ସଟଡାଉନରେ କଟକରେ ମାତିଲେ ଚୋର, ଲୁଟି ନେଲେ ୪୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର

କଟକ: ସଟଡାଉନରେ କଟକରେ ମାତିଲେ ଚୋର । କଟକର ମଙ୍ଗଳବାଗ ଶଗଡ଼ିଆ ସାହିରେ ଶନିବାର ରାତିରେ ଲୁଟେରା ପ୍ରାୟ ୪୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ପରିବାର ଲୋକେ ଶୋଇଥିବା ବେଳେ କବାଟ ବାହାରପଟୁ ବନ୍ଦ କରି ଲୁଟେରା ଏହି କାଣ୍ଡ କରିଛନ୍ତି । ଘଟଣାରେ ମଙ୍ଗଳବାଗ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏତେ ବଡ଼ ଲୁଟ ଘଟଣା ପରେ ପୁଲିସର ପାଟ୍ରୋଲିଂ ନେଇ ବି ପ୍ରଶ୍ନ ଉଠିଛି ।
ଖବର ଅନୁସାରେ, ରାଣୀହାଟର ଶଗଡ଼ିଆ ସାହିର ମନୋଜ କୁମାର ସାହୁଙ୍କ ପରିବାର ଶନିବାର ରାତି ୧୨ ଟାରେ ଶୋଇବାକୁ ଯାଇଥିଲେ । ପରଦିନ ସକାଳେ ମନୋଜଙ୍କ ଉଉଣୀ ଘରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଲୁଟେରାମାନେ ଘରକୁ ବାହାରପଟୁ ବନ୍ଦ କରି ସୁନା ଅଳଙ୍କାର ଭର୍ତ୍ତି ଟିଣବାକ୍ସକୁ ଟେକି ନେଇଥିଲେ। ଚୋରି ଜିନିଷ ମଧ୍ୟରେ ଠାକୁରଙ୍କ ମୁକୁଟ ଓ ମୂର୍ତ୍ତି ରହିଛି ।

ଚୋରି ଅଳଙ୍କାର ଓ ଟଙ୍କାର ଆନୁମାନିକ ମୂଲ୍ୟ ୪୦ ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଉଛି । ଗତ ଜାନୁଆରି ମାସରେ ମଧ୍ୟ ମନୋଜଙ୍କ ଘରୁ ୪୦ ଭରି ଓଜନର ସୁନା ଅଳଙ୍କାର ଚୋରି ହୋଇଥିଲା । ତେଣୁ ଘଟଣାକୁ ପୁଲିସ ଗୁରୁତର ସହ ନେଇଛି । ଘଟଣା ପରେ ସନ୍ଦିଗ୍ଧ ସମ୍ପର୍କୀୟ ଗାଏବ ହୋଇଯାଇଛି ।

ସମ୍ବନ୍ଧିତ ଖବର