ଦେବଗଡ଼ ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ, ୭ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କଲା ପ୍ରଶାସନ

ଦେବଗଡ଼:  ଦେବଗଡ଼ ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବାପରେ କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଏବଂ ସମାଜିକ ଦୂରତା ବଜାୟ ରଖିବା ନିମନ୍ତେ ସରକାରଙ୍କ ଗାଇଡ ଲାଇନ ଅନୁସାରେ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି ।

ଏହା ଅନୁଯାୟୀ କରୋନା ପଜିଟିଭ୍ ଚିହ୍ନିତ ହୋଇଥିବା କଲଣ୍ଡା ପଞ୍ଚାୟତର ବାସୁଦେବପୁର, ଖୁଣ୍ଟାପୋଷି ହେମଲେଟ, ଝାଟିକିପୋଷି(ବଲଣ୍ଡା) ହେମଲେଟ, ସାମନ୍ତରାପାଲି, ନୂଆଗାଁ ଏବଂ କମଳା ବଗିଚା ଓ ବଣିଆକିଲିଣ୍ଡା ପଞ୍ଚାୟତର ସୁନାମୁଣ୍ଡା ଗାଁ ଗୁଡିକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଏହି ଆଦେଶନାମାକୁ ଆଜିଠାରୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି ଏବଂ ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । କଣ୍ଟେନମେଣ୍ଟ ଅଞ୍ଚଳକୁ ଏହି ସମୟ ମଧ୍ୟରେ ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଜାରି କରାଯାଇଛି ଏବଂ ଅଞ୍ଚଳର ସମସ୍ତ ଜନସାଧାରଣଙ୍କୁ ଘରେ ରହିବା ପାଇଁ ସତର୍କ କରାଯାଇଛି । ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ସହିତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବାପାଇଁ ନିର୍ଦେଶ ଦିଆଯାଇଛି ।

କଣ୍ଟେନମେଣ୍ଟ ଅଞ୍ଚଳର ଲୋକମାନଙ୍କୁ ଘରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ଏବଂ ସାନିଟାଇଜେସନ ନିମନ୍ତେ ତିଲେଇବଣି ବି.ଡି.ଓ. କୃଷ୍ଣଚନ୍ଦ୍ର ଦଳପତିଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ସେହିଭଳି ସ୍ୱାସ୍ଥ୍ୟସେବା  ଯୋଗାଇ ଦେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ପ୍ରଭାତ କୁମାର ଓଝା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ନିମନ୍ତେ ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କୁ ସମସ୍ତ କାର୍ଯ୍ୟର ତଦାରଖ ଦାୟିତ୍ୱ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ତିଲେଇବଣି ବ୍ଲକ କଲଣ୍ଡା ଗ୍ରାମପଞ୍ଚାୟତ ବାସୁଦେବପୁର ଗ୍ରାମର ୩୪ ବର୍ଷିୟ ବ୍ୟକ୍ତି ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ବାସୁଦେବପୁର ଗ୍ରାମର ସମସ୍ତ ପ୍ରବେଶ ପଥକୁ ସିଲ୍ କରିଦିଆଯିବା ସଙ୍ଗେ ସଙ୍ଗେ ପୁଲିସ ପକ୍ଷରୁ ଘରୁ ନ ବାହାରିବାକୁ ଲୋକମାନଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଇଥିଲା । । ପଜିଟିଭ୍ ଚିହ୍ନିତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ହାଇଟେକ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ  କଣ୍ଟାକ୍ଟଟ୍ରେସିଂ ଜାରି ରହିଛି ଏବଂ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଆଇସୋଲେସନରେ ରଖାଯାଉଛି । ସଂପୃକ୍ତ ଅଞ୍ଚଳର ସମସ୍ତ ପରିବାର ଲୋକମାନଙ୍କର ସ୍ୱାସ୍ଥ୍ୟବସ୍ଥା ପ୍ରତି ସତର୍କ ଦୃଷ୍ଟି ରଖାଯିବା ସଂଗେ ସଂଗେ  ଗର୍ଭବତୀ ମହିଳା ଓ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ।

ସମ୍ବନ୍ଧିତ ଖବର