ଠିଆ ହୋଇଥିବା ଟ୍ରକ୍‌କୁ ଧକ୍କା ଦେଲା ମାଛ ବୋଝେଇ ଟ୍ରକ୍‌, ଲୋକେ ବୋହି ନେଲେ ମାଛ

ଡ୍ରାଇଭର୍ ଗୁରୁତର

ସୋର: ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ସୋର ନିକଟରେ ଏକ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ସୋର ଥାନା ଅନ୍ତର୍ଗତ ତଳନଗର ନିକଟରେ ଆଜି ଭୋର୍ ସମୟରେ ଏକ ଟ୍ରକ୍‌ ଠିଆ ହୋଇଥିଲା। ସେହି ଟ୍ରକକୁ ଆନ୍ଧ୍ରରୁ କୋଲକତା ଅଭିମୁଖେ ଯାତ୍ରା କରୁଥିବା ଗୋଟିଏ ମାଛ ବୋଝେଇ ଟ୍ରକ୍‌  ଅନ୍ୟ ଏକ ମାଛ ବୋଝେଇ ଟ୍ରକ୍‌କୁ ପଛପଟୁ ଜୋରରେ ପିଟିଥିଲା। ଏହି ଦୁର୍ଘଟଣା ଘଟିବା ଫଳରେ ଡ୍ରାଇଭରଜଣକ ଗୁରୁତର ଆହତ ହୋଇଥିଲେ।

ଏହି  ସମୟରେ ମାଛ ଟ୍ରକରେ ଥିବା ମାଛ ପ୍ୟାକେଟଗୁଡ଼ିକ ଇତସ୍ତତଃ ହୋଇ ରାସ୍ତା ଉପରେ ଖେଳେଇ ହୋଇ ପଡ଼ି ଯାଇଥିଲା। ଏଥି ମଧ୍ୟରୁ  ପ୍ରାୟ ୨୦ ମାଛ ପେଟି ଆଖପାଖରେ ଥିବା ଲୋକ  ବୋହି ନେଇଥିଲେ। । ଖବର ପାଇ ସୋର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିବା ସହ ତଦନ୍ତ କରିଥିବା ଜଣାଯାଇଛି। ଏଣେ ଗୁରୁତର ଡ୍ରାଇଭରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସୋର ଥାନା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଉଲ୍ଲେଖଯୋଗ୍ୟ, ଗତ ଭାରତ ବନ୍ଦ ସମୟରେ ରାଉରକେଲାରେ ଏକ ମାଛ ବୋଝେଇ ଭ୍ୟାନ୍ ଓଲଟି ପଡ଼ିଥିଲା ଓ ରାସ୍ତାରେ ମାଛ ବିଛାଡ଼ି ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକ ଏହାର ସୁଯୋଗ ନେଇ ପୁଲିସ ଆସିବା ପୂର୍ବରୁ ମାଛ ବୋହି ନେଇଥିଲେ।

ସମ୍ବନ୍ଧିତ ଖବର