ଜାଦେଜାଙ୍କୁ ଅନୁମତି ଦେଲାନି ବିସିସିଆଇ, ରଣଜୀ ଫାଇନାଲ୍‌ ଖେଳିବେ ପୂଜାରା

ରାଜକୋଟ: ଟେ‌ଷ୍ଟ ବିଶେଷଜ୍ଞ ଚେତେଶ୍ବର ପୂଜାରା ଚଳିତ ଋତୁର ରଣଜୀ ଟ୍ରଫି ଫାଇନାଲ୍‌ ଖେଳିବେ। ସୋମବାରଠୁ ବେଙ୍ଗଲ ବିପକ୍ଷରେ ସୌରାଷ୍ଟ୍ର ଫାଇନାଲ୍‌ ଖେଳିବ। ତେଣୁ ସୌରାଷ୍ଟ୍ର ପକ୍ଷରୁ ପୂଜାରା ଫାଇନାଲ୍‌ରେ ଖେଳିବେ ବୋଲି ଶନିବାର ସ୍ପଷ୍ଟ କରାଯାଇଛି। ଶନିବାର ତାରକା ଦ୍ରୁତ ବୋଲର ଜୟଦେବ ଉନାଦ୍‌କଟ୍‌ଙ୍କ ନେତୃତ୍ବରେ ସୌରାଷ୍ଟ୍ରର ୧୭ ଜଣିଆ ଦଳ ଘୋଷିତ ହୋଇଥିଲା ବେଳେ ପୂଜାରାଙ୍କ ନାମ ସାମିଲ ଅଛି। ଏହି ଫାଇନାଲ୍‌ କାନ୍ଧେରୀସ୍ଥିତ ସୌରାଷ୍ଟ୍ର କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଯାହାକି ଏହି ଷ୍ଟାଡିୟମ୍‌ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଫାଇନାଲ୍‌ ଆୟୋଜନ କରିବ। ଭାରତ ପକ୍ଷରୁ ୭୭ ଟେଷ୍ଟ୍‌ ଖେଳିଥିବା ପୂଜାରା ନିକଟରେ ନ୍ୟୁଜିଲାଣ୍ଡ ଗସ୍ତରୁ ଫେରିଛନ୍ତି। ନ୍ୟୁଜିଲାଣ୍ଡ ଗସ୍ତରେ ସେ ସନ୍ତୋଷଜନକ ପ୍ରଦର୍ଶନ କରିପାରିନଥିଲେ। ୪ ପାଳିରୁ ମୋଟ ୧୦୦ ରନ୍‌ କରିଥିଲେ। ୱେଲିଂଟନ୍‌ ଟେଷ୍ଟରେ ୧୧ ଓ ୧୧ ଏବଂ ଖ୍ରିଷ୍ଟଚର୍ଚ୍ଚ ଟେଷ୍ଟ୍‌ରେ ୫୪ ଓ ୨୪ ରନ୍‌ କରିଥିଲେ। ତଥାପି ଗୁଜରାଟକୁ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିବା ପରଠୁ ନ୍ୟୁଜିଲାଣ୍ଡ୍‌ ଗସ୍ତରେ ଥିବା ପୂଜାରାଙ୍କ ସହ ସେ ସଂପର୍କ ରଖିଥିଲେ ବୋଲି ଉନାଦ୍‌କଟ୍‌ କହିଛନ୍ତି। ତେବେ ଅନ୍ୟତମ ସୌରାଷ୍ଟ୍ର ତାରକା ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ମଧ୍ୟ ଫାଇନାଲ୍‌ ପାଇଁ ଦଳ ଚାହୁଁଥିଲା। ହେଲେ ବିସିସିଆଇ ଜାଦେଜାଙ୍କୁ ଖେଳିବାକୁ ଅନୁମତି ଦେଇନାହିଁ। ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜାଦେଜାଙ୍କୁ ରଣଜୀ ଫାଇନାଲ୍‌ ଖେଳିବାକୁ ସୁଯୋଗ ଦେଇନି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ଧର୍ମଶାଳାରେ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବାକୁ ଥିଲା ବେଳେ ଜାଦେଜା ଭାରତୀୟ ଦଳରେ ସାମିଲ ହେବାର ସମ୍ଭାବନା ଅଧିକ ରହିଛି। ତେଣୁ ଜାତୀୟ ଦଳରେ ସ୍ଥାନ ପାଇଲେ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ରଣଜୀ ଟ୍ରଫି ଫାଇନାଲ୍‌ରେ ଖେଳିବା ଅସମ୍ଭବ ବୋଲି ବିସିସିଆଇ କହିଛି। ଆଗ ଜାତୀୟ ଦାୟିତ୍ବ ବୋଲି କହି ବିସିସିଆଇ ଜାଦେଜାଙ୍କ ଖେଳିବା ଅନୁମତିକୁ ପ୍ରତ୍ୟାଖ୍ୟାନ କରିଦେଇଛି।

ସମ୍ବନ୍ଧିତ ଖବର