ଢିଲା ରାଜନୀତି

ଗଲା ଶତାବ୍ଦୀର ସପ୍ତମ ଦଶକରେ ଭାରତରେ ‘ଇମର୍ଜେନ୍‌ସି’ ଜାରି ହୋଇଥିବା କାଳରେ ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ଭାରତୀୟ ଜନସ˚ଘର ନେତ୍ରୀ (ରାଜମାତା) ବିଜୟରାଜେ ସିନ୍ଧିଆଙ୍କୁ ଜେଲରେ ପୂରାଇ ଦିଆଯାଇଥିଲା, ସେତିକି ବେଳେ ତାଙ୍କର ଏକମାତ୍ର ପୁତ୍ର ମାଧବ ରାଓ ସିନ୍ଧିଆ ନିଜ ମା’ ଓ ତାଙ୍କ ଦଳକୁ ପରିତ୍ୟାଗ କରି ତାର ଦୁଇ ବର୍ଷ ପରେ ଇନ୍ଦିରା ଗାନ୍ଧୀଙ୍କ କ˚ଗ୍ରେସରେ ଯୋଗ ଦେଇଥିଲେ। ଏହା ଅବଶ୍ୟ ଏକ ଭିନ୍ନ ପ୍ରସଙ୍ଗ ଯେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ଅକାଳ ମୃତ୍ୟୁ ହେଲା ବେଳକୁ ମାଧବ ରାଓ କ˚ଗ୍ରେସରେ ଜଣେ ଓଜନିଆ ନେତାରେ ପରିଣତ ହୋଇପାରିଥିଲେ; କିନ୍ତୁ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା ‘ଇମର୍ଜେନ୍‌ସି’ ପରେ ଜେଲରୁ ଖଲାସ ହେବା ଉତ୍ତାରୁ ଗଣମାଧୢମକୁ ସାକ୍ଷାତକାର ଦେଇ ବିଜୟରାଜେ କହିଥିଲେ ଯେ ମାଧବ ରାଓ ତାଙ୍କୁ ଛାଡ଼ି ଦେବାରେ ତାଙ୍କର ଆପତ୍ତି ନାହିଁ, କିନ୍ତୁ ତାଙ୍କ ଗିରଫଦାରି ଦେଖି ମାଧବ ଯେମିତି ଭୟରେ ଦୌଡ଼ି ପଳାଇଗଲା, ତାହା ଲଜ୍ଜାଜନକ। ଏହି ଘଟଣା ଘଟିବାର ଚାରି ଦଶକରୁ କିଛି ଅଧିକ କାଳ ପରେ ଯେତେବେଳେ ମାଧବ ରାଓଙ୍କ ପୁତ୍ର ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କ ଜେଜେମା’ ଗଢ଼ିଥିବା ଓ ଆଜୀବନ ସଦସ୍ୟ ରହିଥିବା ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି, ସେତିକି ବେଳେ ସ୍ବାଭାବିକ ଭାବେ ମନରେ ପ୍ରଶ୍ନ ଉଠିଥାଏ ଯେ ଯଦି ଆଜି ରାଜମାତା ଜୀବିତ ଥାଆନ୍ତେ, ତେବେ ତାଙ୍କର ପ୍ରତିକ୍ରିୟା କିଭଳି ହୁଅନ୍ତା? ବାଟ ହୁଡ଼ି ଯାଇଥିବା ପୁଅ ଘରକୁ ଫେରିଛି ବୋଲି ହୁଏ’ତ ସେ ବିଚାର କରିଥାଆନ୍ତେ, ଯାହାର ପ୍ରତିଧ୍ବନି ବିଜେପିର ରାଷ୍ଟ୍ରୀୟ ଅଧୢକ୍ଷ ଜେପି ନାଡାଙ୍କ ବକ୍ତବ୍ୟରେ ଶୁଣିବାକୁ ମିଳିଛି, ଯହିଁରେ ସେ ଜ୍ୟୋତିରାଦିତ୍ୟଙ୍କ ବିଜେପିରେ ଯୋଗଦାନକୁ ପରିବାରର ଜଣେ ସଦସ୍ୟଙ୍କ ପ୍ରତ୍ୟାବର୍ତ୍ତନ ରୂପେ ଅଭିହିତ କରିଛନ୍ତି। କିନ୍ତୁ ଏହି ଘଟଣା ସ˚ପ୍ରତି ଯେଉଁଭଳି ଚର୍ଚ୍ଚା ଓ ବିତର୍କକୁ ଜନ୍ମ ଦେଇଛି, ତାହାର କିଞ୍ଚିତ ଆଲୋଚନା ଆବଶ୍ୟକ।

ଏକ ପ୍ରଶ୍ନ ଉଠିଥାଏ ଯେ ୨୦୧୪ ଏବ˚ ୨୦୧୯ର ନିର୍ବାଚନରେ ବିଜେପି ଦ୍ବାରା ପରାଜିତ ହୋଇ କ୍ଷମତା ଅଳିନ୍ଦରୁ ବହିଷ୍କୃତ ହେବାର ମାତ୍ର ଛଅ ବର୍ଷ ମଧୢରେ କ˚ଗ୍ରେସ ଭଳି ଏକ ପୁରୁଣା ଓ ବିଶାଳ ଦଳ ମୁମୂର୍ଷୁପ୍ରାୟରେ ପରିଣତ ହୋଇ ନିଜର ମାଧ୍ୟାକର୍ଷଣ ହରାଇ ବସିଛି କାହିଁକି? ଅନେକ କହନ୍ତି ଯେ ବିବର୍ତ୍ତନ କ୍ରମରେ ପରିବର୍ତ୍ତନ ସହିତ ଖାପ ଖୁଆଇ ପାରି ନ ଥିବା ଅତିକାୟ ଡାଇନସୋର ବିଲୁପ୍ତ ହୋଇଗଲା ଭଳି ସ୍ଥିତି କ˚ଗ୍ରେସର ହୋଇଛି। ସେଭଳି ହୋଇ ନ ଥିଲେ ୨୦୧୯ ନିର୍ବାଚନରେ ପ୍ରାୟ ୧୩ କୋଟି ଭୋଟ ହାସଲ କରି ପାରିଥିବା ସତ୍ତ୍ବେ କ˚ଗ୍ରେସ ଭୂପତିତ ଅବସ୍ଥାରୁ ପୁନଶ୍ଚ ଛିଡ଼ା ହେବା ଲାଗି ଶକ୍ତି ଜୁଟାଇ ପାରୁ ନ ଥିବା ଭଳି ପ୍ରତୀୟମାନ ହୁଅନ୍ତା କାହିଁକି? ତେବେ ଏହାର ଗୋଟିଏ ବଡ଼ କାରଣ ହୋଇପାରେ କ˚ଗ୍ରେସର ‘ଢିଲା ରାଜନୀତି’, ଯାହା ୨୦୦୪ରୁ ୨୦୧୪ ମଧୢବର୍ତ୍ତୀ ଏକ ଦଶନ୍ଧିର କ˚ଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର କାଳରେ ମଧୢ ଦୃଶ୍ୟମାନ ହୋଇଥିଲା। ଦେଖିବାକୁ ମିଳିଲା ଯେ କ˚ଗ୍ରେସ ନେତୃତ୍ବର ମଙ୍ଗ ଧରିଥିବା ସୋନିଆ ଏବ˚ ରାହୁଳ ଗାନ୍ଧୀ ୟୁପିଏ ସରକାରରେ କୌଣସି ମନ୍ତ୍ରୀ ପଦର ଦାୟିତ୍ବ ନ ନେଇ ତଥା ସରକାର ବାହାରେ ରହି ରାଷ୍ଟ୍ର ଶାସନକୁ ପ୍ରଭାବିତ କରିବାର ଉଦ୍ୟମ କଲେ। ଏହା ଯେଉଁ ବାର୍ତ୍ତାଟି ପ୍ରେରଣ କଲା, ତାହା ଥିଲା ଏହା ଯେ କ˚ଗ୍ରେସର ନେତୃତ୍ବ ସମ୍ମୁଖ ଭାଗରେ ରହି ଯୁଦ୍ଧ କରିବାର ଗୁରୁ ଦାୟିତ୍ବ ନେବାକୁ ପ୍ରସ୍ତୁତ ନୁହେଁ। କ˚ଗ୍ରେସ ଭାବମୂର୍ତ୍ତିର ଅବକ୍ଷୟ ଏହିଭଳି ଏକ ହାଲୁକା ରାଜନୈତିକ ଆଭିମୁଖ୍ୟରୁ ହିଁ ସୂତ୍ରପାତ ହୋଇଥିଲା। ଏମିତି ଏକ ସ୍ଥିତିରେ ଲଗାତାର ଦୁଇ ଥର ନିର୍ବାଚନରେ ପରାଜୟ ହାସଲ କରି ସାରିବା ପରେ କ˚ଗ୍ରେସ ସକାଶେ ଯାହା ଅତ୍ୟନ୍ତ ଆବଶ୍ୟକ ଥିଲା, ତାହା ହେଉଛି ଏକ ଆକ୍ରମଣାତ୍ମକ ତଥା ଗାମ୍ଭୀର୍ଯ୍ୟଭରା ରାଜନୀତି। କିନ୍ତୁ ଦୁର୍ଭାଗ୍ୟକୁ ତାହା ଏ ଯାବତ୍‌ ପରିଦୃଷ୍ଟ ହୋଇନାହିଁ। ଏହି କାରଣରୁ ଦଳର କାର୍ଯ୍ୟଧାରାରେ ପରିବର୍ତ୍ତନ ଆଶାୟୀ ତରୁଣ ବର୍ଗ ଧୈର୍ଯ୍ୟହରା ହେଉଥିବା ଲକ୍ଷ୍ୟ କରାଯାଉଛି ଏବଂ ଏଭଳି ଘଟଣାକ୍ରମରେ ସ୍ବଭାବସୁଲଭ ଢଙ୍ଗରେ ସ୍ଥିତିସ୍ଥାପକତାକୁ ଜାବୁଡ଼ି ଧରି ରହିବାକୁ ଚାହୁଁଥିବା ବରିଷ୍ଠମାନଙ୍କ ସହିତ ସେମାନଙ୍କ ସ˚ଘାତ ଅବଶ୍ୟମ୍ଭାବୀ ହୋଇପଡୁଛି। ଏହା ଦେଖିବାକୁ ମିଳିଛି ସଚ୍ଚିନ ପାଇଲଟଙ୍କ ବିଦ୍ରୋହରେ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କଂଗ୍ରେସ ତ୍ୟାଗରେ।

୨୦୧୯ ନିର୍ବାଚନ ପରେ, କ˚ଗ୍ରେସର ଭବିଷ୍ୟତ୍‌ର ଚେହେରା ରୂପେ ପ୍ରଦର୍ଶିତ ହେଉଥିବା ରାହୁଳ ଗାନ୍ଧୀ ପରାଜୟର ପରାଭବ ଲାଗି ନିଜକୁ ଦାୟୀ କରି ଆନୁଷ୍ଠାନିକ ଭାବେ ଦଳର ସମସ୍ତ ଦାୟିତ୍ବରୁ ଅବ୍ୟାହତି ନେଇଯିବା ସତ୍ତ୍ବେ ଦଳର ବିଭିନ୍ନ ବ୍ୟାପାରରେ ସର୍ବଦା ନିଜକୁ ଆଗରେ ରଖିବା ଅଥଚ ରାଷ୍ଟ୍ର ସମ୍ମୁଖୀନ ହେଉଥିବା ବିତର୍କିତ ରାଜନୈତିକ ପ୍ରସଙ୍ଗକୁ ନେଇ ବିଧିବଦ୍ଧ ଅଭିଯାନ ଚଳାଇବା ପରିବର୍ତ୍ତେ କିଛି ସମୟ ରାଜନୈତିକ ପ୍ରାଙ୍ଗଣରେ ଦୃଶ୍ୟମାନ ହୋଇ ନିଃଶବ୍ଦରେ ବିଦେଶ ଗସ୍ତରେ ଚାଲିଯାଇ ତହିଁରୁ ଅପସରି ଯିବା ଦ୍ବାରା ଯେଉଁ ବିଶେଷଣଟି ଆହରଣ କରିସାରିଛନ୍ତି, ତାହା ହେଉଛି ‘ପାର୍ଟ ଟାଇମ୍‌ ପଲିଟିସିଆନ୍‌’। ଢିଲା ରାଜନୀତିର ଏହା ହେଉଛି ଏକ ଶାସ୍ତ୍ରୀୟ ଉଦାହରଣ। ଏହା ତାଙ୍କ ଦଳକୁ ଏବ˚ ତାଙ୍କ ଅତ୍ୟନ୍ତ ଅନ୍ତରଙ୍ଗ ହୋଇ ରହିଥିବା କିଛି ତରୁଣ ନେତାଙ୍କ ଭବିଷ୍ୟତ୍‌କୁ ଏଭଳି ଅନିଶ୍ଚିତତା ମଧ୍ୟକୁ ଠେଲି ଦେବାକୁ ବସିଛି ଯେ ସେମାନେ ନିଜ ଅସ୍ତିତ୍ବ ରକ୍ଷା ଲାଗି ନିଜ ତରଫରୁ ବିଧିବଦ୍ଧ ପ୍ରୟାସ ଆରମ୍ଭ କରି ଦେଇଛନ୍ତି। ଏହି ଉଚ୍ଚଭିଳାଷୀ, ପ୍ରଭାବଶାଳୀ ରାଜନୈତିକ ପରିବାରର ତରୁଣ ଦାୟାଦମାନେ କେବଳ ଦଳୀୟ ଦାୟିତ୍ବରେ ନ ରହି ଶାସନ ତନ୍ତ୍ରର ସୂକ୍ଷ୍ମତାକୁ ଛୁଇଁବାର ସୁଯୋଗ ଲାଭ କରିବା ଲାଗି ଧୈର୍ଯ୍ୟହୀନ ହୋଇପଡ଼ିଛନ୍ତି। ରାଜସ୍ଥାନରେ ପରିଣତ ବୟସ୍କ ନେତା ଅଶୋକ ଗେହଲୋଟଙ୍କ ନେତୃତ୍ବରେ ସରକାର ଗଠନ ବେଳେ ସଚ୍ଚିନ ପାଇଲଟ ଏବ˚ ମଧୢପ୍ରଦେଶରେ ସତୁରି ବର୍ଷ ବୟସ୍କ କମଳନାଥଙ୍କ ନେତୃତ୍ବରେ ସରକାର ଗଠନ ବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପ୍ରକାଶ୍ୟ ଅସନ୍ତୋଷରେ ଏହି ଧୈର୍ଯ୍ୟହୀନତା ପ୍ରସ୍ଫୁଟିତ ହୋଇଥିଲା। ରାଜନୀତିରେ ରୁଚି ରଖୁଥିବା ସମସ୍ତଙ୍କୁ ଏହା ଜଣା ଯେ ଉଭୟ ସଚ୍ଚିନ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାହୁଳ ଗାନ୍ଧୀଙ୍କ ଅନ୍ତରଙ୍ଗତମ ବନ୍ଧୁମହଲରୁ ଜଣେ ଜଣେ।

ଆଉ ଏକ ବାସ୍ତବତା ଏବେ ଦେଖିବାକୁ ମିଳିଛି ଯେ ରାହୁଳ ଗାନ୍ଧୀଙ୍କ ବେପରୁଆ ଓ ଖାମଖିଆଲି ଆଭିମୁଖ୍ୟ କାରଣରୁ ତାଙ୍କ ଉପରେ ଭରସା କରିଥିବା କ˚ଗ୍ରେସରେ ତରୁଣ ବର୍ଗ ସ˚ପ୍ରତି ବରିଷ୍ଠ ନେତାମାନଙ୍କ ଏକ କ୍ଷମତା କେନ୍ଦ୍ର ଦ୍ବାରା ବିସ୍ଥାପିତ ହେବାକୁ ବସିଛନ୍ତି। ରାଜସ୍ଥାନ ଓ ମଧୢପ୍ରଦେଶର ମୁଖ୍ୟମନ୍ତ୍ରୀ ଚୟନ ବେଳେ ଏହା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା। ପରବର୍ତ୍ତୀ କାଳରେ ମଧୢପ୍ରଦେଶର ମୁଖ୍ୟମନ୍ତ୍ରୀ କମଳ ନାଥ ଓ ଅନ୍ୟ ଜଣେ ବରିଷ୍ଠ ନେତା ଦିଗବିଜୟ ସି˚ହଙ୍କ ମିଳିତ ରଣସଜ୍ଜାରେ ସେଠାରେ ସ˚ପୂର୍ଣ୍ଣ ଅପା˚କ୍ତେୟ ହୋଇ ପଡ଼ିଥିବା ଜ୍ୟୋତିରାଦିତ୍ୟ ପରିଶେଷରେ ଅଣନିଃଶ୍ବାସୀ ହୋଇ ଦଳ ତ୍ୟାଗ କରିବା ଏକ ସ୍ବାଭାବିକତା ମାତ୍ର ଥିଲା।

କ˚ଗ୍ରେସ ପକ୍ଷରୁ ଏ ସ˚ପର୍କରେ ଯାହା ମନ୍ତବ୍ୟ ଦିଆଯାଇଥାଉ ନା କାହିଁକି ଏ କଥା ଦଳ ପକ୍ଷରୁ ହୃଦୟଙ୍ଗମ କରାଯିବା ଉଚିତ ଯେ ‘ଢିଲା ରାଜନୀତି’କୁ ପରିହାର କରା ନ ଗଲେ ଦଳ ଶଯ୍ୟାଶାୟୀ ଅବସ୍ଥାରୁ ଉଠିବା ଦୁରୂହ ବ୍ୟାପାର ହୋଇପଡ଼ିବ, କାରଣ ଦଳ ଏବେ ଯାହା ବିପକ୍ଷରେ ଦଣ୍ତାୟମାନ ତାହା ୨୪x୭ ରାଜନୀତି କରୁଥିବା ଏକ ଅମିତ ଶକ୍ତିଶାଳୀ ଦଳ। ତେବେ, ବାଇଶ ଜଣ ବିଧାୟକଙ୍କ ସହିତ ଜ୍ୟୋତିରାଦିତ୍ୟଙ୍କ କ˚ଗ୍ରେସ ତ୍ୟାଗ ଓ ସେ ସମସ୍ତଙ୍କର ବିଜେପିରେ ଯୋଗଦାନ ଦ୍ବାରା ଯେଉଁ ପ୍ରକୃତ ବିଡ଼ମ୍ବନାଟି ଫୁଟି ଦିଶୁଛି, ତାହା ହେଲା ଯେଉଁ ଦଳ ବିରୋଧରେ ମାତ୍ର କେଇ ମାସ ତଳେ ମଧୢପ୍ରଦେଶର ଜନତା ରାୟ ଦେଇଥିଲେ, ସେହି ଦଳ ରାଜ୍ୟରେ ଶାସନ କରିବାର ସମ୍ଭାବନା ଉଜ୍ଜ୍ବଳ। କହିବା ବାହୁଲ୍ୟ, କ˚ଗ୍ରେସର ଢିଲା ରାଜନୀତିର ଏହା ହିଁ ହେଉଛି ପରିଣାମ।

ସମ୍ବନ୍ଧିତ ଖବର