କଲବଲ କଲେଣି ଲୁଟେରା : ଏବେ ଗାଁ ଦାଣ୍ଡରେ ଚେନ୍‌ ଲୁଟେରା

୨ ବାସନ୍ତୀଙ୍କଠାରୁ ୨୬ ଗ୍ରାମ୍‌ର ଚେନ୍‌ ଲୁଟ୍‌, ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳରେ ଆତଙ୍କ

ଭୁବନେଶ୍ୱର/ବାଲିପାଟଣା/ବାଲିଅନ୍ତା : କଲବଲ କଲେଣି ଲୁଟେରା। ପୂର୍ବରୁ ରାଜରାସ୍ତାରେ ଦୁର୍ବୃତ୍ତମାନେ ମହିଳାଙ୍କ ବେକରୁ ଚେନ୍‌ ଟାଣି ନେଉଥିଲେ। କିନ୍ତୁ ଏବେ ସେମାନେ ଗାଁ ଭିତରେ ପଶିଲେଣି। ଗାଁ ଦାଣ୍ଡରେ ଚାଲୁଥିବା ଓ ଘର ବାରଣ୍ଡାରେ ବସିଥିବା ବୟସ୍କ ମହିଳାଙ୍କ ବେକରୁ ଝାମ୍ପି ନେଲେଣି ସୁନାଚେନ୍‌। ଆଜି ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳରେ ଘଟିଥିବା ଏଭଳି ଦୁଇ ଦୁଇଟି ଚେନ୍‌ ଲୁଟ୍‌ ମାମଲା ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି। ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ବୟସ୍କ ମହିଳାମାନଙ୍କୁ ଟାର୍ଗେଟ୍‌ କରି ହୋଇଥିବା ଏହି ଲୁଟ୍‌ ଦୁର୍ବୃତ୍ତମାନଙ୍କ ଆତଙ୍କରାଜ୍‌ର ନମୁନା ପ୍ରଦର୍ଶନ କରିଥିବା ବେଳେ ପୁଲିସର ନିଷ୍କ୍ରିୟତାକୁ ପଦାରେ ପକାଇଛି। ପୁଲିସ ସିସିଟିଭି ଫୁଟେଜ୍‌ ଧରି ବୁଲୁଥିବା ବେଳେ ଦୁର୍ବୃତ୍ତମାନଙ୍କ ଟେର୍‌ ମିଳି ନ ଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନାନୁସାରେ, ଅଠାନ୍ତର ପଞ୍ଚାୟତ ଗିରିଙ୍ଗ ମହାନ୍ତି ସାହିରେ ଆଜି ବାସନ୍ତୀ ମଞ୍ଜରୀ ମହାନ୍ତି(୫୫) ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ବେକରୁ ୧୪ ଗ୍ରାମ୍‌ର ସୁନା ଚେନ୍‌ ଝାମ୍ପି ନେଇ ଫେରାର୍ ହୋଇ ଯାଇଛନ୍ତି। ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଥିବା ଦୃଶ୍ୟ ଅନୁସାରେ, ବାସନ୍ତୀ ତାଙ୍କ ଘର ସାମ୍ନା‌ରେ ଛିଡ଼ା ହୋଇଥିଲେ। ଏତିକିବେଳେ ଦୁଇଜଣ ଯୁବକ ବାଇକ୍‌ରେ ସେଠାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବାଇକ୍‌ ଉପରେ ବସି ରହିଥିଲା। ବାଇକ୍‌ ପଛରୁ ଓହ୍ଲାଇ ଅନ୍ୟ ଜଣେ ଠିକଣା ପଚାରିବା ବାହାନାରେ ତାଙ୍କ ପାଖକୁ ଯାଇଥିଲା। ବାସନ୍ତୀ କିଛି ବୁଝିବା ପୂର୍ବରୁ ହଠାତ୍ ଦୁର୍ବୃତ୍ତଜଣକ ଜୋରଜବରଦସ୍ତ ତାଙ୍କ ବେକରୁ ଚେନ୍‌ ଟାଣିବା ପାଇଁ ଉଦ୍ୟମ କରିଥିଲା। ବାସନ୍ତୀ ପ୍ରତିରୋଧ କରିବାରୁ ଲୁଟେରାଜଣଙ୍କ ଜୋତାରେ ତାଙ୍କ ଗୋଡ଼କୁ ମକଚି ଦେବା ସହ ତଣ୍ଟିକୁ ଚିପି ପକାଇଥିଲା ଓ ଚେନ୍‌ ଛିଡ଼ାଇ ନେଇଥିଲା। ଚେନ୍‌ ହାତରେ ପଡ଼ିବା ମାତ୍ରେ ଦୁର୍ବୃତ୍ତଦ୍ବୟ ବାଇକ୍‌ରେ ବସି ଚଣାହାଟ ଛକ ଅଭିମୁଖେ ପଳାଇଥିଲେ। ବାସନ୍ତୀ ଆବାକ୍‌ ହୋଇ କିଛି ସମୟ ନିରବ ହୋଇ ଯାଇଥିଲେ ଓ ପରେ ଚିତ୍କାର କରିଥିଲେ। ସେତିକିବେଳେ ସେହି ରାସ୍ତା ଦେଇ ଅନ୍ୟ ଏକ ବାଇକ୍‌ରେ ଜଣେ ଯୁବକ ଯାଉଥିଲେ। ବାସନ୍ତୀ ବିକଳ ହୋଇ ତାଙ୍କୁ ସାହାଯ୍ୟ ମାଗିଥିଲେ। କିନ୍ତୁ ଯୁବକ ଜଣକ କିଛି ନ ଶୁଣିଲା ପରି ଚାଲି ଯାଇଥିଲେ। ଏହି ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ୍‌ ହୋଇଛି। କିଛି ସମୟ ପରେ ଖବର ପାଇ ବାଲିପାଟଣା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ସିସିଟିଭିରୁ ଫୁଟେଜ୍‌ ସଂଗ୍ରହ କରି ଯାଞ୍ଚ କରିଥିଲା। ମାତ୍ର ସନ୍ଧ୍ୟା ସୁଦ୍ଧା କିଛି ବି ଟେର୍ ମିଳି ନଥିଲା।

ସେହିଭଳି ଆଜି ବାଲିଅନ୍ତା ଥାନା ଅଧୀନ ଭିଙ୍ଗାରପୁର ଗ୍ରାମରେ ଅପରାହ୍‌ଣ ସାଢ଼େ ୧୦ଟା ‌ବେଳେ ଦୁଇଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କ ବେକରୁ ୧୨ଗ୍ରାମ୍‌ ଓଜନର ସୁନାଚେନ୍‌ ଝାମ୍ପି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ, ନୀଳକଣ୍ଠ ସାହୁଙ୍କ ପତ୍ନୀ ବାସନ୍ତୀ ସାହୁ। ବାସନ୍ତୀଙ୍କ ପୁଅ ଅବକାଶ ବାଲିଅନ୍ତା ଥାନାରେ କରିଥିବା ଅଭିଯୋଗ ଅନୁସାରେ, ତାଙ୍କ ମାଆ ସବୁଦିନ ଭଳି ଦାଣ୍ଡ ପିଣ୍ଡାରେ ବସିଥିଲେ। ପଲସର୍‌ ବାଇକ୍‌ରେ ଦୁଇଜଣ ଯୁବକ ତାଙ୍କ ନିକଟରେ ପହଞ୍ଚିଥିଲେ। ବାସନ୍ତୀ କିଛି ବୁଝିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ତାଙ୍କ ମୁହଁକୁ ଚାପି ଧରି ସୁନାଚେନ୍‌ ଝାମ୍ପି ନେଇଥିଲା। ଅତର୍କିତ ଭାବେ ଘଟିଥିବା ଏହି ଲୁଟ୍‌ ପରେ ଭୟରେ ବାସନ୍ତୀ ନିର୍ବାକ୍ ହୋଇ ଯାଇଥିଲେ। ତେବେ ଦୁର୍ବୃତ୍ତଦ୍ବୟ ସେଠାରୁ ଫେରାର୍ ହୋଇଯିବା ପରେ ସେ ଚୋର ଚୋର ବୋଲି ଚିତ୍କାର କରିଥିଲେ। କିନ୍ତୁ ସେ‌ତେବେଳକୁ ଲୁଟେରାଦ୍ବୟ ସେଠାରୁ ଚମ୍ପଟ ମାରି ସାରିଥିଲେ। ପାଟି ଶୁଣି ଗ୍ରାମର ଯୁବକମାନେ ଦୁର୍ବୃତ୍ତମାନଙ୍କୁ ପିଛା କରିଥିଲେ ମଧ୍ୟ କାବୁ କରିବାରେ ସକ୍ଷମ ହୋଇନଥିଲେ। ବାଲିଅନ୍ତା ଥାନା ପୁଲିସ ଏହି ଲୁଟ୍‌ ମାମଲାରେ ନିଷ୍କ୍ରିୟତା ପ୍ରଦର୍ଶନ କରୁଛି ବୋଲି ଅବକାଶ ଅଭିଯୋଗ କରିଛନ୍ତି।

କ୍ୟୁଏଟି, ସ୍ପେସାଲ ସ୍କ୍ବାଡ୍ କରୁଛି କ’ଣ?
ଗତ ସପ୍ତାହକ ଭିତରେ ଲୁଟେରା ରାଜରାସ୍ତାରୁ ୫ରୁ ଅଧିକ ସୁନାଚେନ୍ ଲୁଟି ପୁଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଲୁଟେରାଙ୍କ ସାହସ ବଢ଼ି ବଢ଼ି ଚାଲିଛି। ଯାହା ଆଜିର ବାଲିପାଟଣାରେ ବୃଦ୍ଧାଙ୍କ ବେକରୁ ସୁନାଚେନ୍ ଲୁଟ୍ ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ଲୁଟେରା ପୂରା ନିର୍ଭୟରେ ଗାଡ଼ିରେ ଆସି ବୃଦ୍ଧାଙ୍କ ବେକକୁ ଧରି ସୁନାଚେନ୍ ଭିଡ଼ି ନେଉଛନ୍ତି। ଏହି ଗୋଟିଏ ନୁହେଁ, ଲକଡାଉନ୍ ସମୟରେ ବାଲିପାଟଣା ଅଞ୍ଚଳରେ ୩ଟି ସୁନାଚେନ୍ ଲୁଟିଲେଣି ଦୁର୍ବୃତ୍ତ। ବନମାଳୀପୁର ଡେରାସାହି ନିଶାମଣି ଦାସ ଓ ପଦ୍ମପୁର ଗ୍ରାମର ନିରୁପମା ମହାପାତ୍ରଙ୍କ ବେକରୁ ସମାନ ଢଙ୍ଗରେ ଚେନ୍‌ ଲୁଟ୍‌ ହୋଇଥିଲା। ସେହିପରି ଗତ ୪ ତାରିଖରେ ପୁରୁଣା ବସଷ୍ଟାଣ୍ଡ ନିକଟରେ ସପିଂ କରି ଫେରୁଥିବା ଜଣେ ଯୁବତୀ ଲୁଟ୍‌ର ଶିକାର ହୋଇଥିଲେ। ଲୁଟେରା ସୁନାଚେନ୍ ଭିଡ଼ିଲା ବେଳେ ଯୁବତୀ ଜଣଙ୍କ ପ୍ରାୟ ୨୦ଫୁଟ ଘୋଷାଡ଼ି ହୋଇ ଯାଇଥିଲେ। ଲକଡାଉନ୍ ସମୟରେ ରାଜଧାନୀରେ ଲୁଟେରା ବେଶ୍ ସକ୍ରିୟ ହୋଇ ଉଠିଛନ୍ତି। ପ୍ରାୟ ୫୦ରୁ ଅଧିକ ଲୁଟ୍ ଘଟାଇ ରାଜଧାନୀରେ ଆତଙ୍କ ଖେଳାଇ ଚାଲିଛନ୍ତି। ଅପରାଧ ଓ ଅପରାଧୀଙ୍କୁ ରୋକିବା ଲାଗି କମିସନରେଟ ପୁଲିସର କୁଇକ୍ ଆକ୍ସନ ଟିମ୍ ଓ ସ୍ପେସାଲ ସ୍କ୍ବାଡ୍ ରହିଛି। ଦୁଇ ଦୁଇଟି ସ୍ବତନ୍ତ୍ର ଉଇଙ୍ଗ୍ ଥିଲେ ବି ଲୁଟେରା ଧରା ନ ପଡ଼ିବା କମିସନରେଟ୍‌ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାହିଁକି ଲୁଟେରାଙ୍କୁ ଧରିପାରୁନି ପୁଲିସ? ଲୁଟେରାଙ୍କ ରଣନୀତି ଆଗରେ ଫେଲ୍ ମାରିଛି କି ପୁଲିସ? ନା ଲୁଟେରାଙ୍କୁ ଧରିବାରେ କରୋନା ମୁକାବିଲା ବାଧକ ସାଜିଛି? ପୁଲିସର ପାରିବାପଣିଆ ଏବେ ପଦାରେ ପଡ଼ିଛି।

ସମ୍ବନ୍ଧିତ ଖବର