ପ୍ରେମ ଜାଲରେ ଫସାଇ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି! ସପ୍ତାହକ ପରେ ଉଦ୍ଧାର

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ଯୁବତୀ ଚାଲାଣ। ବିବାହର ପ୍ରଲୋଭନ ଦେଖାଇ ଦିଲ୍ଲୀରେ ବିକ୍ରି କରି ଦେଇଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ସାମାଜିକକର୍ମୀ ଚାନ୍ଦମଣି ସାଣ୍ଡିଲଙ୍କ ସହଯୋଗ ପାଇଁ ଯୁବତୀ ଜଣଙ୍କ ଦିଲ୍ଲୀରୁ ଉଦ୍ଧାର ହୋଇ ନିଜ ଗାଁକୁ ଫେରିଛନ୍ତି। ଆଜି ଚାନ୍ଦିପୋଷ ପୁଲିସ ପରିବାର ଲୋକଙ୍କ ଆଗରେ ଉଦ୍ଧାର ଯୁବତୀଙ୍କ ବୟାନ ରେକର୍ଡ କରିଛନ୍ତି। ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହ ଦଲାଲ ପ୍ରେମିକଙ୍କୁ ଧରିବାକୁ ତଦନ୍ତ ଚଳାଇଛି।

ସାମାଜିକ କର୍ମୀ ଚାନ୍ଦମଣିଙ୍କ କହିବାନୁଯାୟୀ ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁଚେତା ପଞ୍ଚାୟତ ଅନ୍ତର୍ଗତ ହାତୀଅଡା ତୁରିଟୋଲାର ଯୁବତୀଙ୍କୁ ସ୍ଥାନୀୟ ଅଞ୍ଚଳରେ ଜଣେ ଦଲାଲ ପ୍ରେମିକ ଭଲ ପାଉଥିଲେ। ଦଲାଲ ପ୍ରେମିକ ଗତ ୨ରେ ଯୁବତୀଙ୍କୁ ଚମ୍ପାଝରଣ ମନ୍ଦିରକୁ ବିବାହ କରିବାକୁ ଡାକିଥିଲେ। କିନ୍ତୁ ଯୁବତୀ ଜଣଙ୍କ ମନ୍ଦିରକୁ ଆସିବାକୁ ଅରାଜି ହୋଇଥିଲେ। ପରଦିନ ଅର୍ଥାତ୍‌ ୩ରେ ଯୁବତୀଙ୍କୁ ବୁଝାସୁଝା କରି ମନ୍ଦିରକୁ ଆଣିବାକୁ ଜଣେ ମହିଳା ଦଲାଲଙ୍କୁ ପଠାଇଥିଲେ। ମହିଳା ଜଣଙ୍କ ବୁଝାସୁଝା କରି ଯୁବତୀଙ୍କୁ ମନ୍ଦିରକୁ ଆଣିଥିଲେ। ପରେ ବିବାହର ଲୋଭ ଦେଖାଇ ଦଲାଲ ପ୍ରେମିକ ଯୁବତୀଙ୍କୁ ରାଉରକେଲା ଷ୍ଟେସନକୁ ନେଇ ଆସିଥିଲେ। ସେଠାରୁ ଉତ୍କଳ ଏକ୍ସପ୍ରେସ୍‌ ‌ଯୋଗେ ଦୁହେଁ ଦିଲ୍ଲୀ ଯାଇଥିଲେ। ଦିଲ୍ଲୀରେ ପହଞ୍ଚିବା ପରେ ଯୁବତୀଙ୍କୁ ମଞ୍ଜରିବାଗ୍‌ରେ ଏକ ଦଲାଲକୁ ବର୍ଷକ ପାଇଁ ବିକି ଦେଇ ଟଙ୍କା ଧରି ସେଠାରୁ ଫେରାର ହୋଇ ଯାଇଥିଲେ। ଦଲାଲ ଯୁବତୀଙ୍କୁ ସେଠାରେ ଜଣେ ବ୍ୟବସାୟୀଙ୍କ ଘରେ କାମରେ ଲଗାଇ ଦେଇଥିଲେ। ଦଲାଲ ପ୍ରେମିକଙ୍କୁ ଘଟଣା ସଂକ୍ରାନ୍ତରେ କହିବାକୁ ଯୁବତୀ ଫୋନ୍‌ କରିଥିଲେ। କିନ୍ତୁ ପ୍ରେମିକ ଜଣକ ଫୋନ୍‌ ଉଠାଇ ନଥିଲେ। ଶେଷରେ ଯୁବତୀ ଏ ସଂକ୍ରାନ୍ତରେ ତାଙ୍କ ପରିବାରକୁ ଫୋନ୍‌ କରି ଜଣାଇଥିଲେ। ଝିଅକୁ ବିକ୍ରି କରି ଦିଆଯାଇଥିବା ଜାଣିବା ପରେ ପରିବାର ଲୋକ ଗତ ୬ରେ ଚାନ୍ଦିପୋଷ ଥାନାରେ ଲିଖିତ ଦେଇଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେବାରୁ ପରିବାର ଲୋକ ଗତ ୮ରେ ସାମାଜିକ କର୍ମୀ ଚାନ୍ଦମଣି ସାଣ୍ଡିଲକୁ ଭେଟି ସମସ୍ତ କଥା କହିଥିଲେ। ଚାନ୍ଦମଣି ଦିଲ୍ଲୀରେ ସାମାଜିକ ସଂସ୍ଥାରେ କାମ କରୁଥିବା ମହିଳାଙ୍କ ସହ ଯୋଗଯୋଗ କରି କରିଥିଲେ। ଗତ ୯ରେ ସାମାଜିକ ସଂସ୍ଥାର ମହିଳାମାନେ ମଞ୍ଜରିବାଗ୍‌ରେ ପହଞ୍ଚି ସ୍ଥାନୀୟ ପୁଲିସ ସହାୟତାରେ ଯୁବତୀଙ୍କୁ ଉଦ୍ଧାର କରି ଉତ୍କଳ ଏକ୍ସପ୍ରେସ୍‌ରେ ବସାଇ ଦେଇଥିବା ପରିବାର ଲୋକଙ୍କୁ କହିଥିଲେ। ଗତକାଲି ସଂଧ୍ୟାରେ ପରିବାର ଲୋକ ରାଉରକେଲା ଷ୍ଟେସନରେ ପହଞ୍ଚି ଯୁବତୀଙ୍କୁ ଘରକୁ ଆଣିଥିଲେ।

ସମ୍ବନ୍ଧିତ ଖବର