ଗାଁ ଗାଁରେ ମଦ ବନ୍ୟା! ନୂଆ ୨୩୩ ମଦ ଦୋକାନ ପାଇଁ ପ୍ରସ୍ତାବ

୩୧ ଅବକାରୀ ଏସ୍‌ପିଙ୍କୁ ଗୋପନୀୟ ଚିଠି, ଖୋର୍ଧା, ମୟୂରଭଞ୍ଜରେ ସର୍ବାଧିକ ପ୍ରସ୍ତାବ

କଟକ : ରାଜ୍ୟରେ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଯେଭଳି ବିରୋଧ ବଢ଼ୁଛି, ଏହାର ସାମାନ୍ୟତମ ପ୍ରଭାବ ଅବକାରୀ ବିଭାଗ ଉପରେ ପଡ଼ିନାହିଁ। ଏବେ ପୁଣି ୨୩୩ରୁ ଅରଖ ନୂଆ ଠିପିବନ୍ଦ ବିଦେଶୀ ମଦ ଦୋକାନ ଖୋଲିବାକୁ ଜିଲ୍ଲାୱାରୀ ଅବକାରୀ ଏସପିଙ୍କୁ ଟାର୍ଗେଟ୍ ଦିଆଯାଇଛି। ଜିଲ୍ଲାସ୍ତରରେ ଅଧିକ ୨୦ ପ୍ରତିଶତ ନୂଆ ଠିପିବନ୍ଦ ବିଦେଶୀ ମଦ ଦୋକାନ ଖୋଲିବାକୁ ଗୋପନୀୟ ଭାବେ ତାଗିଦ୍ କରାଯାଇଛି। ରାଜ୍ୟରେ ଆଗାମୀ ଦିନରେ ଏଭଳି ମଦ ଦୋକାନ ବୃଦ୍ଧି ପାଇଲେ, ଗାଁ ଗାଁରେ ସ୍ଥିତି ଅଣାୟତ୍ତ ହେବା ନେଇ ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ, ଅବକାରୀ କମିସନରଙ୍କ ମାଧ୍ୟମରେ ଜାନୁଆରିରେ ୩୧ଟି ଅବକାରୀ ଜିଲ୍ଲା ଏସପିଙ୍କୁ ନୂଆ ଠିପିବନ୍ଦ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ପ୍ରସ୍ତାବ ଦେବାକୁ ଗୋପନୀୟ ଭାବେ ଚିଠି ଲେଖାଯାଇଥିଲା। ରାଜ୍ୟରେ ଏବେ ମୋଟ ୧୧୬୦ ଠିପିବନ୍ଦ ବିଦେଶୀ ମଦ ଦୋକାନ ଥିବାବେଳେ ଜିଲ୍ଲା ଅବକାରୀ ଏସପିମାନେ ନିଜ ହିସାବରେ ନୂଆ ମଦଦୋକାନ ପ୍ରସ୍ତାବର ତାଲିକା କମିସନରଙ୍କ ନିକଟକୁ ପଠାଇଥିଲେ। ମାର୍ଚ୍ଚ ତୃତୀୟ ସପ୍ତାହରେ ପୁଣି ଥରେ ଜିଲ୍ଲା ଏସ୍‌ପିଙ୍କୁ ଚିଠି ଯାଇଥିଲା। ଜିଲ୍ଲାରେ ଯେତିକି ସଂଖ୍ୟାରେ ଠିପିବନ୍ଦ ଦୋକାନ ରହିଛି, ତାହାର ୨୦% ନୂଆ ଠିପିବନ୍ଦ ମଦ ଦୋକାନ ପ୍ରସ୍ତାବ ଦେବାକୁ ତାଗିଦ୍‌ କରାଯାଇଥିଲା। ଏହି ଚିଠି ମିଳିବା ପରେ ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲା ଅବକାରୀ ଏସପିମାନେ ୯୬ଟି ବିଦେଶୀ ଠିପିବନ୍ଦ ମଦ ଦୋକାନ ଖୋଲିବା ନେଇ ପ୍ରସ୍ତାବ ଦେଇଥିଲେ। ଏଥିରେ ସର୍ବାଧିକ ଖୋର୍ଧା ଜିଲ୍ଲାରେ ୧୬ଟି ଏବଂ ମୟୂରଭଞ୍ଜ ଜିଲ୍ଲା ପକ୍ଷରୁ ୧୨ଟି ନୂଆ ଠିପିବନ୍ଦ ମଦ ଦୋକାନ ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି। ସେହିଭଳି ଗଞ୍ଜାମର ୮ଟି, ଭଦ୍ରକର ୭ଟି, କେନ୍ଦୁଝରର ୭ଟି, ବରଗଡ଼, ଜଗତସିଂହପୁର ଓ ସୁନ୍ଦରଗଡ଼ର ଜିଲ୍ଲାର ୫ଟି ଲେଖାଏ, ଝାରୁସୁଗୁଡ଼ା, ଅନୁଗୁଳ, ସମ୍ବଲପୁର ପାଇଁ ୪ଟି ଲେଖାଏ, କୋରାପୁଟ, ବଲାଙ୍ଗୀର ଜିଲ୍ଲା ପାଇଁ ୩ଟି ଲେଖାଏ, ବାଲେଶ୍ବର, କଳାହାଣ୍ଡିର, କନ୍ଧମାଳର, କେନ୍ଦ୍ରାପଡ଼ା ପାଇଁ ୨ଟି ଲେଖାଏ, ନବରଙ୍ଗପୁରର, ବ୍ରହ୍ମପୁରର, ପୁରୀର, ରାୟଗଡ଼ାର, ସୋନପୁରର ପାଇଁ ଗୋଟିଏ ଲେଖାଏ ନୂଆ ବିଦେଶୀ ମଦ ଦୋକାନ ଖୋଲିବାକୁ ଅବକାରୀ କମିସନରଙ୍କ ନିକଟକୁ ପ୍ରସ୍ତାବ ଆସିଛି। ମୋଟ ଉପରେ କହିବାକୁ ଗଲେ ଦୁଇଟି ପର୍ଯ୍ୟାୟରେ ୨୩୩ରୁ ଅଧିକ ଦୋକାନ ଖୋଲିବାକୁ ନୂଆ ପ୍ରସ୍ତାବ ଦିଆଯାଇଛି।

ରାଜସ୍ବ କଥା ଯଦି ଦେଖାଯାଏ, ତେବେ ୨୦୧୯-୨୦ ବର୍ଷରେ ୪୬ ଶହ କୋଟି ଟଙ୍କାର ଅବକାରୀ ରାଜସ୍ବ ଆଦାୟ କରିବାକୁ ଟାର୍ଗେଟ ଦିଆଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୪ଶହ କୋଟି ଟଙ୍କାର ରାଜସ୍ବ ଆଦାୟ କରାଯାଇଛି। ଅବଶିଷ୍ଟ ୨୦୦ କୋଟି ଟଙ୍କା କରୋନାରେ ଲକ୍‌ଡାଉନ୍‌ ପରିସ୍ଥିତି ଜାରି ରହିଥିବାରୁ ଆଦାୟ କରାଯାଇପାରିନାହିଁ। ଲକ୍‌ଡାଉନ୍‌ ପାଇଁ ମଦ ଦୋକାନୀ ସେମାନଙ୍କ ଲାଇସେନ୍ସ ଫି’ ସହିତ ଅନ୍ୟାନ୍ୟ ଦେୟ ଜମା କରିପାରିନାହାନ୍ତି। ଲକ୍‌ଡାଉନ୍‌ ଖୋଲିବା ପରେ ସେମାନେ ଦେୟ ଜମା କରିବେ। ଆହୁରି ୨୦୦ କୋଟି ଟଙ୍କା ଅବକାରୀ ରାଜସ୍ବ ସରକାରଙ୍କ ତହବିଲକୁ ଆସିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଏବେ ଠିପିବନ୍ଦ ଓ ଠିପିଖୋଲା ମଦଦୋକାନକୁ ମିଶାଇ ୨୦୮୨ ଦୋକାନ ଥିବା ବେଳେ ପୁଣି ନୂଆ ମଦ ଦୋକାନ ଖୋଲିବାକୁ ଯେଭଳି ସରକାରୀସ୍ତରରେ ତତ୍‌ପରତା ଦେଖାଯାଉଛି, ଚୋରାମଦ ମାଫିଆଙ୍କୁ ଦମନ କରିବା ପାଇଁ ଭିତ୍ତିଭୂମି ସୁଦୃଢ଼ କରିବାକୁ ସେଭଳି କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନାହିଁ। ରାଜ୍ୟରେ ଥିବା ମୋଟ ୧୮୭ଟି ଅବକାରୀ ଥାନାରେ ଗୋଟିଏ ବି ପାଟ୍ରୋଲିଂ ଗାଡ଼ି ନାହିଁ। ଜିଲ୍ଲା ଅବକାରୀ ଏସ୍‌ପିଙ୍କ ନିକଟରେ ଯେଉଁ ଗୋଟିଏ/ ଦୁଇଟି ଗାଡ଼ି ରହିଛି, ସେହି ଗାଡ଼ିରେ ଜିଲ୍ଲାସାରା ଚଢ଼ାଉ କରାଯାଉଛି। ଅନ୍ୟପଟେ ଯେଉଁ ଅଫିସରମାନେ ଗାଡ଼ିଭଡ଼ାରେ ଆଣି ଚଢ଼ାଉରେ ନିୟୋଜିତ କରୁଛନ୍ତି, ସେମାନେ ଭଡ଼ା ବାବଦ ବିଲ୍ ବିଭାଗ ନିକଟରେ ଜମା କରୁଥିଲେ ସୁଦ୍ଧା କୌଣସି ଟଙ୍କା ମିଳୁ ନଥିବା କୁହାଯାଉଛି।

ଏ ସମ୍ପର୍କରେ ପୂର୍ବତନ ପୁଲିସ ଡିଜି ବିପିନ ବିହାରୀ ମିଶ୍ର କହିଛନ୍ତି ଯେ, ଯେତିକି ସଂଖ୍ୟାରେ ମଦଦୋକାନ ରହିଛି, ତାକୁ କିଭଳି ନିୟନ୍ତ୍ରଣରେ ରଖାଯିବ, ସେ ନେଇ ଚିନ୍ତା କରାଯିବା ଆବଶ୍ୟକ। ଗ୍ରାହକଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ମଦ ବିକ୍ରି କରିବା ଉପରେ କଟକଣା ଲଗାଇବା ଜରୁରୀ। ମଦ ପାଇଁ ଆଇନ ଶୃଙ୍ଖଳା ଓ ଅପରାଧିକ କାର୍ଯ୍ୟକଳାପ ଯେଭଳି ବୃଦ୍ଧି ପାଉଛି, ଏହାକୁ ନିୟନ୍ତ୍ରଣ କରିବା ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଏବେ କରୋନାରେ ସରକାର ଲୋକଙ୍କ ଥଇଥାନ ପାଇଁ ଯେତେ ଟଙ୍କା ଖର୍ଚ୍ଚ କଲେଣି, ନୂଆ ମଦଦୋକାନ ଖୋଲି ଏସବୁର ଭରଣା କରିବାକୁ ଯୋଜନା କରୁଛନ୍ତି। ଏଭଳି ହେଲେ ଓଡ଼ିଶାରେ ସ୍ଥିତି ଅଣାୟତ ହେବାର ଯଥେଷ୍ଟ ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର