ଦିଲ୍ଲୀ ହିଂସା ପ୍ରତିବାଦରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ରାଜ୍ୟବ୍ୟାପି କଂଗ୍ରେସର ବିରୋଧ

ଭୁବନେଶ୍ବର:  ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗ ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ  ଆସିଥିବା ସମୟରେ ତାଙ୍କୁ ରାଜ୍ୟବ୍ୟାପି ବିରୋଧ କରିଛି ରାଜ୍ୟ କଂଗ୍ରେସ । ଦିଲ୍ଲୀ ହିଂସାକାଣ୍ଡ ଲାଗି  ଶାହାଙ୍କୁ ଦାୟୀ କରି ତାଙ୍କର ଓଡିଶା ଗସ୍ତକୁ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ ଓ ନେତା ।

ରାଜ୍ୟର ବିଭିନ୍ନ ସ୍ଥାନରେ ‘‌ଗୋ ବ୍ୟାକ୍ ଶାହା’ ପୋଷ୍ଟର ପ୍ରଦର୍ଶନ କରିବା ସହ କୁଶପୁତ୍ତଳିକା ଦାହ କରିଛନ୍ତି । ଆଜି ଲୋକସେବା ଭବନରେ ଶାହା  ବୈଠକ କରୁଥିବା ସମୟରେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନରେ କଂଗ୍ରେସ କର୍ମୀ ଶାହାଙ୍କ ଗସ୍ତକୁ ନେଇ ବିରୋଧ କରିଛନ୍ତି ।  ଭୁବନେଶ୍ୱର ସମେତ ବାଲେଶ୍ୱର, ମାଲକାନଗିରି, ରାୟଗଡା ଏବଂ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି ଶାହାଙ୍କ ଓଡିଶା ଗସ୍ତକୁ  ବିରୋଧର ଚିତ୍ର ।

ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାହାଙ୍କ ଏହି ଗସ୍ତକୁ ବିରୋଧ କରାଯାଇଛି । ଶାହାଙ୍କ ବିରୋଧରେ ଜିଲ୍ଲା କଂଗ୍ରେସର ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ପ୍ରତିବାଦ ସଭା ହୋଇଛି । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହି ପ୍ରତିବାଦ ରାଲିରେ ଭଦ୍ରକ ଜିଲ୍ଲା କଂଗ୍ରେସର ଶତାଧିକ କର୍ମୀ ଓ ନେତା ସାମିଲ ହୋଇ ଶାହାଙ୍କ ବିରୋଧରେ ନାରାବାଜି କରିଛନ୍ତି । ଦେଶର ଗୃହମନ୍ତ୍ରୀଙ୍କ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ବୟାନକୁ ବିରୋଧ କରି ଭଦ୍ରକ କଂଗ୍ରେସ ଏହି ବିରୋଧ କରିଛି । ସେହିପରି ବାଲେଶ୍ୱରରେ ମଧ୍ୟ ଶାହାଙ୍କ ଗସ୍ତକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ଓ କୁଶପୁତ୍ତଳିକା ଦାହ କରାଯାଇଛି ।

ସେହିଭଳି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରି ଆଠଗଡ଼ କଂଗ୍ରେସ ତରଫରୁ ପୁରୁଣା ବସଷ୍ଟାଣ୍ଡଠାରେ ଅମିତ ଶାହାଙ୍କ କୁଶ ପୁତ୍ତଳିକା ଦାହ କରାଜାଇଛି । ଦିଲ୍ଲୀରେ ହୋଇଥିବା ଦଙ୍ଗା ଘଟଣାରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଇସ୍ତଫା ଦାବି କରି କଂଗ୍ରେସ ତରଫରୁ ବିକ୍ଷୋଭ କରାଯାଇଛି।

ରାୟଗଡାରେ ମଧ୍ୟ ଶାହାଙ୍କ ଓଡିଶା ଗସ୍ତ ନେଇ ବିରୋଧର ଚିତ୍ର ସାମ୍ନାକୁ ଆସିଛି । କଂଗ୍ରେସ୍ ପକ୍ଷରୁ ଶତାଧିକ କର୍ମୀ ଏସପି ଅଫିସ କାର୍ୟ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗୁଜୁରାଟ୍ ଦଙ୍ଗା ପରି ଦିଲ୍ଲୀରେ ଯେଉଁ ଦଙ୍ଗା ଘଟିଲା ଓ ୩୮ ଜଣ ମୃତ୍ୟୁବରଣ କଲେ ସେଥିପାଇଁ ଗୃହ ମନ୍ତ୍ରୀ ଅମିତ୍ ଶାହା ହିଁ ଦାୟୀ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଏହାର ପ୍ରତିବାଦରେ ଅମିତ୍ ଶାହାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ସମ୍ବନ୍ଧିତ ଖବର