ସୁରତରେ ଦାଦନ ଶ୍ରମିକଙ୍କ ବିକ୍ଷୋଭ ଓ ପଥରଫିଙ୍ଗା

ସୁରତ: ସୁରତ ଜିଲ୍ଲାର ବିଭିନ୍ନ ଶିଳ୍ପାଞ୍ଚଳରେ ଏବଂ ସୁରତ ସହରରେ ଅଟକି ରହିଥିବା ବିଭିନ୍ନ ରାଜ୍ୟର ଶ୍ରମିକମାନେ ନିଜ ରାଜ୍ୟକୁ ଫେରିଯିବା ଦାବି କରି ବିକ୍ଷୋଭ ପ୍ରଦର୍ଶନ ସହ ଟେକା ପଥରମାଡ଼ କରିଛନ୍ତି। ଏହି ଜିଲ୍ଲାର ମୋରା ଗାଆଁରେ ଆଜି ଶହ ଶହ ଶ୍ରମିକ ଏକଜୁଟ ହୋଇ ନିଜ ରାଜ୍ୟକୁ ଫେରିଯିବା ପାଇଁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କୁ ଅଟକାଇବା ପାଇଁ ପୁଲିସ୍‌ ବାହିନୀ ପହଞ୍ଚିବା ବେଳେ ଉତ୍ତ୍ୟକ୍ତ ଶ୍ରମିକମାନେ ସୁରକ୍ଷାକର୍ମୀଙ୍କ ସଙ୍ଗେ ଧସ୍ତାଧସ୍ତି କରିବା ସହ ସେମାନଙ୍କ ଉପରକୁ ଟେକାପଥର ଫିଙ୍ଗିଥିଲେ।

ମୋରା ଗାଆଁର ହାଜିରା ଶିଳ୍ପାଞ୍ଚଳ ସହର ପାଖରେ ଏହା ଘଟିଥିଲା। ଜଣେ ଅଧିକାରୀ କହିଛନ୍ତି ଯେ ବିକ୍ଷୋଭକାରୀ ଶ୍ରମିକମାନେ ଜିଲ୍ଲା ପ୍ରଶାସନକୁ ଦାବି କରୁଥିଲେ, ସେମାନଙ୍କୁ ତୁରନ୍ତ ବ୍ୟବସ୍ଥା କରି ନିଜ ରାଜ୍ୟକୁ ପଠାଇଦିଆଯାଉ। ଏହି ବିକ୍ଷୋଭ ପ୍ରଦର୍ଶନରେ ଉତ୍ତରପ୍ରଦେଶ, ବିହାର ଓ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ଫସିଥିବା ଦାଦନଶ୍ରମିକ ରହିଥିଲେ। ଅଧିକାଂଶ ବିକ୍ଷୋଭକାରୀ ଶ୍ରମିକ ସେଇ ମୋରା ଗାଆଁରେ ଥିବା ଶିଳ୍ପାଞ୍ଚଳରେ କାମ କରନ୍ତି। ଏହି ଘଟଣା ପରେ ସେଠାରେ ପୁଲିସ୍‌, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦେଇଛି। ୫୦ ଜଣ ବିକ୍ଷୋଭକାରୀଙ୍କୁ ଲକ୍‌ଡାଉନ୍‌ ନିୟମ ଭଙ୍ଗ, ପୁଲିସ୍‌ କର୍ମୀଙ୍କ ଉପରେ ଆକ୍ରମଣ, ଆଇନ ଶୃଙ୍ଖଳା ଭଙ୍ଗ କାରଣରୁ ପୁଲିସ୍‌ ଅଟକ ରଖିଛି।

ସମ୍ବନ୍ଧିତ ଖବର