ବାହାର ରାଜ୍ୟ ଶ୍ରମିକଙ୍କ ଆକୁଳ ନିବେଦନ : ଆମକୁ ଭୋକ ମାରିଦେବ

କ୍ବାରାଣ୍ଟିନ୍ ଶେଷ ପରେ ଫେରି ପାରୁନାହାନ୍ତି, ୫୦ ଦିନ ହେଲା ଫସିଛନ୍ତି ରାୟଗଡ଼ାରେ

ରାୟଗଡ଼ା : ୧୪ ଦିନ ବଦଳରେ ୫୦ ଦିନ କ୍ବାରାଣ୍ଟିନରେ ରଖିଲେ। ଏବେ ଅଧରାତିରେ ଘରକୁ ଚାଲିଯିବାକୁ କହୁଛନ୍ତି। କୁଆଡ଼େ ଯିବୁ, କେମିତି ଯିବୁ? ଲକ୍‌ଡାଉନ୍ ଯୋଗୁ ଦୋକାନ, ବଜାର ସବୁ ବନ୍ଦ। ଖାଇବା ତ ଦୂରର କଥା, ରାସ୍ତାରେ ପାଣି ଟୋପାଏ ମିଳିବନି। ଭୂତାଣୁ ନୁହେଁ, ଆମକୁ ଭୋକ ମାରିଦେ‌ବ…।

ଲକ୍‌ଡାଉନ୍ ପରେ ରାୟଗଡ଼ାରେ ଫସିଥିବା ଶ୍ରମିକମାନେ କ୍ବାରାଣ୍ଟିନରୁ ମୁକୁଳିବା ପରେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ପ୍ରଶାସନକୁ ଏପରି ନିବେଦନ କରିଛନ୍ତି। ଗାଡ଼ି ବନ୍ଦୋବସ୍ତ କରି ନିଜ ରାଜ୍ୟରେ ଛାଡ଼ିବାକୁ ନେହୁରା ହୋଇଛନ୍ତି। ହେଲେ ବାହାର ରାଜ୍ୟର ଅନୁମତି ବିନା ପ୍ରଶାସନ କୌଣସି ପଦକ୍ଷେପ ନେଇ ପାରିବନି ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି।

ଝାଡ଼ଖଣ୍ଡର ୧୭ ଶ୍ରମିକ ବିଶାଖାପାଟଣାର ଏକ ପ୍ଲାଇବୋର୍ଡ କଂପାନିରେ କାମ କରୁଥିଲେ। ‌ଲକ୍‌ଡାଉନ୍ ଯୋଗୁ କଂପାନି ବନ୍ଦ ହୋଇଯିବା କାରଣରୁ ଶ୍ରମିକମାନେ ଚାଲି ଚାଲି ଘରକୁ ଫେରୁଥିଲେ। ସମସ୍ତ ଶ୍ରମିକଙ୍କୁ ରାୟଗଡ଼ା ଜିଲ୍ଲା ପ୍ରଶାସନ ଉଦ୍ଧାର କରି ସଙ୍ଗରୋଧରେ ରଖିଥିଲା। ୧୪ ଦିନ ବଦଳରେ ଏହି ଶ୍ରମିକମାନେ ୫୦ଦିନ ହେଲା ଫସି ରହିବା ପରେ ଗତକାଲି ରାତିରେ କ୍ବାରାଣ୍ଟିନ୍ ହୋମ୍‌ରୁ ସମସ୍ତଙ୍କୁ ଛାଡ଼ିଦେଇ ନିଜ ବ୍ୟବସ୍ଥାରେ ଯିବା ପାଇଁ ପ୍ରଶାସନ କହିଥିଲା। ଶ୍ରମିକମାନେ ଏହାର ପ୍ରତିବାଦ କରିବା ପରେ ଗୋଟିଏ ବସ୍‌ରେ ପ୍ରଶାସନ ବସାଇଥିଲା। ବସ୍‌ଟି ଶ୍ରମିକଙ୍କୁ ରାୟଗଡ଼ା ବସଷ୍ଟାଣ୍ଡରୁ ନେଇ ୨ କିମି ଦୂର ଏକ ପେଟ୍ରୋଲ୍ ପମ୍ପ ନିକଟରେ ଓହ୍ଲାଇ ଦେଇଥିଲା। ଫଳରେ ଶ୍ରମିକମାନେ ପୁଣି କ୍ବାରାଣ୍ଟିନ୍ ହୋମକୁ ଫେରି ଆସିଥିଲେ। ଝାଡ଼ଖଣ୍ଡ ରାଜ୍ୟର ଦେଓଘର ବିଧାୟକ ଆଜି ରାୟଗଡ଼ା ଜିଲ୍ଲାପାଳଙ୍କୁ ଶ୍ରମିକଙ୍କୁ ଛାଡ଼ିବା ନେଇ ଚିଠି ଲେଖିବା ପରେ ଝାଡ଼ଖଣ୍ଡ ସରକାରଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ। ଝାଡ଼ଖଣ୍ଡରୁ ବସ୍ ଆସିବା ପରେ ଶ୍ରମିକମାନେ ବସରେ ଯିବେ ବୋଲି ଜଣା ପଡ଼ିଛି। ସେହିପରି ବିହାରର ୩ଜଣ ଶ୍ରମିକ କ୍ବାରାଣ୍ଟିନ୍ ଅବଧି ପରେ ରାୟଗଡ଼ାରେ ଫସିଛନ୍ତି। ଚାଲି ଚାଲି ଯିବାକୁ ବଳ ନ ଥିବାରୁ ଗାଁରେ ପହଞ୍ଚିବା କଥା ଚିନ୍ତା କରିପାରୁନୁ ବୋଲି କହିଛନ୍ତି ରାଜେଶ ପାଶୱାନ୍। ଯେ କୌଣସି ଗାଡ଼ିରେ ଛାଡ଼ିଦେବାକୁ ଶ୍ରମିକମାନେ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ଚେନ୍ନାଇରେ କାମ କରୁଥିବା ଏହି ଶ୍ରମିକମାନେ ଲକଡାଉନ୍ ପରେ ମାଲବାହୀ ଗାଡ଼ିରେ ଆସି ଓଡ଼ିଶା ସୀମାନ୍ତରେ ପହଞ୍ଚିବା ପରେ କ୍ବାରାଣ୍ଟିନରେ ଥିଲେ। ଘରକୁ ଫେରିବା ଲାଗି ପାଖରେ ଟଙ୍କାର ଅଭାବ ସହ ଶରୀର ଦୁର୍ବଳ ହୋଇ ପଡ଼ିଥିବାରୁ ଚାଲି ପାରିବେନି ବୋଲି ଶ୍ରମିକମାନେ କହିଛନ୍ତି। ମହାରାଷ୍ଟ୍ରରୁ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଥିବା ଗୋଟିଏ ପରିବାରର ୪ ସଦସ୍ୟ ମଧ୍ୟ କ୍ବାରାଣ୍ଟିନ୍ କେନ୍ଦ୍ରରେ ପଡ଼ି ରହିଛନ୍ତି। କୁମାର ସମୁଦ୍ରମାଳି, ସୋନିଆ କୁମାରମାଳି, ସମୁଦ୍ର ସେରୁମାଲି, ବୁଡ଼ି ସମୁଦ୍ରମାଳି ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି ମା’ମଝିଘରିଆଣୀଙ୍କୁ ଦର୍ଶନ କରିବାକୁ ରାୟଗଡ଼ା ଆସିଥିଲେ। ହେଲେ ଦର୍ଶନ ସରିବା ପରେ ମହାରାଷ୍ଟ୍ର ଫେରିବାକୁ ଚାହୁଁଥିବା ଏହି ପରିବାର ଲକ୍‌ଡାଉନ୍‌ରେ ଫସିଗଲେ। ଗତ ୫୦ ଦିନ ହେଲା ୪ ସଦସ୍ୟ କ୍ବାରାଣ୍ଟିନରେ ରହିବା ପରେ ପ୍ରଶାସନ ଘରକୁ ଯିବା ପାଇଁ ଛାଡ଼ି ଦେଇଛି। ପାଖରେ କୌଣସି ଡାକ୍ତରୀ ରିପୋର୍ଟ ସହ ଟଙ୍କା ନ ଥିବାରୁ ଏହି ପରିବାର ଆଗକୁ ବଢ଼ି ପାରୁନି।

ସମ୍ବନ୍ଧିତ ଖବର