କାଁ ଭାଁ ଗଡ଼ିଲା ବସ୍‌, ଯାତ୍ରୀ ଆସିଲେନି

ଭୁବନେଶ୍ବର : ଦୀର୍ଘ ଦୁଇ ମାସ ପରେ ବସ୍‌ ଗଡ଼ିଲା। କିନ୍ତୁ ଯିବାକୁ ଯାତ୍ରୀ ନାହାନ୍ତି। ବସ୍‌ ମାଲିକମାନେ ବସ୍‌କୁ ପ୍ରସ୍ତୁତ କରି ରଖିଥିଲେ ବି ଯାତ୍ରୀ ନ ଥିବାରୁ ବହୁ ବସ୍‌ ଗଡ଼ିପାରିଲାନି। ପ୍ରାୟ ସବୁ ଜିଲ୍ଲାରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଫଳରେ ନିକଟ ଭବିଷ୍ୟତରେ ବସ୍‌ ଚଳାଚଳ ସ୍ବାଭାବିକ ସ୍ଥିତିକୁ ଆସିବା‌ ନେଇ ଆଶଙ୍କା ଦେଖାଦେଇଛି।

ଆଜି ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଏପରି ଚିତ୍ର ଦେଖିବାକୁ ମିଳିଥିଲା। ଭୁବନେଶ୍ବରର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ସବୁଦିନ ଏକ ହଜାରରୁ ଅଧିକ ବସ୍ ଯା’ଆସ କରୁଥିଲା ବେଳେ ଆଜି ଏହି ସଂଖ୍ୟା ୧୦୦ ଭିତରେ ସୀମିତ ଥିଲା। ପୁଣି କୌଣସି ବସ୍‌ରେ ଅଧା ଯାତ୍ରୀ ‌େହାଇ ନ ଥିଲେ। ଏପରିକି ୩/୪ ଜଣ ଯାତ୍ରୀଙ୍କୁ ନେଇ କିଛି ବସ୍‌ ଗନ୍ତବ୍ୟସ୍ଥଳକୁ ବାହାରିଥିଲା। ସେହିପରି କଟକର ବାଦାମବାଡ଼ି ବସ୍‌ଷ୍ଟାଣ୍ଡ୍‌ରୁ ଆଜି ମାତ୍ର ୩ଟି ରୁଟ୍‌ରେ ୫ଟି ବସ୍‌ ଚଳାଚଳ କରିଥିଲା। ସେଥିରେ ପୁଣି ଯାତ୍ରୀ ସଂଖ୍ୟା ୧୫। ବ୍ରହ୍ମପୁରରୁ ଆଜି ଗୋଟିଏ ବସ୍‌ ବାହାରିଥିଲା, ସେଥିରେ ଯାତ୍ରୀ ଥିଲେ ୭ ଜଣ। ରାଉରକେଲାରୁ ଆଦୌ ବସ୍‌ ଆଜି ବାହାରି ନ ଥିବା ଜଣାପଡ଼ିଛି। ସମ୍ବଲପୁର, ବାଲେଶ୍ବର ଆଦି ସହରରେ ମଧ୍ୟ ସମାନ ଅବସ୍ଥା।

ବହୁ ବସ୍‌ ଆଜି ଚଳାଚଳ ପାଇଁ ପ୍ରସ୍ତୁତ ହୋଇ ନ ଥିଲେ। କର୍ମଚାରୀ ଅଭାବରୁ ବସ୍‌ଗୁଡ଼ିକ ବାହାରିପାରିନ ଥିଲା। ଯେତିକି ବି ବାହାରିଥିଲା, ସେମାନଙ୍କର ଏଇ ଅବସ୍ଥା। ଏମିତି ବସ୍‌ ଚଳାଚଳ କଲେ ମାଲିକମାନଙ୍କ କ୍ଷତି ଆହୁରି ବଢ଼ିଯିବ ବୋଲି ବସ୍‌ ମାଲିକ ସଂଘ ପକ୍ଷରୁ କୁହାଯାଇଛି। ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ଯେ ଏତେ କମ୍ ସଂଖ୍ୟାରେ ଯାତ୍ରୀଙ୍କୁ ନେଇ ବସ୍‌ ଚଳାଚଳ ସମ୍ଭବ ନୁହେଁ। ତଥାପି ମାଲିକମାନେ ବସ୍‌ ଚଳାଇବାକୁ ପ୍ରସ୍ତୁତ ଅଛନ୍ତି। ବସ୍‌ଗୁଡ଼ିକର ସ୍ବଚ୍ଛତା ପ୍ରତି ଧ୍ୟାନ ଦିଆଯିବା ସହ ଯାତ୍ରୀଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଇଛି। ଭୁବନେଶ୍ବରର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ଆସନ୍ତାକାଲି ଠାରୁ ବିଭିନ୍ନ ରୁଟ୍‌କୁ ସିରିଏଲ୍‌ କରାଯାଇ ବସ୍‌ ଛଡ଼ାଯିବ। ଯାତ୍ରୀ ଅଧିକ ହେଲେ ସେହି ଅନୁଯାୟୀ ଯୋଜନା କରାଯିବ।

ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି ଯେ ଅନେକ ବସ୍‌ରେ କର୍ମଚାରୀ ଗାଁରେ ଥିବା ଆସିପାରି ନାହାନ୍ତି। ଯେତିକି ବି ବସ୍‌ ଚାଲିଛି, ସେଥିରେ ବହୁତ କ୍ଷତି ହୋଇଛି। ବସ୍‌ଷ୍ଟାଣ୍ଡ୍‌ଗୁଡ଼ିକରେ ରାତ୍ରୀକାଳୀନ କର୍ଫ୍ୟୁ ଉଠାଯିବା ସହ ବସ୍‌ଷ୍ଟାଣ୍ଡ୍‌ ନିକଟରେ ହୋଟେଲ୍‌ ଓ ଲଜ୍‌ ଖୋଲାଯାଉ। ନ ହେଲେ ଲୋକ ବସ୍‌ରେ ଯା’ଆସ କରିବେ ନାହିଁ। ବର୍ତ୍ତମାନ ବସ୍‌ କଣ୍ଡକ୍ଟର୍‌, ଡ୍ରାଇଭର୍‌ ଓ ହେଲ୍‌ପର୍‌ଙ୍କୁ ୫୦ ହଜାର ଟଙ୍କାର ବୀମା ରାଶି ସରକାର ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଦୀର୍ଘ ଦୁଇ ମାସ ପରେ ବସ୍‌ ଚଳାଚଳ ଆରମ୍ଭ କରିଛି। ହେଲେ ସ୍ଥିତି ସ୍ବାଭାବିକ ହୋଇପାରି ନାହିଁ। ଜୁନ୍ ୧ ସୁଦ୍ଧା ପରିସ୍ଥିତି ସ୍ବାଭାବିକ ହେବ ବୋଲି ମନ୍ତ୍ରୀ ଆଶାପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର