛନ୍ତି। କ୍ୟାମ୍ପ ନିର୍ମାଣ ଶେଷ ହେବା ସଙ୍ଗେ ସଙ୍ଗେ ମୁକୁନ୍ଦପୁର କ୍ୟାମ୍ପରେ ଥିବା ଯବାନଙ୍କୁ ତ୍ରିଲୋଚନପୁରକୁ ସ୍ଥାନାନ୍ତର କରାଯିବ ବୋଲି ଆଇଜି ଶ୍ରୀ ମହାନ୍ତି କହିଛନ୍ତି।
ଅପରାହ୍ନରେ ଆଇଜି ୪ର୍ଥ ବାଟାଲିୟନ୍ ଯବାନଙ୍କ ସହ ଆଲୋଚନା କରିବା ପରେ ଯବାନଙ୍କ ପାଇଁ ଉଦ୍ଦିଷ୍ଟ ଭୋଜନାଳୟ କକ୍ଷକୁ ଉଦ୍ଘାଟନ କରିଥିଲେ। ଏହାପରେ ଡିଆଇଜି ଏସ୍. ଡି. ପାଣ୍ଡେ, କମାଣ୍ଡାଣ୍ଟ୍ ୱାଇ. କେ. ରାଜପୁତ, ସେକେଣ୍ଡ୍ ଇନ୍ କମାଣ୍ଡାଣ୍ଟ୍ ମିଟୁ ରାୟ, ଏସ୍. କେ. ଠାକୁର, ଡେପୁଟି କମାଣ୍ଡାଣ୍ଟ୍ ସନ୍ତୋଷ କୁମାରଙ୍କ ସହ ମାଓ ଦମନ ପାଇଁ ସ୍ବତନ୍ତ୍ର ଆଲୋଚନା କରିଥିଲେ।