ବସ୍‌ରେ ପ୍ରବାସୀ ମହିଳାଙ୍କ ମୃତ୍ୟୁ, ବେଙ୍ଗାଲୁରୁରୁ ବରଗଡ଼ ଫେରୁଥିଲେ

ସମ୍ବଲପୁର : ବେଙ୍ଗାଲୁରୁରୁ ବରଗଡ଼ ଜିଲ୍ଲାକୁ ଫେରୁଥିବା ଜଣେ ପ୍ରବାସୀ ମହିଳାଙ୍କ ଶୁକ୍ରବାର ସକାଳେ ବସ୍‌ରେ ମୃତ୍ୟୁ ଘଟିଛି। ସମ୍ବଲପୁରରେ କୋଭିଡ୍‌ ସତର୍କତା ପାଳନ କରାଯାଇ ତାଙ୍କ ମୃତ ଦେହ ବସ୍‌ରୁ ଉଦ୍ଧାର କରାଯିବା ସହ ରାଜଘାଟରେ ବୈଦ୍ୟୁତିକ ଚୂଲାରେ ଶବଦାହ କରାଯାଇଛି।

ମିଳିଥିବା ସୂଚନା ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାକୁ ଏକ ବସ୍‌ ଯୋଗେ ୧୧ ଜଣ ଯାତ୍ରୀ ଫେରୁଥିଲେ। ଏହି ଯାତ୍ରୀମାନେ ଟ୍ରେନ୍‌ରେ ଆସି ପ୍ରଥମେ ବାଲେଶ୍ବରରେ ପହଞ୍ଚିବା ପରେ ସେଠାରୁ ରାୟ ବାବୁ(ଓଡି ୦୧ ଏନ୍‌ ୯୫୯୫) ବସ୍‌ରେ ପଶ୍ଚିମ ଓଡ଼ିଶା ଅଭିମୁଖେ ଆସୁଥିଲେ। ଏହି ବସ୍‌ରେ ଥିବା ଅତାବିରା ଅଞ୍ଚଳର ଉକ୍ତ ମହିଳା(୫୦)ଙ୍କର ସମ୍ବଲପୁରଠାରେ ମୃତ୍ୟୁ ଘଟିଥିଲା। ଫଳରେ ଅନ୍ୟ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ସକାଳ ୧୧ଟାରେ ବସ୍‌ଟିକୁ ଅଇଁଠାପାଲି ଟିଏମ୍‌ସିକୁ ନିଆଯାଇଥିଲା। ସେଠାରେ ଅନ୍ୟ ଯାତ୍ରୀମାନେ ଓହ୍ଲାଇଥିଲେ। ସେପଟେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ପିନ୍ଧି ବସ୍‌ରୁ ମହିଳାଙ୍କ ଶବ ବାହାର କରିଥିଲେ। ତାଙ୍କ ସ୍ବାବ୍‌ ସଂଗ୍ରହ କରାଯିବା ପରେ ସଙ୍ଗେସଙ୍ଗେ ସମ୍ବଲପୁର ରାଜଘାଟରେ ଇଲେକ୍ଟ୍ରିକ୍‌ ଚୂଲା ଯୋଗେ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ତେବେ ମହିଳାଙ୍କ ମୃତ୍ୟୁ କିଡ୍‌ନି ରୋଗରୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର