ଅଯୋଧ୍ୟା ରାୟ: ସମସ୍ତ ରିଭ୍ୟୁ ପିଟିସନ ସୁପ୍ରିମ‌କୋର୍ଟରେ ଖାରଜ

ନୂଆଦିଲ୍ଲୀ : ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଗତ ନଭେମ୍ବର ୯ ତାରିଖରେ ଦେଇଥିବା ଐତିହାସିକ ରାୟକୁ ଚ୍ୟାଲେଂଜ କରି ଦାଖଲ ହୋଇଥିବା ସମସ୍ତ ୧୮ଟି ପୁନର୍ବିଚାର ଆବେଦନକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଏସ୍‌ ଏ ବୋବ୍‌ଡେଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ଆଜି ଏହି ଆବେଦନଗୁଡ଼ିକର ‘ଇନ୍‌ ଚ୍ୟାମ୍ବର’ ଶୁଣାଣି ହୋଇଥିଲା। ଖଣ୍ଡପୀଠରେ ଥିବା ଅନ୍ୟ ୪ ଜଣ ସଦସ୍ୟ ହେଉଛନ୍ତି ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୁଷଣ, ଅବଦୁଲ ନଜିର୍‌ ଏବଂ ସଂଜୀବ ଖାନ୍ନା। ପୁନର୍ବିଚାର ଆବେଦନଗୁଡ଼ିକର କୌଣସି ଯଥାର୍ଥତା ନଥିବାରୁ ଖଣ୍ଡପୀଠ ଏଗୁଡ଼ିକୁ ଖାରଜ କରିଦେଇଥିବା କହିଛନ୍ତି।

ମାମଲାରେ ଦାଖଲ ହୋଇଥିବା ୧୮ଟି ପୁନର୍ବିଚାର ଆବେଦନରୁ ୯ଟି ମୂଳ ଆବେଦନରେ ପକ୍ଷଭୁକ୍ତ ଥିବା ପକ୍ଷଙ୍କ ଦ୍ବାରା ଦାଖଲ କରାଯାଇଥିଲା ଏବଂ ଅନ୍ୟ ୯ଟି ତୃତୀୟ ପକ୍ଷଙ୍କ ଦ୍ବାରା ଦାଖଲ କରାଯାଇଥିଲା। ସୁପ୍ରିମକୋର୍ଟ ଗତ ନଭେମ୍ବର ୯ ତାରିଖରେ ଦେଇଥିବା ରାୟର ବିଭିନ୍ନ ଦିଗକୁ ଏହି ଆବେଦନଗୁଡ଼ିକରେ ଚ୍ୟାଲେଂଜ କରାଯାଇଥିଲା। ତେବେ ମୁ‌ଳ ଆବେଦନରେ ସମ୍ପୃକ୍ତ ନଥିବା ପକ୍ଷଙ୍କ ଦ୍ବାରା ଦାଖଲ ହୋଇଥିବା ପୁନଃ ବିଚାର ଆବେଦନକୁ କୋର୍ଟ ଆଦୌ ଗ୍ରହଣ କରିନଥିଲେ। ତୃତୀୟ ପକ୍ଷଙ୍କ ଦ୍ବାରା ଦାଖଲ ହୋଇଥିବା ୯ଟି ପୁନଃ ବିଚାର ଆବେଦନରେ ୪୦ ସାମାଜିକ କର୍ମୀଙ୍କ ଆବେଦନ ମଧ୍ୟ ରହିଥିଲା। ସେମାନେ ମିଳିତ ଭାବେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ମାମଲାର ପୁନର୍ବିଚାର ପାଇଁ ଆବେଦନ କରିଥିଲେ।

ଉଲ୍ଲେଖଯୋଗ୍ୟ ଗତ ନଭେମ୍ବର ୯ ତାରିଖରେ ତତ୍କାଳନୀ ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ‌ନେତୃତ୍ବାଧୀନ ଖଣ୍ଡପୀଠ ଅଯୋଧ୍ୟା ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇ ବିବାଦୀୟ ୨.୭୭ ଏକର ସ୍ଥାନକୁ ‘ରାମ ଲଲ୍ଲା’କୁ ଦେଇଥିଲେ ଏବଂ ଅଯୋଧ୍ୟାରେ ଅନ୍ୟ କୌଣସି ସ୍ଥାନରେ ମସଜିଦ୍‌ ନିର୍ମାଣ ପାଇଁ ସୁନ୍ନି ୱାକଫ୍‌ ବୋର୍ଡକୁ ୫ ଏକର ଜମି ଦେବାପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଂଜ କରି ଡିସେମ୍ବର ୨ରେ ପ୍ରଥମେ ରିଭ୍ୟୁ ପିଟିସନ୍‌ ଦାଖଲ ହୋଇଥିଲା। ମୂଳ ଆବେଦନକାରୀ ଏମ୍‌ ସିଦ୍ଦିକ୍‌ଙ୍କ ଉତ୍ତରାଧିକାରୀ ମୌଲାନା ସୟଦ ଆଶାଦ ରଶିଦ୍‌ଙ୍କ ଦ୍ବାରା ପ୍ରଥମେ ରିଭ୍ୟୁ ପିଟିସନ୍‌ ଦାଖଲ ହୋଇଥିଲା। ଏହାପରେ ଡିସେମ୍ବର ୬ ତାରିଖରେ ଅନ୍ୟ ୬ଟି ଆବେଦନ ଦାଖଲ ହୋଇଥିଲା। ଡିସେମ୍ବର ୯ରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଦ୍ବାରା ଗୋଟିଏ ପୁନର୍ବିଚାର ଆବେଦନ କରାଯାଇଥିଲା ଏବଂ ଅନ୍ୟଟି ସାମାଜିକ କର୍ମୀଙ୍କ ସମେତ ୪୦ ଜଣଙ୍କ ଦ୍ବାରା ଦାଖଲ କରାଯାଇଥିଲା। ନିର୍ମୋହୀ ଆଖଡ଼ା ଦ୍ବାରା ମଧ୍ୟ ରିଭ୍ୟୁ ପିଟିସନ୍‌ ଦାଖଲ ହୋଇଥିଲା।

ସମ୍ବନ୍ଧିତ ଖବର