‘ପତ୍ନୀଙ୍କ‌ ଗୋଲାମ’ ଟ୍ବିଟ୍‌ର ପକ୍ଷ ରଖିଲେ ସାନିଆ

‘ପତିମାନେ ଖରାପ ଖେଳିଲେ ଆମେ ଦାୟୀ, ଏ କଥା କେବଳ ଅ‌ନୁଷ୍କା ଓ ମୁଁ ବୁଝିପାରୁ’

ନୂଆଦିଲ୍ଲୀ: ଗତ ମାର୍ଚ ମାସରେ ଭାରତ-ଅଷ୍ଟ୍ରେଲିଆ ଟି-୨୦ ମହିଳା ବିଶ୍ବକପ୍‌ ଫାଇନାଲ୍ ମୁକାବିଲା ବେଳେ ସା୍ଜା ଛାଡ଼ିଥିବା ‘ଜୋରୁ କା ଗୁଲାମ’ (ପତ୍ନୀଙ୍କ ଗୋଲାମ) ଟ୍ବିଟ୍‌ ବେଶ ଭାଇରାଲ୍ ହୋଇଥିଲା। ଗୁରୁବାର ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ଏହି ଭାରତୀୟ ଟେନିସ୍ ସୁନ୍ଦରୀ। ସେହି ଫାଇନାଲ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳର ତାରକା ଖେଳାଳି ଆଲିସା ହିଲି ଖେଳୁଥିବାରୁ ତାଙ୍କୁ ଉତ୍ସାହିତ କରିବା ଲାଗି ପୁରୁଷ କ୍ରିକେଟର୍‌ ପତି ମିଚେଲ ଷ୍ଟାର୍କ ଶେଷ ଦିନିକିଆ ମ୍ୟାଚ୍‌ ନ ଖେଳି ଦକ୍ଷିଣ ଆଫ୍ରିକାରୁ ‌ସ୍ବଦେଶ ଫେରି ଆସିଥିଲେ। ହିଲିଙ୍କୁ ସମର୍ଥନ କରିବା ଲାଗି ଷ୍ଟାର୍କ ନିଜ ମ୍ୟାଚ୍‌ ଛାଡ଼ି ଚାଲି ଆସିଥିବାରୁ ଢେର ପ୍ରଶଂସା ପାଇଥିଲେ। ଏହାକୁ ସମର୍ଥନ କରି ସାନିଆ ମିର୍ଜା ସେତେବେଳେ ଲେଖିଥିଲେ, ‘ଈଶ୍ବର ଅନୁନୟ ହୋଇଛନ୍ତି, ଏହି ପୁରୁଷ ଜଣଙ୍କ ଯଦି ଭାରତୀୟ ଉପ ମହାଦେଶରୁ ହୋଇଥାନ୍ତେ ଲୋକମାନେ ନିଶ୍ଚିତ ତାଙ୍କୁ ‘ଜୋରୁ କା ଗୁଲାମ୍’ କହିଥାନ୍ତେ। ମିଚେଲ୍ ତୁମ ପାଇଁ ମୁଁ ଖୁସି’।

ଭାରତୀୟ ମହିଳା କ୍ରିକେଟ୍‌ ଦଳର ଦୁଇ ତାରକା ଖେଳାଳି ଜେମିମା ରଡ୍ରିଗ୍ବେଜ ଓ ସ୍ମୃତି ମାନ୍ଧାନାଙ୍କ ସହ ଏକ ୟୁଟ୍ୟୁବ ଆଲୋଚନା ‘ଡବଲ୍‌ ଟ୍ରବୁଲ୍’ ବେଳେ ସାନିଆ କହିଥିଲେ, ‘ସମାଜରେ ମହିଳାମାନେ ଏବେ ବି ବିକର୍ଷଣ ବିବେଚିତ ହେଉଛନ୍ତି, ସେମାନଙ୍କୁ ସାମର୍ଥ୍ୟ କି ଶକ୍ତିଭାବେ ଦେଖାଯାଉନାହିଁ’। ଚର୍ଚିତ ଟ୍ବିଟ୍‌ର ମଜାଳିଆ କଥାକୁ କେବଳ ମୁଁ ଓ ଅନୁଷ୍କା (ବିରାଟ କୋହଲିଙ୍କ ପତ୍ନୀ) ଭଲଭାବେ ବୁଝିପାରୁ। ମୁଁ ଭାବୁଛି ଉଭୟଙ୍କ ପତି (ବିରାଟ କୋହଲି ଓ ସୋଏବ ମଲ୍ଲିକ) ଭଲ ଖେଳୁଥିବା ବେଳେ ଏହା ସେମାନଙ୍କ ବାହାଦୁରୀ। କିନ୍ତୁ ଖରାପ ଖେଳୁଥିଲେ ଏହାର କାରଣ ଆମକୁ ଦିଆଯାଏ। ଏହା କିଭଳି କାମ କରିଥାଏ ମୁଁ ବୁଝିପାରୁନି’। ଏହାକୁ ଅନେକ ଥଟ୍ଟା ମଜା କହିଥାନ୍ତି, କିନ୍ତୁ ଏହା ବାସ୍ତବିକ ଏକ ବଡ଼ ଗଭୀର ପ୍ରସଙ୍ଗ। ପତ୍ନୀ କି ଗର୍ଲଫ୍ରେଣ୍ଡ୍ ସହିତ ରାତ୍ରୀଭୋଜନ ଖାଇବାକୁ ଗଲେ ‘ସେ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇଯିବ’, ଏଭଳି କଥାର କିଛି ମାନେ ହିଁ ନ ଥାଏ’’ ବୋଲି ସାନିଆ ପ୍ରକାଶ କରିଛନ୍ତି।

ବିଶ୍ବକପ୍‌ ଫାଇନାଲ୍‌ରେ ପତ୍ନୀଙ୍କୁ ଉତ୍ସାହିତ କରିବା ଲାଗି ଷ୍ଟାର୍କ ଆସିବା ବେଳେ ସମସ୍ତେ ପ୍ରଶଂସା କରିଥିଲେ। କିନ୍ତୁ ମୋ ପାଇଁ ଯଦି ସୋଏବ (ମଲ୍ଲିକ) ସମାନ କଥା କରିଥାନ୍ତେ ତେବେ ଏଠି ପ୍ରଳୟ ‌ହୋଇଯାଇଥାନ୍ତା ଓ ନର୍କ ବି ଖାଲି ହୋଇଯାଇଥାନ୍ତା। ଲୋକମାନେ ତାଙ୍କୁ କହିଥା‌ନ୍ତେ ‘ଜୋରୁ କା ଗୁଲାମ’, ମହିଳାଙ୍କ କ୍ରିକେଟ୍ ମ୍ୟାଚ୍‌ ଦେଖିବାକୁ ଯାଉଛ। ଏସବୁ ପ୍ରସଙ୍ଗରେ ମୁଁ ଓ ଅନୁଷ୍କା ଅନେକ ଥର କଥା ହୋଇଛୁ ଏବଂ ଏକମତ ମଧ୍ୟ, ଏହା ନିରାଟ ସତ କଥା’ ବୋଲି ୬ ଥର ଗ୍ରାଣ୍ଡସ୍ଲାମ ଟ୍ରଫି ବିଜୟିନୀ ଡବଲ୍ସ ଖେଳାଳି ସାନିଆ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର