ମା’ର ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିନ ପୁଅର ମୃତ୍ୟୁ, ଶୁଦ୍ଧି ହୋଇ ଫେରୁଥିବା ବେଳେ ଦୁର୍ଘଟଣା ନେଲା ଜୀବନ

ଯାଜପୁର: ମା’ର ବର୍ଷିକିଆ କର୍ମ ସାରି ନଦୀ ତୁଠରୁ ଶୁଦ୍ଧି ହୋଇ ଘରକୁ ଫେରୁଥିବା ପୁଅର ଦୁର୍ଘଟଣାରେ ଜୀବନ ଯାଇଛି। ଦୁଇଟି ବାଇକ ମଧ୍ୟରେ ଧକ୍କା ହେବାରୁ ଏପରି ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବରୀ ଥାନା ଅଧିନ ମାଳଦା ଗ୍ରାମର ହରିହର ସାହୁ(୪୫) ଆଜି ନିଜ ମା’ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଥିବାରୁ ନିକଟ ନୂଆ ନଦୀରୁ ଶୁଦ୍ଧି ହୋଇ ଘରକୁ ଫେରୁଥିବା ବେଳେ ବାଟରେ ମୃତ୍ୟୁ କବଳରେ ପଡ଼ିଛନ୍ତି। ସେ ନିଜର ବାଇକ ଯୋଗେ କୁସୁମପଡ଼ିିଆ ନଦୀ ପଠାରୁ ବରୀ-ବରୁହାଁ ମୁଖ୍ୟ ରାସ୍ତାକୁ ଉଠୁଥିବା ବେଳେ ବିପରୀତ ଦିଗରୁ ଆସୁୁଥିବା ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ହରିହର ସେଠାରେ ବାଇକରୁ ଛିଟିକି ପଡିଥିଲେ। ଅନ୍ୟ ବାଇକ ଆରୋହୀ ଜଣକ ଦ୍ରୁତ ବେଗରେ ମୋବାଇଲରେ କଥା ହୋଇଯାଉଥିବା ବେଳେ ସେ ମଧ୍ୟ ଦୁର୍ଘଟଣା ଘଟାଇବା ପରେ ଭାରସାମ୍ୟ ହରାଇ ତଳେ ପଡି ଯାଇଥିଲେ।

ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହରିହରଙ୍କ ମୁହଁ ଓ ମୁଣ୍ଡରେ ଭୀଷଣ ଆଘାତ ଲାଗିଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ବେଳେ ପରେ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକଙ୍କୁ ମଧ୍ୟ କଟକ ବଡ଼ ଡାକ୍ତରଖାନାକୁ ଅଣାଯାଇଥିଲା । କିନ୍ତୁ କଟକରେ ଚିକିତ୍ସାଧିନ ଅବସ୍ଥାରେ ହରିହରଙ୍କର ମୃତ୍ୟୁ ହୋଇଯାଇଥିଲା। ଏପରି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଦୁର୍ଘଟଣା ଘଟାଇଥିବା ଯୁବକର ପରିଚୟ ମିଳି ନ ଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଦୁଇଟି ବାଇକ୍‌କୁ ଜବତ କରି ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର