ଚାକିରିରେ ଥଇଥାନ ପାଇଁ ମେଡିକାଲ ସାର୍ଟିଫିକେଟ୍ ପ୍ରମାଣ ମାମଲା : ହାଇକୋର୍ଟଙ୍କ ଆଦେଶକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବିଭାଗୀୟ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ତଥା ଚାକିରିରେ ଥଇଥାନ ପାଇଁ ମେଡିକାଲ ସାର୍ଟିଫିକେଟ୍‌କୁ ପ୍ରମାଣ ରୂପେ ବିଚାର କରାଯିବାକୁ ନେଇ ଗଣେଶ ଚନ୍ଦ୍ର ସାହୁଙ୍କ ସପକ୍ଷରେ ହାଇକୋର୍ଟଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ରାୟକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଡି ଓ୍ୱାଇ ଚନ୍ଦ୍ରଚୁଡ଼ ଏବଂ ହୃଷିକେଶ ରାୟଙ୍କ ଖଣ୍ଡପୀଠ ଓଏସଏପି ଚତୁର୍ଥ ବାଟାଲିୟନରେ ରାଉରକେଲାରେ କାର୍ଯ୍ୟରତ ଗଣେଶ ଚନ୍ଦ୍ର ସାହୁଙ୍କ ମାମଲାରେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଦ୍ବାରା ପ୍ରଦାନ କରାଯାଇଥିବା ରାୟରେ ଓଡ଼ିଶା ହାଇକୋର୍ଟ ହସ୍ତକ୍ଷେପ କରିବାର ନଥିଲା ବୋଲି କହିଛନ୍ତି। ଗଣେଶ ଚନ୍ଦ୍ର ସାହୁ ମେ’ ୨୫, ୧୯୯୧ରୁ ଜୁନ ୪,୧୯୯୧ ପର୍ଯ୍ୟନ୍ତ ତାଙ୍କ ମା’ଙ୍କ ଅସୁସ୍ଥତା ଯୋଗୁଁ ଛୁଟି ନେଇ ଯାଇଥିଲେ। ଗାଁକୁ ଯିବା ପରେ ସେ ସେରିବ୍ରାଲ ମ୍ୟାଲେରିଆ ରେ ଆକ୍ରାନ୍ତ ହେଲେ ଏବଂ ଡାକ୍ତରମାନେ ତାଙ୍କୁ ଦୁଇ ମାସର ବିଶ୍ରାମ ପାଇଁ ପରାମର୍ଶ ଦେବା ପରେ ସେ ଛୁଟି ପାଇଁ ଆବେଦନ କରିଥିଲେ। ଓଏସଏପି ଚତୁର୍ଥ ବାଟାଲିୟନର କମାଣ୍ଡେଣ୍ଟଙ୍କ ଦ୍ବାରା ତାଙ୍କୁ କଟକ ସିଡିଏମ ଙ୍କ ଠାରୁ ମେଡିକାଲ ସାର୍ଟିଫିକେଟ୍ ଆଣିପା ପାଇଁ କୁହାଯାଇଥିଲା। ହେଲେ ସେ ମେଡିକାଲ ପରୀକ୍ଷା ପାଇଁ ଆସିନଥିଲେ। ବିଭାଗ ପକ୍ଷରୁ ତାଙ୍କୁ ଦୁଇଥର ଯୋଗାଯୋଗ କରାଯାଇଥିଲା। ସେଥିରେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ। ଏହାପରେ ମାର୍ଚ୍ଚ ୧୩, ୧୯୯୨ରେ ବିଭାଗ ପକ୍ଷରୁ ୭ ଦିନ ଭିତରେ ମେଡିକାଲ ପରୀକ୍ଷା ରିପୋର୍ଟ ପ୍ରଦାନ ନିର୍ଦ୍ଦେଶ ଦିଆଯିବା ସହିତ, ଯଦି ଏହି ସମୟ ଅବଧିରେ ସେ ମେଡିକାଲ ରିପୋର୍ଟ ପ୍ରଦାନ କରିପାରିବେ ନାହିଁ ତାହାଲେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଡିସେମ୍ବର ୩୦, ୧୯୯୩ରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା।

ବହିଷ୍କାର ହେବାର ୪ ବର୍ଷ ପରେ ସେ ସରକାରଙ୍କ ନିକଟରେ ଚାକିରି ପାଇଁ ଦ୍ବାରସ୍ଥ ହୋଇଥିଲେ। ସେହି ଆବେଦନ ମଧ୍ୟ ଫେବ୍ରୁଆରି ୧୯, ୨୦୦୦ରେ ଖାରଜ ହୋଇଯାଇଥିଲା। ଏହାର ୧୦ ବର୍ଷ ପରେ ସେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲରେ ତାଙ୍କର ବହିଷ୍କାର ବିରୁଦ୍ଧରେ ଚ୍ୟାଲେଞ୍ଚ କରିଥିଲେ। ଆବେଦନରେ ସେ ମାନସିକ ରୋଗରେ ଜୁନ ୩, ୧୯୯୧ରୁ ଜାନୁଆରୀ ୨୧, ୧୯୯୮ ପର୍ଯ୍ୟନ୍ତ ପୀଡ଼ିତ ଥିବା ଦର୍ଶାଇ ମେଡିକାଲ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। କିନ୍ତୁ ମେଡିକାଲ ସାର୍ଟିଫିକେଟ୍ରେ ନିର୍ଦ୍ଦିଷ୍ଟ ମାନସିକ ରୋଗ ସମ୍ପର୍କରେ କିଛି ଉଲ୍ଲେଖ ନଥିବା ଯୋଗୁଁ ଟ୍ରିବ୍ୟୁନାଲ ତାଙ୍କର ଆବେଦନ ଉପରେ ସନ୍ଦେହ ବ୍ୟକ୍ତ କରି ମାମଲାକୁ ଖାରଜ କରିଦେଇଥିଲେ। ଏହା ପରେ ସେ ଟ୍ରିବ୍ୟୁନାଲ ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ଡାକ୍ତରଙ୍କ ଦ୍ବାରା ଦିଆଯାଇଥିବା ମେଡିକାଲ ସାର୍ଟିଫିକେଟକୁ ଗ୍ରହଣଯୋଗ୍ୟ ବୋଲି ଗଣେଶଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି, ହାଇକୋର୍ଟ ଏହି ମାମଲାରେ ଜଣେ ବିଶେଷଜ୍ଞ ଡାକ୍ତରଙ୍କ ମେଡିକାଲ ସାର୍ଟିଫିକେଟକୁ ବିଚାର କରି ଅଭିଯୋଗକାରୀଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ଉଚିତ ନଥିଲା। ଟ୍ରିବ୍ୟୁନାଲଙ୍କ ଦ୍ବାରା ମେଡିକାଲ ସାର୍ଟିଫିକେଟ୍ ଉପରେ ସନ୍ଦେହ ବ୍ୟକ୍ତ କରାଯାଇଥିଲା ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ବରିଷ୍ଠ ଆଇନଜୀବୀ ଡକ୍ଟର ଏ. ପୂଜାରୀ ଏହି ମାମଲାର ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର