‘କରୋନା ବିଅର୍’ର ୧୭୦ ନିୟୁତ ଡଲାର କ୍ଷତି
ନୂଆଦିଲ୍ଲୀ: କରୋନା ଭୂତାଣୁ ସହିତ ଯଦିଓ କୌଣସି ସମ୍ପର୍କ ନାହିଁ କିନ୍ତୁ ନାମଟି କରୋନା ହୋଇଥିବାରୁ ବିଶ୍ବର ଏକ ପ୍ରମୁଖ ବିଅର ବ୍ରାଣ୍ଡ୍ ଦୁଇ ମାସ ଭିତରେ ବିପୁଳ କ୍ଷତି ସହିଲାଣି। ଚୀନ୍ରେ କରୋନା ଭୂତାଣୁ ବ୍ୟାପିବା ଦିନ ଠାରୁ କରୋନା ବିଅର ବିକ୍ରି ବହୁତ କମିଯାଇଛି। ସେଥିପାଇଁ ମେକ୍ସିକୋର ଏହି କଂପାନି ୧୭୦ ନିୟୁତ ଡଲାରର କ୍ଷତି ସହିଲାଣି। ବିଅରର ନାମ କରୋନା ହୋଇଥିବାରୁ ଲୋକମାନେ ଏହା ଠାରୁ ଦୂରେଇ ଯାଇଛନ୍ତି। କରୋନା ବିଅରକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ମିମ୍ସ ଓ ଭିଡିଓ ସେୟାର କରାଯାଉଛି। କରୋନା ବିଅର ହେଉଛି ଆମେରିକାର ତୃତୀୟ ସର୍ବାଧିକ ଲୋକପ୍ରିୟ ବିଅର। ଏବେ କିନ୍ତୁ ଏହା ଠାରୁ ବିଅରପ୍ରେମୀମାନେ ମୁହଁ ଫେରାଇ ନେଉଛନ୍ତି। କରୋନା ହେଉଛି ଏକ ଲାଟିନ୍ ଭାଷାର ଶବ୍ଦ। ଏହାର ଅର୍ଥ ହେଉଛି ମୁକୁଟ। ବୈଜ୍ଞାନିକମାନେ ଯେତେବେଳେ ମାଇକ୍ରୋସ୍କୋପ୍ରେ କରୋନା ଭୂତାଣୁକୁ ଦେଖିଥିଲେ ତାହା ଏକ ମୁକୁଟ ଭଳି ଦେଖାଯାଇଥିଲା। ସେଥିପାଇଁ ତାହାର ନାମ କରୋନା ଭୂତାଣୁ ରଖାଯାଇଛି।