ସ୍ୱାସ୍ଥ୍ୟକେନ୍ଦ୍ରରୁ ଛାଡ଼ ପୂର୍ବରୁ କେବଳ ଗୁରୁତର କରୋନା ଆକ୍ରାନ୍ତଙ୍କ ନମୁନା ପରୀକ୍ଷା କରାଯିବ, କେନ୍ଦ୍ରର ନୂଆ ଗାଇଡଲାଇନ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତ ସଂଖ୍ୟା ବଢିଚାଲିଥିବାରୁ କେନ୍ଦ୍ର ସରକାର ନିଜର ଟେଷ୍ଟିଂ ଗାଇଡଲାଇନ (ପରୀକ୍ଷା ନିୟମାବଳୀ)ରେ କେତେକ ପରିବର୍ତ୍ତନ ଅଣାଯାଇଛି ।
ଏଣିକି କେବଳ ଗୁରୁତର ରୋଗୀଙ୍କ ପରୀକ୍ଷା ପରେ ଡିସଚାର୍ଜ ବା ଡାକ୍ତରଖାନାରୁ ଛାଡ଼ କରାଯିବ । ଚିକିତ୍ସା ପରେ ସୁସ୍ଥ ହୋଇଥିବା ରୋଗୀମାନଙ୍କ ନମୁନା ପରୀକ୍ଷଣ କରାଯିବ ନାହିଁ ।

ଏବେ ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଚିକିତ୍ସାଧିନ ରୋଗୀମାନଙ୍କ ନମୁନା ୨୪ ଘଣ୍ଟା ବ୍ୟବଧାନରେ ଦୁଇଥର ପରୀକ୍ଷା କରି ନେଗେଟିଭ ବାହାରିଲେ ଡିସଚାର୍ଜ କରାଯାଉଛି । ଜୁନ ଓ ଜୁଲାଇ ମାସରେ ଦେଶରେ ସଂକ୍ରମିତ ସଂଖ୍ୟା ଶିଖର ଛୁଇଁବା ଆଶଙ୍କା କରାଯାଉଥିବାରୁ ସେତେବେଳେ ଅଧିକ ସଂଖ୍ୟକ ଟେଷ୍ଟ କିଟ ଆବଶ୍ୟକ ପଡ଼ିବ । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଶୋଧିତ ନିୟମ ଅନୁସାରେ ସାଧାରଣ ଲକ୍ଷଣ ଥିବା ବା କୌଣସି ଲକ୍ଷଣ ନଥିବା ସଂକ୍ରମିତମାନଙ୍କର କେବଳ ତାପମାତ୍ରା ଓ ପଲ୍ସ ଅକ୍ସିମେଟ୍ରି ମନିଟରିଂ କରାଯିବ । ଲଗାତାର ୧୦ ଦିନ ଧରି ଜଣେ ରୋଗୀଙ୍କର କୌଣସି ଲକ୍ଷଣ ଦେଖାଯିବ ନାହିଁ ଓ ଲଗାତାର ୩ ଦିନ ଧରି ଜ୍ୱର ରହିବ ନାହିଁ, ତେବେ ତାଙ୍କୁ ପରୀକ୍ଷା ନକରି ଛାଡ଼ କରିଦିଆଯିବ । ତେବେ ଡିସଚାର୍ଜ ପରେ ସେମାନଙ୍କୁ ଘରେ ୭ ଦିନ ପାଇଁ ଆଇସୋଲେସନରେ ରହିବାକୁ କୁହାଯିବ ।

ସମ୍ବନ୍ଧିତ ଖବର