ଆଜିଠାରୁ ନୂଆ ଆର୍ଥିକ ବର୍ଷ, ଓଡ଼ିଶା ଅର୍ଥନୀତି ପ୍ରତି ବିପଦ

ସବୁ ପ୍ରମୁଖ କ୍ଷେତ୍ର ପ୍ରଭାବିତ, ସରକାରଙ୍କ ରାଜସ୍ବ କମିଯିବ, ଉଚ୍ଚସ୍ତରୀୟ କମିଟି ଗଠନ କରି ଅନୁଧ୍ୟାନ କରନ୍ତୁ ସରକାର

।। ଭବାନୀ ଶଙ୍କର ତ୍ରିପାଠୀ ।।
ଭୁବନେଶ୍ବର: ଜର୍ମାନ ହେଂସେ ରାଜ୍ୟର ଅର୍ଥମନ୍ତ୍ରୀ ଥୋମାସ୍ ସେଫର ଗତ ୨୯ ତାରିଖ ଦିନ ଆତ୍ମହତ୍ୟା କରିଛନ୍ତି। କରୋନା ପ୍ରଭାବରେ ତାଙ୍କ ରାଜ୍ୟ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଯାଇଥିବା ଭୟ ଏହି ଆତ୍ମହତ୍ୟା ପଛର କାରଣ ବୋଲି କୁହାଯାଉଛି। ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟାକୁ ନେଇ ହିସାବ ନିକାସ ଚାଲିଛି। କେଉଁ କେଉଁ ଦେଶରେ ଏହି ସଂଖ୍ୟା କେତେ, ମୃତକଙ୍କ ସଂଖ୍ୟା କେତେ ବଢିଲା, କେଉଁ ଦେଶର ସ୍ଥାନ କେଉଁଠି, ତାହାକୁ ନେଇ ସମସ୍ତେ ଚର୍ଚ୍ଚା କରୁଛନ୍ତି। ହେଲେ ଜର୍ମାନ ଅର୍ଥମନ୍ତ୍ରୀଙ୍କ ଆତ୍ମହତ୍ୟା ଘଟଣାଟି ଅର୍ଥନୀତିରେ ଆଗ୍ରହ ରଖୁଥିବା ସମସ୍ତଙ୍କୁ ଅତ୍ୟନ୍ତ ବ୍ୟଥିତ କରିଛି। ଓଡ଼ିଶା ଭଳି ରାଜ୍ୟର ଅର୍ଥନୀତିଜ୍ଞମାନେ ମଧ୍ୟ କରୋନା ଆକ୍ରାନ୍ତ ଘଟଣାକୁ ନେଇ ଯେତିକି ଚିନ୍ତିତ, ଅନୁରୂପ ଭାବେ ରାଜ୍ୟର ଅର୍ଥନୀତି କେଉଁଆଡକୁ ଗତି କରୁଛି, ତାହାକୁ ନେଇ ସେତିକି ବିଚଳିତ। ମାରାତ୍ମକ କରୋନା ଭାରତରେ ଏବେ ନିୟନ୍ତ୍ରଣରେ ରହିଛି। ଓଡ଼ିଶା ସରକାରଙ୍କ କଠୋର ଆଭିମୁଖ୍ୟ କାରଣରୁ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ସୀମିତ ରହିଛି। ହେଲେ ଏହାର ସଂକ୍ରମଣକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର ଯେଉଁ ଲକଡାଉନ ଘୋଷଣା କରିଛନ୍ତି, ତାହା ସଂକ୍ରମଣକୁ
ଅଟକାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ ହେଁ ପ୍ରତି ବ୍ୟକ୍ତିବିଶେଷ, ବ୍ୟବସାୟୀ, ସରକାରଙ୍କର ନିଜର ଆର୍ଥିକ ମେରୁଦଣ୍ଡ ଉପରେ ପ୍ରଚଣ୍ଡ ପ୍ରହାର ବସାଇ ସାରିଲାଣି। ଓଡ଼ିଶା କଥା ବିଚାର କଲେ ସ୍ଥିତି ଆହୁରି ଗମ୍ଭୀର ମନେ ହେଉଛି।

ବିକାଶରେ ବାଧା, ବହୁଗୁଣିତ ହୋଇଯିବ ବେକାରୀ ସମସ୍ୟା

ସୋମବାର ୨୦୨୦-୨୧ ବର୍ଷ ଲାଗି ରାଜ୍ୟ ବଜେଟ୍ ବିଧାନସଭାରେ ପାରିତ ହୋଇଛି। ଆସନ୍ତାକାଲି ଆର୍ଥିକ ବର୍ଷର ପ୍ରଥମ ଦିନ। ରାଜ୍ୟର ଆର୍ଥିକ ସ୍ଥିତିକୁ କରୋନା ଏଭଳି ସଂକ୍ରମିତ କରିଛି ଯେ ପ୍ରଥମ ଦିନରୁ ବଜେଟ୍ ଅନୁସାରେ, ସରକାର ଖର୍ଚ୍ଚ କରିବା କାଠିକର ପାଠ ହୋଇପଡ଼ିବ। ସରକାରଙ୍କ ବ୍ୟୟବରାଦ କିଛି କ୍ଷେତ୍ରରେ କେବଳ ବଜେଟ୍ ପୁସ୍ତିକା ଭିତରେ ଅଟକିଯିବା ଆଶଙ୍କାକୁ ଏଡାଇ ଦେଇ ହେଉନାହିଁ। ବ୍ୟାପକ ରାଜସ୍ବ ହାନି ଜଳ ଜଳ ହୋଇ ଦିଶୁଛି। ବାଣିଜ୍ୟିକ େକ୍ଷତ୍ରର କ୍ଷତି ଅକଳନୀୟ। ବ୍ୟାଙ୍କିଂ ସେବା ଗଭୀର ଭାବେ ପ୍ରଭାବିତ ହେବ। ଏନପିଏ କାରଣରୁ ୩ବର୍ଷ ଧରି ବ୍ୟାଙ୍କମାନଙ୍କ ସ୍ବାସ୍ଥ୍ୟ ଭଲ ନାହିଁ। ଏବେ ଋଣ ପରିଶୋଧ କରିବା ବ୍ୟବସାୟୀ ଆଦିଙ୍କ କ୍ଷେତ୍ରରେ ସମ୍ଭବ ନୁହେଁ। ରାଜ୍ୟର ବିକାଶ ପାଇଁ ସରକାର ପ୍ରସ୍ତୁତ କରିଥିବା ନକ୍ସାର କାର୍ଯ୍ୟାନ୍ବୟନ ହେବ କି ନାହିଁ, ତାହା ଉପରେ ପ୍ରଶ୍ନ ଚିହ୍ନ ଲାଗିଗଲାଣି। ଆହୁରି ସାଂଘାତିକ କଥା େହଲା, ରାଜ୍ୟରେ ବେକାରୀ ସମସ୍ୟା ବହୁଗୁଣିତ ହୋଇଯିବାର ଭୟ ଆଦୌ ଅପ୍ରାସଙ୍ଗିକ ନୁହେଁ। ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା କହିଛନ୍ତି ଯେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କମିଛି। ପୂର୍ବରୁ ଦୈନିକ ୪୦୦ କୋଟି ବ୍ୟବସାୟ ହେଉଥିଲା, ଏବେ ତାହା ୨୫ରୁ ୩୦କୋଟିକୁ ଖସିଆସିଛି। ଏହି କ୍ଷତିକୁ ଭରଣା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ଆଜିି କେନ୍ଦ୍ର ସରକାରଙ୍କୁ ଜଣାଇ ଦିଆଯିବ। ବ୍ୟାଙ୍କ ଋଣରେ ରିହାତି ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ସ୍ୱତନ୍ତ୍ର ପାକେଜ ନିହାତି ଦରକାର।

ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ ସାଧାରଣ ସଂପାଦକ ସଞ୍ଜୟ ଲାଠ ଗଣମାଧ୍ୟମକୁ କହିଛନ୍ତି, ଲକଡାଉନ କାରଣରୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ବିକ୍ରିରେ ୮୫ ପ୍ରତିଶତ ହ୍ରାସ ପାଇଛି। ରାଜ୍ୟରେ ଦୈନିକ ୨୮୬୦ କିଲୋଲିଟର ପେଟ୍ରୋଲ ବିକ୍ରି ହୋଇଥାଏ ଓ ୮୯୭୦ କିଲୋଲିଟର ଡିଜେଲ। ଦୁଇଦିନ ହେଲା ଡିଜେଲ ବିକ୍ରିରେ କିଛି ମାତ୍ରାରେ ଉନ୍ନତି ଘଟିଛି, କିନ୍ତୁ ପେଟ୍ରୋଲ କଥା ନ କହିବା ଭଲ। ରାଜ୍ୟ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଦେବାଶିଷ ନାୟକ କହିଛନ୍ତି, ୧୪ହଜାର ବସ ଚଳାଚଳ ବନ୍ଦ ହୋଇ ରହିଛି। ପାଖାପାଖି ୪୮ ହଜାରରୁ ଅଧିକ ଲୋକ କାମ ହରାଇଛନ୍ତି। ୨ଲକ୍ଷ ୫୬ ହଜାର ଲୋକଙ୍କ ପେଟ ଉପରେ ମାଡ଼ ପଡିଛି। ଆର୍ଥିକ କ୍ଷତି କଥା ନ କହିବା ଭଲ। ରାଜ୍ୟ ସରକାରଙ୍କ ‘ମୋ ବସ’ ସଂସ୍ଥାର ମୁଖ୍ୟ ଆଇଜି ଅରୁଣ ବୋଥ୍ରା କହିଛନ୍ତି, ପାଖାପାଖି ୧୨୦୦ ଶହ ଲୋକ କାମ ଧନ୍ଦା ହରାଇଛନ୍ତି। କେବଳ ଏତିକି ନୁହେଁ, ପରିବା ବଜାର ଠାରୁ ଆରମ୍ଭ କରି ପାନ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ, କୁକୁଡା ଚାଷୀଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ଶିଳ୍ପାନୁଷ୍ଠାନ ପର୍ଯ୍ୟନ୍ତ ପ୍ରାୟ ସବୁ କ୍ଷେତ୍ରକୁ କରୋନା ଆକ୍ତାମାକ୍ତା ସ୍ଥିତିକୁ ଟାଣିସାରିଲେଣି। ବଡ଼ ବଡ଼ କାରଖାନା ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ମତ ହେଉଛି ଯେ କରୋନା ଓଡ଼ିଶାକୁ ଦୁଇ ପ୍ରକାର ପ୍ରଭାବିତ କରିବ। ଓଡ଼ିଶା ଗୋଟିଏ ଉତ୍ପାଦନକାରୀ ରାଷ୍ଟ୍ର ନୁହେଁ। ଲୋକେ ଅନ୍ୟ ରାଜ୍ୟରୁ ଉତ୍ପାଦନ ହୋଇ ଆସୁଥିବା ଅଧିକାଂଶ ସାମଗ୍ରୀ ଉପରେ ନିର୍ଭର କରନ୍ତି। ଏଣୁ ବଜାର ସ୍ଥିତି ସ୍ବାଭାବିକ ରହିପାରେ। କିନ୍ତୁ ଆମ ଲୋକଙ୍କ କ୍ରୟଶକ୍ତି କମ୍ ହୋଇଥିବା କାରଣରୁ ଏହା ଅର୍ଥନୀତି ଉପରେ ପ୍ରଭାବ ପକାଇବ। ସମସ୍ୟା ଦ୍ବିଗୁଣିତ ହୋଇଯିବ ଏଇଥିପାଇଁ ଯେ ଆମ ରାଜ୍ୟ ଅନ୍ୟ ରାଜ୍ୟ ତୁଳନାରେ ଅର୍ଧ ବେକାରୀ, ସାମୟିକ ବେକାରୀ ଓ ପୂର୍ଣ୍ଣ ବେକାରୀ ସବୁଥିରେ ଆଗରେ। ଏସବୁ ଆହୁରି ବଢିବ। ବାହାର ରାଜ୍ୟରେ କାମ କରୁଥିବା ଲୋକମାନଙ୍କ ସୂତ୍ରରୁ ଯେଉଁ ବଡ଼ ପରିମାଣର ଅର୍ଥ ଓଡ଼ିଶାକୁ ଆସେ, ସେ କ୍ଷେତ୍ରରେ ବି ଜବରଦସ୍ତ ପ୍ରଭାବ ପଡିବ।

ବିଶେଷଜ୍ଞମାନଙ୍କ ମତ ହେଉଛି, ଓଡ଼ିଶାରେ ଲକ୍ଷ ଲକ୍ଷ ଲୋକ ଏବେ ପୂର୍ଣ୍ଣ େବକାରୀ ଆଡକୁ ଗତିକରିବେ। କାରଣ ବାହାରେ କାମ କରୁଥିବା ବ୍ୟକ୍ତିବିଶେଷ ଲକଡାଉନ ପରେ ତତ୍କାଳ ଫେରିଯିବେ, ଏ ଗ୍ୟାରେଣ୍ଟି ନାହିଁ। ସେମାନେ କାମ କରୁଥିବା କ୍ଷେତ୍ର ସ୍ବାଭାବିକ ହେବା ପର୍ଯ୍ୟନ୍ତ ସେମାନଙ୍କ ହାତରେ କାମ ନାହିଁ। ଯେଉଁ ଦେଢ ଲକ୍ଷ ଲୋକଙ୍କୁ ଅଟକାଇ ରଖାଯାଇଛି, ସେମାନେ ବି ଲକଡାଉନ୍ ଉଠିବା ମାତ୍ରେ ସିଧା ଘରକୁ ଫେରିବେ ଓ କର୍ମସ୍ଥଳୀକୁ ସାଙ୍ଗେ ସାଙ୍ଗେ ଯିବେନି। ଏହି କାରଣରୁ ଓଡ଼ିଶାରେ ବେକାରୀ ସଂଖ୍ୟା ଅହେତୁକ ଭାବେ ବଢିଯିବ। ଏମିତିରେ ବି ଓଡ଼ିଶାରେ ଚାଷ କାମ ଡେରି ଅଛି। ବର୍ଷା ଆସିନି। ଏତେ ଲୋକଙ୍କୁ ରାଜ୍ୟ ସରକାର କାମ େଦଇପାରିବେ ନାହିଁ। ଏହା ଅପରାଧ ବଢାଇବାରେ ବୋଲି ଆଶଙ୍କା ପ୍ରକାଶ ପାଉଛି। ରାଜ୍ୟର ଜଣେ ବରିଷ୍ଠ ଅର୍ଥନୀତି ବିଶେଷଜ୍ଞ କହିଛନ୍ତି, ମାନ୍ଦାବସ୍ଥା ପ୍ରଭାବ ଥିବା ସମୟରେ ହିଁ କରୋନା ଅର୍ଥନୀତି ଉପରେ ନିର୍ଘାତ ପ୍ରହାର ଦେଇଛି। ଲକ ଡାଉନ ଉଠିଯିବା ପରେ ବି ତତ୍କାଳ ସ୍ଥିତିରେ ସୁଧାର ଆସିବା ସମ୍ଭାବନା କ୍ଷୀଣ। ବିଶେଷକରି ରାଜ୍ୟରେ ଖଣି କାରବାର ବନ୍ଦ ଥିବା କାରଣରୁୁ ଖଣି ରାଜସ୍ବ କମିବ ହିଁ କମିବ। ପେଟ୍ରୋଲ, ଡିଜେଲ ବିକ୍ରି ନାହିଁ କହିଲେ ଚଳେ। ପରିବହନ ସେବା ସମ୍ପୂର୍ଣ୍ଣ ଠପ୍। ନୂଆ ଗାଡି କିଣା ବିକା ନାହିଁ। ମଦ ଦୋକାନ ବନ୍ଦ କରିଦିଆଯାଇଛି। ମୁଖ୍ୟତଃ ଏସବୁ କ୍ଷେତ୍ରରୁ ଆସୁଥିବା ଟିକସ କମିଯିବ। ଜିଏସଟି ଓ ଆଇଜିଏସଟି କମିବ, କାରଣ ସବୁ କ୍ଷେତ୍ରରେ କିଣା ବିକା ଆପାତତଃ ବନ୍ଦ ରହିଛି। ଲୋକଙ୍କର କ୍ରୟଶକ୍ତି ପ୍ରଭାବିତ ହୋଇଥିବା କାରଣରୁ ଏହାର ପ୍ରଭାବ ବଜାର ଉପରେ ରହିବ ଏବଂ ଏସବୁ କ୍ଷେତ୍ରରେ ଏବେ ବଡ଼ ଟିକସ ମିଳିବ ନାହିଁ।

ଅଧିକାରୀମାନେ ଆହୁରି କହିଛନ୍ତି, କେନ୍ଦ୍ର ସରକାର ଜିଏସଟି କ୍ଷତିପୂରଣ ନ ଦେଇପାରନ୍ତି। ଏଫ୍ଆରବିଏମ୍ ଆକ୍ଟ ଅନୁଯାୟୀ, ରାଜ୍ୟ ସରକାର ବଡ଼ ଧରଣର ଋଣ ଉଠାଇ ବ୍ୟବସ୍ଥା ସମ୍ଭାଳିବା ସ୍ଥିତିରେ ବି ନାହାନ୍ତି। ଗୋଟିଏ କଥା କରାଯାଇପାରେ, ଋଣ ଆଣିିବାର ସୀମା ଜିଏସଡିପିର ୩.୫%ରୁ ବୃଦ୍ଧି କରିବା ପାଇଁ ରାଜ୍ୟମାନେ ଏବେ ପଞ୍ଚଦଶ ଅର୍ଥ କମିସନଙ୍କ ନିକଟରେ ଦାବି ଜଣାଇପାରନ୍ତି। ଦ୍ବିତୀୟତଃ, ସରକାର ତୁରନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି କେଉଁ କେଉଁ କ୍ଷେତ୍ର ଅଧିକ ପ୍ରଭାବିତ ହେବ, ତାହା ଆକଳନ କରିବା ଉଚିତ୍। ଏହା ସହିତ ସଂଜୀବ ହୋତା କମିଟି ଭଳି ଅନ୍ୟ ଏକ କମିଟି ଗଠନ କରାଯିବା ଦରକାର, ଯେଉଁଥିରେ ଅର୍ଥନୀତିଜ୍ଞ, ବୁଦ୍ଧିଜୀବୀ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରମୁଖ ରହିବେ ଓ ଏହି କମିଟି ବେକାରୀ ଦୂରୀକରଣ ଏବଂ ରାଜସ୍ବ ବୃଦ୍ଧିର ବିକଳ୍ପ ରାସ୍ତା ପାଇଁ ବାଟ ଦେଖାଇପାରିବ। ଅନ୍ୟଥା ଓଡ଼ିଶା କରୋନା କବଳରୁ ମୁକ୍ତି ପାଇଯାଇପାରେ, ହେଲେ ରାଜ୍ୟର ଆର୍ଥିକ ସ୍ଥିତି ଏତେ ବିଗିଡିଯିବ ଯେ ପୂର୍ବସ୍ଥିତିକୁ ଫେରିବା ପାଇଁ ଢେର୍ ବର୍ଷ ଲାଗିପାରେ।

ଉଲ୍ଲେଖଯୋଗ୍ୟ, ଅର୍ଥନୀତି ବିଶେଷଜ୍ଞମାନେ କରୋନା କ୍ଷତିକୁ ନ୍ୟୂନ କରି ରାଜ୍ୟର ଆର୍ଥିକ ସ୍ବାସ୍ଥ୍ୟକୁ ପ୍ରାଧାନ୍ୟ ଦେଇ ଦେଖିବା ବେଳେ ଆମେରିକା ଓ ସିଙ୍ଗାପୁରର ଉଦାହରଣ ଦେଉଛନ୍ତି। କରୋନା ପାଇଁ ସାମାଜିକ ଦୂରତ୍ବ ବ୍ୟବସ୍ଥାକୁ ସେମାନେ କଡ଼ାକଡ଼ି କରିଥିଲେ ହେଁ ଥରେ ଅର୍ଥନୀତି ବିଗିଡିଗଲେ, ସହଜରେ ଆଉ ସୁଧୁରିବନି ଓ ବିଶ୍ବ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେବ ବୋଲି ଜାଣି ଲକଡାଉନ୍ ନିଷ୍ପତ୍ତିରୁ ସମ୍ପୂର୍ଣ୍ଣ ଦୂରେଇ ରହିଛନ୍ତି।

ସମ୍ବନ୍ଧିତ ଖବର