କରୋନା ଦିନିକିଆ କ୍ରିକେଟ୍ ମ୍ୟାଚ ନୁହେଁ : ସୁବ୍ରତ ବାଗଚୀ

ଭୁବନେଶ୍ୱର: ମାରାତ୍ମକ କରୋନା ଭାଇରସ ଦିନିକିଆ ଆଇପିଏଲ୍ ମ୍ୟାଚ ନୁହେଁ । ଏହା କ୍ରିକେଟ ନୁହେଁ, କୋଭିଡର ଖେଳ।  କରୋନାର ସମୟ । ଆବେଗର ସମୟ ନୁହେଁ, ପ୍ରତ୍ୟୟର ସମୟ । କ୍ରିକେଟ ଖେଳ ଭଳି କରୋନା କ୍ଷେତ୍ରରେ ସୂଚନା ଦେଇ ହେବନାହିଁ। ଆପଣମାନେ ପ୍ରତିଟି ବଲର ସମୀକ୍ଷା କରନ୍ତୁ ନାହିଁ। ପ୍ରତିଦିନ ଆମେ କେବଳ ବ୍ୟବହାର୍ଯ୍ୟ ତଥ୍ୟ ଆପଣଙ୍କ ପାଖରେ ପହଞ୍ଚାଇବୁ । ସରକାର ଠିକ ସମୟରେ ଲୋକଙ୍କ ନିକଟରେ ଠିକ ଖବର ପହଞ୍ଚାଇବେ । ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ସୁବତ୍ର ବାଗଚୀ ଏହା କହିଛନ୍ତି ।

ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଜରୁରୀକାଳୀନ ସମୟରେ ଘଟଣା ଘଟିବା କ୍ଷଣି ଖବର ଦେବା ସମ୍ଭବ ନୁହେଁ । ବୃହତ୍ତର ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଖବର ଦେବାକୁ ପଡ଼ିଥାଏ । ଯେଉଁଠି ଜନହିତରେ ଜଣେ ବ୍ୟକ୍ତିଙ୍କ ବିବରଣୀ ଦେବାର ଆବଶ୍ୟକତା ଅଛି, ସେଠାରେ ଦିଆଯିବ । ଯେଉଁଠି ଜନହିତ ନାହିଁ, ସେଠି ବ୍ୟକ୍ତିଗତ ବିବରଣୀ ଦିଆଯାଇପାରିବ ନାହିଁ ବୋଲି ଶ୍ରୀ ବାଗଚୀ କହିଛନ୍ତି । ଏଥିସହ ସେ କହିଛନ୍ତି, କରୋନା ବିରୋଧରେ ଯୁଦ୍ଧ କେବଳ ସରକାରଙ୍କ ଯୁଦ୍ଧ ନୁହେଁ। ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧଟିଏ ପର୍ଯ୍ୟନ୍ତ ସମସ୍ତଙ୍କ ଯୁଦ୍ଧ। ଏବେ ସମସ୍ତଙ୍କୁ ଶକ୍ତି ସଞ୍ଚୟ କରିବାର ବେଳ। ସମସ୍ତେ ଶକ୍ତି ସଞ୍ଚୟ କରନ୍ତୁ।

ଶ୍ରୀ ବାଗଚୀ କହିଛନ୍ତି ଯେ, ବିବରଣୀ ପ୍ରଦାନ କରିବା ନେଇ ସମାଲୋଚନା, ସମୀକ୍ଷା କରିବାର କିଛି ଆବଶ୍ୟକତା ନାହିଁ । ଏବେ କରୋନା ହସ୍ପିଟାଲ ଆଗରେ ଓବି ଭ୍ୟାନ ଠିଆ କରାଇବାର ସମୟ ନୁହେଁ ।

କୋଭିଡ ମୁଖ୍ୟ କହିଛନ୍ତି, ରାଜ୍ୟରେ ୪୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୧୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏବେ ୪୪ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଯଦି ଏହା ୪୦୦ରେ ପହଞ୍ଚିଯିବ, ସେତେବେଳେ ଆମେ କ’ଣ କରିବା ବୋଲି ବାଗଚୀ ପ୍ରଶ୍ନ କରିଛନ୍ତି । ତେଣୁ ଆମେ ପ୍ରତିଦିନ ବ୍ୟବହାରିକ ତଥ୍ୟ ଉପସ୍ଥାପନ କରିପାରିବୁ । ଏଥିରେ ପ୍ରଥମେ ଜନହିତକୁ ଗୁରୁତ୍ୱ ଦିଆଯିବ । ବର୍ତ୍ତମାନ ଅସାଧାରଣ ସମୟ ବୋଲି ବାଗଚୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର