ବିଶ୍ବକପ୍‌ ପରାଜୟରୁ ଭାରତ ଏବେ ବି ଯନ୍ତ୍ରଣା ପାଉଛି: ଅରୁଣ

ନୂଆଦିଲ୍ଲୀ: ଭାରତର ଗତବର୍ଷ ବିଶ୍ବ କପ୍‌ ପରାଜୟରୁ ଦଳ ଏବେ ବି ଯନ୍ତ୍ରଣା ପାଉଛି। ହେଲେ ଏହି ନିରାଶାକୁ ପଛରେ ପକାଇ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଉନ୍ନତ ପ୍ରଦର୍ଶନ ଜରିଆରେ ଏହାର ଭରଣା କରିବାର ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ। ଗତବର୍ଷ ଦିନିକିଆ ବିଶ୍ବକପ୍‌ରେ ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ୧୫ ପଏଣ୍ଟ ସହ ଶୀର୍ଷରେ ରହିଥିଲା। ହେଲେ ‌ମାଞ୍ଚେଷ୍ଟରରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ୍‌ ନିକଟରୁ ୧୫ ରନ୍‌ରେ ହାରି ବିଦାୟ ନେଇଥିଲା। ଏହି ଦୁଃଖ ଏବେ ବି ଯନ୍ତ୍ରଣାଦାୟକ ବୋଲି ଫ୍ୟାନ୍‌କୋଡ୍‌ ଦ୍ବାରା ‘‘ଲକ୍‌ଡାଉନ୍‌ ବଟ୍‌ ନଟ୍‌ ଆଉଟ୍‌’’ ସିରିଜ୍‌ ବେଳେ ଅରୁଣ କହିଛନ୍ତି। ଆମର ଯୋଜନା ସେତେବେଳେ ସଠିକ୍‌ ପଥରେ ରହିଥିଲା। ବିଶ୍ବକପ୍‌ରେ ଦମ୍‌ଦାର ପ୍ରଦର୍ଶନ କରିବାର ସମସ୍ତ ପ୍ରସ୍ତୁତି ହୋଇଥିଲା। ହେଲେ ଦୁର୍ଭାଗ୍ୟବଶତଃ ଆମେ ଆଉଟ୍‌ ହୋଇଗଲୁ ବୋଲି ଅରୁଣ କହିଛନ୍ତି। କୋଭିଡ୍‌-୧୯ ମହାମାରୀ ଯୋଗୁଁ ଅଷ୍ଟ୍ରେଲିଆରେ ୨୦୨୦ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ ନେଇ ଅନିଶ୍ଚିତତା ଜାରି ରହିଛି। ହେଲେ ଯେବେ ବି ଏହି ବିଶ୍ବକପ୍‌ ହେବ ଭାରତ ଦମ୍‌ଦାର ପ୍ରଦର୍ଶନ କରି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଅଭିଯାନକୁ ସ୍ମରଣୀୟ କରିବାର ଲକ୍ଷ୍ୟ ରଖିବୁ ବୋଲି ଅରୁଣ କହିଛନ୍ତି।

ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ପ୍ରସ୍ତୁତିକୁ କରୋନା ମହାମାରୀ ବିଗାଡ଼ି ଦେଇଛି। ବିଶ୍ବକପ୍‌କୁ ଯିବା ପୂର୍ବରୁ ଅତି କମ୍‌ରେ ୬ରୁ ୮ ସପ୍ତାହର ପ୍ରଶିକ୍ଷଣ ଦରକାର। ଏହା ହୋଇପାରିଲେ ଭାରତୀୟ ଖେଳାଳିମାନେ ମ୍ୟାଚ୍‌ ପ୍ରସ୍ତୁତି ପାଇପାରିବେ ବୋଲି କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଆର୍‌ ଶ୍ରୀଧର କହିଥିବା କଥାକୁ ସମର୍ଥନ ଜଣାଇଛନ୍ତି ଅରୁଣ। ବିଶେଷକରି ବୋଲରମାନଙ୍କ ପାଇଁ ମ୍ୟାଚ୍‌ ପ୍ରସ୍ତୁତିର ଗୁରୁତ୍ବକୁ ଅରୁଣ ଭଲ ଭାବେ ବୁଝିଛନ୍ତି। ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବା ପାଇଁ ଆମକୁ ୬ରୁ ୮ ସପ୍ତାହ ଲାଗିବ। ତଥାପି ଶିବିରରେ ଆମେ ପ୍ରଥମେ ସାମର୍ଥ୍ୟ ଏବଂ ଫିଟ୍‌ନେସ୍‌ ଉପରେ ଜୋର୍‌ ଦେବୁ। ତା’ପରେ ମ୍ୟାଚ୍‌ ଉପରେ। ସେଥିପାଇଁ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବା ପୂର୍ବରୁ ବିସିସିଆଇ ଆମପାଇଁ ଏକ ପ୍ରତିଯୋଗିତା ଆୟୋଜନ କରିପାରିଲେ ଖୁବ୍‌ ବଲ ହୁଅନ୍ତା ବୋଲି ଅରୁଣ କହିଛନ୍ତି।

ବୋଲରଙ୍କୁ ନେଇ ମୁଁ ଆଦୌ ବିବ୍ରତ ନୁହେଁ। କାରଣ ସେମାନେ ଜ ନିଜର ଶକ୍ତି ଓ ଫିଟ୍‌ନେସ୍‌ ବଜାୟ ରଖିବା ପାଇଁ ପ୍ରାୟ ୨ ମାସରୁ ଅଧିକ ସମୟ ପାଇଛନ୍ତି। ଆନ୍ତର୍ଜାତିକ କ୍ରିକେଟର୍‌, ବିଶେଷକରି ଆମ ବୋଲରମାନେ ଏଭଳି ସମୟର ଢେର ଉପଯୋଗ କରିଥି‌ବେ। ଏହା ମଧ୍ୟ ସେମାନଙ୍କୁ ସହାୟକ ହେବ ବୋଲି ଅରୁଣ କହିଛନ୍ତି।

ସମ୍ବନ୍ଧିତ ଖବର