ରାଜ୍ୟର ୧୩ଟି ଅଞ୍ଚଳରେ ତାପମାତ୍ରା ୪୧ ଡିଗ୍ରି ଉପରେ: ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଲେ ସ୍ବତନ୍ତ୍ର ରିଲିଫ୍ କମିସନର୍

ଟିଟିଲାଗଡ଼ର ତାପମାତ୍ରା ୪୫. ୫ ଡିଗ୍ରି ସେଲିୟିସ୍‌ରେ ଥିବା ବ‌େଳେ ଭବାନୀପାଟଣାର ତାପମାତ୍ରା ୪୪. ୨ ଡିଗ୍ରି ସେଲିସିୟସ୍

ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାତି ଖୁବ୍ ବଢ଼ିଯାଇଛି। ଭାରତୀୟ ପାଣିପାଗ ବିଭାଗ ଦ୍ବାରା ସ୍ଥାପିତ ୨୮ଟି ଅବଲୋକନ କେନ୍ଦ୍ରରୁ ୧୩ରେ ୪୦ ଡିଗ୍ରି ସେଲିସିୟସ୍‌ରୁ ଅଧିକ ଉତ୍ତାପ ରେକର୍ଡ କରାଯାଇଛି। ତେଣୁ, ଗ୍ରୀଷ୍ମ ପ୍ରବାହଜନିତି ପରିସ୍ଥିତିର ମୁକାବିଲା ନିମନ୍ତେ ସ୍ବତନ୍ତ୍ର ରିଲିଫ୍ କମିସନର୍ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଟିଟିଲାଗଡ଼ର ତାପମାତ୍ରା ୪୫. ୫ ଡିଗ୍ରି ସେଲିୟିସ୍‌ରେ ଥିବା ବେଳେ ଭବାନୀପାଟଣାର ତାପମାତ୍ରା ୪୪. ୨ ଡିଗ୍ରି ସେଲିସିୟସ୍ ରେକର୍ଡ କରାଯାଇଛି। ସେହିପରି ତାଳଚେରରେ ୪୩. ୮, ବଲାଙ୍ଗିରରେ ୪୩. ୦, ସମ୍ବଲପୁରରେ ୪୨. ୬, ବୌଦ୍ଧରେ ୪୨. ୫, ଝାରସୁଗୁଡ଼ା, ହୀରାକୁଦ ଓ ସୁବର୍ଣ୍ଣପୁରରେ ୪୨. ୨, ପାରଳାଖେମୁଣ୍ଡିରେ ୪୨. ୦, ଫୁଲବାଣୀରେ ୪୧. ୪ ଏବଂ ଅନଗୁଳରେ ୪୧. ୩ ଡିଗ୍ରି ସେଲିସିୟସ୍ ତାପମାତ୍ରା ହୋଇଥିବା ରେକର୍ଡ କରାଯାଇଛି।

Image Source: Skymate

ଅନେକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଚାଲିଥିବାରୁ ପରିସ୍ଥିତିର ମୁକାବିଲା କରିବାକୁ ସମସ୍ତ ସତର୍କତା ବ୍ୟବସ୍ଥାର ସମୀକ୍ଷା କରି ସୁନିଶ୍ଚିତ ହେବାକୁ ଜିଲ୍ଲାପାଳମାନଙ୍କୁ ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା ନିର୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତି ମୁକାବିଲା ମର୍ମରେ ପୂର୍ବ ପ୍ରଦତ୍ତ ଚିଠି ଅନୁସାରେ ପଦକ୍ଷେପ ଗ୍ରହଣ କରିବାକୁ ପୁଣି ଥରେ ଜିଲ୍ଲାପାଳମାନଙ୍କୁ ଆଜି ଶ୍ରୀ ଜେନା କହିଛନ୍ତି। ଜଳ ସଙ୍କଟ ପରିସ୍ଥିତି ସୁଧାରିବା ନିମନ୍ତେ ତୁରନ୍ତ ନଳକୂପ ପାଇପ୍ ଯୋଗେ ଯୋଗାଣ ହେଉଥିବା ପ୍ରକଳ୍ପ ମରାମତି କରାଇବା, ପାନୀୟ ଜଳ ସଙ୍କଟ ଥିବା ଜନବସତି ଅଞ୍ଚଳକୁ ଟ୍ୟାଙ୍କ୍‌ର୍ ଯୋଗେ ଜଳ ପଠାଇବା, ଜଳ ସଙ୍କଟ ଥିବା ସ୍ଥାନରେ ପାନୀୟ ଜଳ କେନ୍ଦ୍ର ଖୋଲିବା, ଅଂଶୁଘାତ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଖାନା/ଡିସ୍‌ପେନ୍ସରି, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର/ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବତନ୍ତ୍ର ବନ୍ଦୋବସ୍ତ କରିବା, ପ୍ରାଣୀ ସମ୍ପଦର ଯତ୍ନ ନେବା, ଶ୍ରମିକମାନଙ୍କର କାର୍ଯ୍ୟ କରିବାର ସମୟ ଅବଧି ନିର୍ଦ୍ଧାରଣ କରିବା ଆଦି ପଦକ୍ଷେପ ନେବା ପାଇଁ ପୂର୍ବ ପତ୍ରରେ ଜିଲ୍ଲାପାଳମାନଙ୍କ ପ୍ରତି ନିର୍ଦେଶ ଥିଲା।

ସମ୍ବନ୍ଧିତ ଖବର