ପୁଣି ଧରାପଡ଼ିଲେ ୫ ଜଣ ଜାଲ ଶିକ୍ଷକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ନକଲି ଶିକ୍ଷାଗତ ପ୍ରମାଣ ଦେଇ ଚାକିରି କରିଥିବା ୫ଜଣ ଜାଲ ଶିକ୍ଷକ ଶିକ୍ଷା ବିଭାଗର ହାତରେ ଧରାପଡ଼ିଥିବା ମଙ୍ଗଳବାର ଜଣାପଡ଼ିଛି। ଜାଲ ଶିକ୍ଷକମାନେ ହେଲେ ବେଗୁନିଆପଡ଼ା ବ୍ଲକର ଏଲଆରଏନ୍‌ ପୁର ପ୍ରାଥମିକ ବିଦ୍ୟାଳୟର ସହାୟକ ଶିକ୍ଷିକା ସୁଜାତା ପଣ୍ଡା, ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟର ସହାୟକ ଶିକ୍ଷକ ପରମାନନ୍ଦ ସାହୁ, ଶେରଗଡ଼ ବ୍ଲକର ପି.ଖରଡିଆ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହାୟକ ଶିକ୍ଷକ ସଂଜୟ କୁମାର ଖଟାଇ ଓ କେଏମପିଏସ ବନ୍ଧଗୁଡ଼ା ବିଦ୍ୟାଳୟର ସହାୟକ ଶିକ୍ଷକ ଭଗବାନ ମହାନ୍ତି। ପାଞ୍ଚ ଜଣ ଜାଲ ଶିକ୍ଷକଙ୍କ ବିରୋଧରେ ସଂପୃକ୍ତ ଥାନାରେ ଏତଲା ଦେବା ସହ ଶୃଙ୍ଖଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାରେ ଧରାପଡ଼ିଥିବା ଜାଲ ଶିକ୍ଷକଙ୍କ ସଂଖ୍ୟା ଏବେ ୨୨ରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର ୧୦୧ ଜଣ ଶିକ୍ଷକଙ୍କ ବିରୋଧରେ ଏକ ସଂସ୍ଥା ଅଭିଯୋଗ ଆଣିଛି। ପ୍ରଶାସନ ପୂର୍ବରୁ ୨ଟି ପର୍ଯ୍ୟାୟରେ ଶିକ୍ଷକଙ୍କୁ ଧରି ସେମାନଙ୍କ ନାଁରେ ଏତଲା ଦେଇଥିଲା। ଏବେ ପୁଣି ୫ ଜଣଙ୍କ ନାଁରେ ଏତଲା ଦେଇଛି।

ଏହି ଜାଲ ଶିକ୍ଷକମାନଙ୍କ ବିରୋଧରେ ଖୋଳତାଡ଼ ପରେ ବିଭିନ୍ନ କାରଣ ଦର୍ଶାଇ ଜିଲ୍ଲାର ୧୩ ଜଣ ଶିକ୍ଷକ ଇତି ମଧ୍ୟରେ ଚାକିରିରୁ ଇସ୍ତଫା ଦେଇ ସାରିଛନ୍ତି। ପ୍ରଶାସନ ସେମାନଙ୍କ ବିରୋଧରେ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର