ତୁଟୁନି ରଥ ଅଡ଼ୁଆ, ତିନି ରଥ ସିଂହଦ୍ୱାରକୁ ନ ଆସିଲେ ନୀତି ବନ୍ଦ!

କୋର୍ଟଙ୍କୁ ଅପେକ୍ଷା, ବିକଳ୍ପ ରାସ୍ତା ବାହାରିନି
ସରକାର, ଶ୍ରୀମନ୍ଦିର ପ୍ରଶାସନ ସମସ୍ତେ ଚୁପ୍‌
ଆଜି ଆଜ୍ଞାମାଳ ବିଜେ ହେବ କେମିତି?

ଭୁବନେଶ୍ବର/ ପୁରୀ : ୨୩ ତାରିଖ, ମଙ୍ଗଳବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ହେଲେ କିଭଳି ହେବ ମହାପ୍ରଭୁଙ୍କ ଘୋଷଯାତ୍ରା ନୀତି? ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରିପ୍ରେକ୍ଷୀରେ ମହାପ୍ରଭୁ ବଡ଼ଦାଣ୍ଡକୁ ଓହ୍ଲାଇବେ ନାହିଁ ବୋଲି ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ ଦେଇଛନ୍ତି। ଶ୍ରୀମନ୍ଦିର ଭିତରେ ରଥଯାତ୍ରାର ସ୍ବରୂପ ତେବେ କଣ ହେବ? କିଭଳି ମହାପ୍ରଭୁଙ୍କ ନୀତିକାନ୍ତି ସମାହିତ ହେବ? ଠାକୁରେ ଅଣସର ଘରୁ ଆସିବେ ନା ନାହିଁ?

ଏଭଳି ମାଳ ମାଳ ପ୍ରଶ୍ନ ସମଗ୍ର ବିଶ୍ବର ଶ୍ରୀଜଗନ୍ନାଥ ପ୍ରେମୀ, ସେବାୟତ ପ୍ରମୁଖଙ୍କୁ ଆନ୍ଦୋଳିତ କଲାଣି। ସମୟ ଯେତିକି ଗଡ଼ୁଛି, ସ୍ଥିତି ସେତିକି ଗମ୍ଭୀର ହେବାରେ ଲାଗିଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ନା ଶ୍ରୀମନ୍ଦିର ପ୍ରଶାସନ ଏ ସଂପର୍କରେ କିଛି ସ୍ପଷ୍ଟ କରିଛନ୍ତି ନା ରାଜ୍ୟ ସରକାର। ଆସନ୍ତାକାଲି ସୁପ୍ରିମକୋର୍ଟରେ ଏହି ମାମଲାର ପୁନଃବିଚାର ପାଇଁ ସମୟ ଧାର୍ଯ୍ୟ ହୋଇଥିବା ପରିପ୍ରେକ୍ଷୀରେ ସମସ୍ତେ ହାତ ବାନ୍ଧି ବସିଯାଇଛନ୍ତି କି? ଏଭଳି ସଂଶୟ ବଢ଼ିବାରେ ଲାଗିଛି।

ଆସନ୍ତାକାଲି ରଥଯାତ୍ରା ପ୍ରକ୍ରିୟାର ଏକ ଗୁରୁତ୍ବପୂର୍ଣ୍ଣ ଦିବସ। ଉଭାଯାତ୍ରା ଓ ରଥ ଆଜ୍ଞାମାଳ ବିଜେ ନୀତି ରହିଛି। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ରଥରେ ବିଜେ ହେବା ପରେ ତିନି ରଥକୁ ସିଂହଦ୍ବାରକୁ ଅଣାଯିବା କଥା। ଯଦି ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ବିଳମ୍ବରେ ଦିଅନ୍ତି, ତେବେ ଏହି ଦୁଇଟି ନୀତି କିଭଳି ସମ୍ପନ୍ନ ହେବ? ଯଦି ରଥଯାତ୍ରାକୁ ଅନୁମତି ମିଳିବ, ତେବେ ଯାଇ ଆଜ୍ଞାମାଳ ବିଜେ ହେବ ଓ ତିନି ରଥ ସିଂହଦ୍ବାରକୁ ଆସିବେ। ଯଦି ଆଜ୍ଞାମାଳ ବିଜେ ନୀତି ନ ହୁଏ, ତେବେ ମହାପ୍ରଭୁ ଅଣସର ଘରୁ କିଭଳି ଆଗକୁ ଆସିବେ? ଏମିତି ଅନେକ ଦ୍ବନ୍ଦ୍ବ ସୃଷ୍ଟି ହେଲାଣି।

ଶ୍ରୀମନ୍ଦିର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ସର୍ତରେ କହିଛନ୍ତି, ଯଦି ସୁପ୍ରିମକୋର୍ଟଙ୍କ ନିର୍ଦେଶନାମାରେ କିଛି ପରିବର୍ତନ ନ ହୁଏ ବା ରାଜ୍ୟ ସରକାର ଅଧ୍ୟାଦେଶ ଜାରି ନ କରନ୍ତି, ତେବେ ବର୍ତମାନର ନିର୍ଦେଶ ଅନୁସାରେ ନା ଆଜ୍ଞାମାଳ ବିଜେ ହୋଇପାରିବ ନା ରଥଚକଡ଼ାକୁ ତିନି ରଥ ଆସିପାରିବେ। ଅପରାହ୍ନ ମଧ୍ୟରେ ଯଦି କୌଣସି ନୂଆ ନିଷ୍ପତ୍ତି ନ ଆସିଲା, ତେବେ ଆଉ କିଛି ବାଟ ନାହିଁ। ସଂପୃକ୍ତ ଅଧିକାରୀଙ୍କର କହିବା କଥା ହେଉଛି, ଏ ଯାଏ ବିକଳ୍ପ ସୂତ୍ର ମଧ୍ୟ ନିର୍ଣ୍ଣୟ ହୋଇପାରିନାହିଁ।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର କେହି ବି ଏଯାଏ ଶଙ୍କରାଚାର୍ଯ୍ୟଙ୍କ ସହିତ ଆଲୋଚନା କରିନାହାନ୍ତି କିମ୍ବା ଏଭଳି ପରିସ୍ଥିତିରେ କି ବିକଳ୍ପ କରାଯାଇପାରିବ, ସେ ସଂକ୍ରାନ୍ତରେ ଉତ୍ତର ମଗାଯାଇନାହିଁ। ଶୁକ୍ରବାର ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୁପ୍ରିମକୋର୍ଟଙ୍କ ନିର୍ଦେଶର ପୁନଃବିଚାର ପାଇଁ ଆବେଦନ ଲାଗି ଅନୁରୋଧ କରିବା ସହିତ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବା ଲାଗି କହିଥିଲେ। ଶନିବାର ଓ ରବିବାର ଆଲୋଚନା ଭିତ୍ତିରେ ବିକଳ୍ପ ସୂତ୍ର ନିର୍ଣ୍ଣୟ ହେବାର ଥିଲା। ଯଦି ସୋମବାର କିଛି ନିଷ୍କର୍ଷ ନ ଆସେ, ତେବେ ଏହି ବିକଳ୍ପ ସୂତ୍ର ଆଧାରରେ ନୀତି କରାଯିବ ବୋଲି ଗଜପତି କହିଥିଲେ।

ଇତିମଧ୍ୟରେ ଗଜପତି ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଥିଲେ ହେଁ ଏହା ଉପରେ କୌଣସି ପଦକ୍ଷେପ ସରକାରୀସ୍ତରରେ ନିଆଯାଇଥିବା ସୂଚନା ମିଳିନାହିଁ। ସେପଟେ ଏହି ୪୮ ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ମଧ୍ୟ ବସିନାହିଁ କିମ୍ବା କିଛି ନୂଆ ରାସ୍ତା ବାହାର କରାଯାଇନାହିଁ।

ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ ତଥା ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି, ରାଜ୍ୟ ସରକାରଙ୍କୁ ପୁଣି ଥରେ ଅନୁରୋଧ କରାଯାଇଛି, ସେ ରଥଯାତ୍ରା କରିବା ଲାଗି ଅନୁମତି ଦିଅନ୍ତୁ। ବିନା ଭକ୍ତରେ ରଥଯାତ୍ରା କରାଯିବ। ଏଇଥିପାଇଁ ଯେ ଏହାର କୌଣସି ବିକଳ୍ପ ନାହିଁ ବା ଉଲ୍ଲେଖ ନାହିଁ। ଯଦି ଆସନ୍ତାକାଲି ମହାପ୍ରଭୁଙ୍କର ଆଜ୍ଞାମାଳ ବିଜେ ନୀତି ନ ହୁଏ, ତେବେ ରଥ ସିଂହଦ୍ବାର ତ ଆସିବା ଦୂରର କଥା, ମହାପ୍ରଭୁ ମଧ୍ୟ ଅଣସର ଘରୁ ବାହାରି ପାରିବେ ନାହିଁ। ବିନା ଦିଅଁମଙ୍ଗୁଳାରେ ବାହାଘର କେମିତି ହେବ ବୋଲି ଶ୍ରୀ ଦାସମହାପାତ୍ର ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର