ଲକ୍‌ଡାଉନ ସମୟରେ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରସଂଗ : ହାଇକୋର୍ଟଙ୍କ ଜବାବ ତଲବ

କଟକ : ଲକ୍‌ଡାଉନ୍‌ ସମୟରେ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ କେନ୍ଦ୍ର, ରାଜ୍ୟ ସରକାର, ବାର୍ କାଉନସିଲ ଅଫ୍ ଇଣ୍ଡିଆ ଓ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ନୋଟିସ୍ ଜାରି କରିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ଯୁଗ୍ମସଂପାଦକ ଦିଲ୍ଲୀପ କୁମାର ରାୟଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ପରବର୍ତ୍ତୀ ଶୁଣାଣି ପୂର୍ବରୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଆଇନଜୀବୀ ପରିଷଦକୁ ଦସ୍ତି ସମନ୍ ଓ ଅନ୍ୟ ପ୍ରତିପକ୍ଷଙ୍କୁ ଇ-ମେଲ ମାଧ୍ୟମରେ ନୋଟିସ୍ ପ୍ରଦାନ ପାଇଁ ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩କୁ ଧାର୍ଯ୍ୟ କରାଯାଇଛି।

ଆବେଦନରେ ଦର୍ଶାଯାଇଛି ଯେ, କରୋନା ଭୂତାଣୁ ସଂକ୍ରମଣ ‌ଆଶଙ୍କା ଯୋଗୁଁ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ଅଦାଲତ ମାର୍ଚ୍ଚ ତୃତୀୟ ସପ୍ତାହରୁ ବନ୍ଦ ରହିଛି। ସାରା ଦେଶରେ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ଏଭଳି ପରିସ୍ଥିତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବ ବହୁ ଆଇନଜୀବୀ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୭୦ ପ୍ରତିଶତ ଆଇନଜୀବୀ ପ୍ରତିଦିନ ମାମଲା ପରିଚାଳନା ପାଇଁ ମହକିଲଙ୍କ ନିକଟରୁ ମିଳୁଥିବା ଅର୍ଥକୁ ନେଇ ଚଳିଥା’ନ୍ତି। ଲକ୍‌ଡାଉନ ପରିସ୍ଥିତିରେ ଏବେ ଅଦାଲତ ସଂପୂର୍ଣ୍ଣ ଭାବେ ବନ୍ଦ। ନା ମାମଲା ଶୁଣାଣି ହୋଇପାରୁଛି, ନା ନୂଆ ମାମଲା ଦାୟର ହୋଇ ପାରୁଛି। ମହକିଲ ଆଇନଜୀବୀଙ୍କ ପାଖକୁ ଆସି ପାରୁନାହାନ୍ତି। ଏଭଳି ପରିସ୍ଥିତିରେ ଆଇନଜୀବୀଙ୍କ ଅର୍ଥ ଉପାର୍ଜନ ବାଟ ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି।

କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି। କିନ୍ତୁ ଆଇନଜୀବୀଙ୍କ ପାଇଁ କିଛି ବ୍ୟବସ୍ଥା କରାଯାଇ ନାହିଁ। ବାର୍ କାଉନସିଲ ଅଫ ଇଣ୍ଡିଆ, ରାଜ୍ୟ ଆଇନଜୀବୀ ପରିଷଦ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରତି ଆଇନଜୀବୀଙ୍କୁ ମାସିକ ୨୫ ହଜାର ଟଙ୍କା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଭଳି ସ୍ଥିତିରେ ତିନିମାସ ପାଇଁ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ପାଇଁ ବ୍ୟବସ୍ଥା କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀ ଶ୍ରୀ ରାୟଙ୍କ ସହିତ ଆଇନଜୀବୀ ପ୍ରଶାନ୍ତ କୁମାର ମାହାଳି, ପ୍ରସନ୍ନ କୁମାର ପଣ୍ଡା ଓ ସୁବ୍ରତ ଶତପଥୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର