ଝଟକୁଛି ଶ୍ରୀମନ୍ଦିର ଓ ସିଂହଦ୍ୱାର, ବଡଦାଣ୍ଡରେ ଲାଗିଲା ଗଛ

ନିର୍ମାଣ ହୋଇଛି ଅତ୍ୟାଧୁନିକ ସେଡ୍, ଭକ୍ତଙ୍କ ପଦପ୍ରକ୍ଷାଳନ ପାଇଁ ଆପେ ଆସିବ ପାଣି

ପୁରୀ : ବଦଳୁଛି ପୁରୀ, ସୁନ୍ଦର ଦିଶିଲାଣି ଶ୍ରୀକ୍ଷେତ୍ର। ଝଟକିଲାଣି ଶ୍ରୀମନ୍ଦିର, ସିଂହଦ୍ବାର ଶୋଭା। ଦଶନ୍ଧି ଦଶନ୍ଧି ଧରି ଶ୍ରୀମନ୍ଦିର ଶୋଭା ଯାହା ଥିଲା, ତାହା ଏବେ ଧୀରେ ଧୀରେ ବଦଳୁଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ହେବା ପରେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ଉଦ୍‌ଭାସିତ‌ ହେଉଛି। ଜବରଦଖଲ କରି ରଖିଥିବା ବ୍ୟବସାୟ ପ୍ରତିଷ୍ଠାନ, ଉଠା ଦୋକାନୀ, ଭିକାରିଙ୍କୁ ଆଉ ଶ୍ରୀମନ୍ଦିର ସିଂହଦ୍ବାରରେ ଦେଖିବାକୁ ମିଳୁ ନାହିଁ। ଭକ୍ତ, ଶ୍ରଦ୍ଧାଳୁ ସ୍ବଭାବିକ ଭାବେ ସିଂହଦ୍ବାର ଓ ମନ୍ଦିର ଚାରିପାଖରେ ଚଳପ୍ରଚଳ କଲେଣି। ଭକ୍ତ ମନ୍ଦିର ସମ୍ମୁଖରେ ବସି ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି। ନୀଳଚକ୍ରରେ ପ୍ରତ୍ୟହ ବନ୍ଧା ହେଉଥିବା ପତିତପାବନ ବାନା ବନ୍ଧାର ଦୃଶ୍ୟ ଦେଖି ଭାବବିହ୍ବଳ ବି ହେଉଛନ୍ତି।

ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଶୋଭା ଗତ କିଛି ଦିନ ଭିତ‌ରେ ଦ୍ବିଗୁଣିତ ହୋଇଛି। ମଠ ଭିତରେ ଲୁଚି ରହିଥିବା ଗୋଟିଏ ପରେ ଗୋଟିଏ ମନ୍ଦିର ଶ୍ରୀମନ୍ଦିର ସିଂହଦ୍ବାରର ସୌନ୍ଦର୍ଯ୍ୟ ବଢ଼ାଇ ଦେଇଛି। ଯାହା କେହି କେବେ ଚିନ୍ତା କରିନଥିଲେ ତାହା ଏବେ ପୁରୀରେ ଦେଖିବାକୁ ମିଳୁଛି। ବଡ଼ଦାଣ୍ଡ ସମ୍ମୁଖ ସିଂହଦ୍ବାରରେ ଏକ ଅତ୍ୟାଧୁନିକ ‌ସେଡ୍‌ ନିର୍ମାଣ କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ୫୦ ମିଟର ଦୂରରୁ ଭକ୍ତ ଧାଡ଼ି ଦର୍ଶନ ପାଇଁ ଏଭଳି ବନ୍ଦୋବସ୍ତ କରାଯାଇଛି। ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ଏହି ସେଡ୍‌କୁ ଯେପରି ଖୋଲାଯାଇ ପାରିବ ଓ ରଥ ସରିବା ପରେ ପୁଣି ସେଡ୍‌କୁ ତୁରନ୍ତ ପ୍ରସ୍ତୁତ କରାଯାଇ ପାରିବ ‌ସେଥିପାଇଁ ବଡଦାଣ୍ଡରେ ଗାତ କରାଯାଇ, ନଟ୍‌ ବୋଲଟ୍ ଖଞ୍ଜା ଯାଇ ଏହି ସେଡ୍‌ ନିର୍ମାଣ କରାଯାଇଛି।। । ଏଥି ସହିତ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସବୁଜିମା ‌ପାଇଁ ବ୍ୟବସ୍ଥା କରାଯାଇଛି। ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆଜିଠାରୁ ଗଛ ଲଗାଯାଇଛି। ତେବେ ଏହି ଗଛଗୁଡ଼ିକ ବଡ଼ ବଡ଼ କୁଣ୍ଡରେ ରଖାଯାଇଛି। ରଥ ସମୟରେ କୁଣ୍ଡ ସହିତ ଗଛକୁ ଯେମିତି ଅପସାରଣ କରାଯାଇପାରିବ ତା’ର ମଧ୍ୟ ବ୍ୟବସ୍ଥା ହୋଇଛି। ସିଂହଦ୍ବାର ସମ୍ମୁଖ ଏମାର ମଠ, ମଙ୍ଗୁ ମଠର ସ୍ଥାନର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ସେହିପରି ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପୂର୍ବରୁ ଭକ୍ତମାନେ ପଦ ପ୍ରକ୍ଷାଳନ ପାଇଁ କୂଅ ପାଖକୁ ଯାଉଥିଲେ। ଏବେ ଆଉ ସେଠାକୁ ଯିବାକୁ ପଡ଼ିବ ନାହିଁ। ପଦ ପ୍ରକ୍ଷାଳନ ପାଇଁ ସେଡ୍‌ ନିକଟରେ ଏକ ସ୍ପ୍ରେ ମେସିନ ରହିବ। ଧାଡ଼ିରେ ଠିଆ ‌ହୋଇଥିବା ବେଳେ ଭକ୍ତଙ୍କ ପଦ ପ୍ରକ୍ଷ‌ାଳନ ପାଇଁ ପାଣି ଆପେ ଆସିବ ବୋଲି ଯୋଜନା ହୋଇଛି।

ସମ୍ବନ୍ଧିତ ଖବର