ଶ୍ରୀମନ୍ଦିରକୁ ବଜ୍ରପାତ ବିପଦ ବଢ଼ୁଛି : ଆର୍ଥିଂରେ ଲାଗିଛି ଦୁର୍ବଳ ତାର, ପୁରୁଣା ବିରଳ ଧାତବ ଆର୍ଥିଂ ତାର ଗଲା କୁଆଡେ?

ନୀଳଚକ୍ରରୁ କାଟି ନେଇଥିବା ଅଧା ଇଞ୍ଚ ମୂଲ୍ୟବାନ ଧାତବ କେଉଁଠି?

ପୁରୀ: ଶ୍ରୀମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣକୁ ନେଇ ଏଏସ୍ଆ‌ଇ ( ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ) ପାଇଁ ବିବାଦ ନୂଆ କଥା ନୁହେଁ। ପ୍ରତିଥର ଏହାକୁ ନେଇ ବିବାଦ ଉପୁଜିଛି। । ଏବେ ରତ୍ନ ସିଂହାସନ ପଥର ବଦଳା ଯିବାକୁ ନେଇ ବିବାଦ ଥମିନି। ଠିକ୍ ଏମିତି ସମୟରେ ପୁଣି ଥରେ ଅତୀତର କିଛି ବିବାଦ ଜୀବନ୍ତ ହୋଇଉଠିଛି। ଏହା ଉଭୟ ଏଏସ୍ଆ‌ଇ, ଶ୍ରୀମନ୍ଦିର ପ୍ରଶାସନକୁ ଅଡ଼ୁଆରେ ପକାଇବାକୁ ଯାଉଛି। ଗତ ୩୦ ବର୍ଷ ତଳେ ଶ୍ରୀମନ୍ଦିରରୁ ବଦଳି ଥିବା ଶ୍ରୀମନ୍ଦିର ନୀଳଚକ୍ରର ସେହି ବିରଳ ଧାତବ ଆର୍ଥିଂ ତାର ଏବେ କେଉଁଠି ଅଛି, ତାକୁ ନେଇ ପ୍ରଶ୍ନ ଉଠିଲାଣି। ୨୦୦୩-୦୪ରେ ନୀଳଚକ୍ରରୁ ଏକ ଅଂଶ କାଟି ନିଆଯାଇଥି‌ଲା ବୋଲି ଅଭିଯୋଗ ହୋଇଥିଲା। କଟା ହୋଇଥିବା ଅଧା ଇଞ୍ଚ ନୀଳଚକ୍ର ଏବେ କାହା ପାଖରେ ଅଛି, ତାର ମଧ୍ୟ ପ୍ରମାଣ ହୋଇନ‌ାହିଁ। ଏହା ଅସତ୍ୟ ନୁହେଁ ବୋଲି ଜଣାପଡ଼ିବା ପରେ ବି ଅତି ସମ୍ବେଦନଶୀଳ ଏହି ଘଟଣାକୁ ନେଇ କାହିଁକି ଚାପିଦିଆଗଲା, ଅଧିକ ତଦନ୍ତ କରାଗଲା ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଚୁନରା ସେବକ ଶରତ ଚନ୍ଦ୍ର ମହାନ୍ତି।

କୁହାଯାଉଛି, ଶ୍ରୀମନ୍ଦିର‌ରେ ଏବେ ଏକ ଦୁର୍ବଳ ଆର୍ଥିଂ ଲାଗିଛି। ଫଳରେ ଶ୍ରୀମନ୍ଦିର ଆଉ ଆଗଭଳି ବଜ୍ରପାତ ସମ୍ଭାଳି ପାରୁନାହିଁ। ବଜ୍ରପାତ ହେ‌ଲେ ବାନା, ‌ବାଉଁଶ ଜଳିଯାଉଛି। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ନୂଆ କରି ଲଗାଇଥିବା ଆର୍ଥିଂ ପୂର୍ବଭଳି କ‌ାମ ଦେଉନାହିଁ ବୋଲି ଅଭିଯୋଗ ହୋଇଛି। ବରିଷ୍ଠ ଚୁନରା ସେବକଙ୍କ କହିବା କଥା, ଗତ ୩୦ ବର୍ଷ ତଳେ ସେମାନେ ଯେଉଁ ଆର୍ଥିଂ ଦେଖିଥିଲେ ତାହା ବଦଳାଯାଇଛି। ସେ ଆର୍ଥିଂ ତାର ଅଧିକ ଓଜନର ଥିଲା‌, ଏହା ବିରଳ ଧାତୁରେ ତିଆରି ହୋଇଥିଲା। ନୀଳ ରଙ୍ଗର ଥିଲା। ନୀଳଚକ୍ରରୁ ଶ୍ରୀମନ୍ଦିର କାନ୍ଥରେ ଏହା ମା’ ବିମଳାଙ୍କ ମନ୍ଦିର କୂଅ ପର୍ଯ୍ୟନ୍ତ ଯାଇଥିଲା। ଶହ ଶହ ବର୍ଷ ଧରି ଏହି ଆର୍ଥିଂ ଶ୍ରୀମନ୍ଦିରକୁ ବଜ୍ରପାତରୁ ରକ୍ଷା କରି ଆସୁଥିଲା। ମାତ୍ର ଶ୍ରୀମନ୍ଦିର ଚୁନ ଛଡା ହେବା ପରେ ଏହାକୁ ବଦଳାଗଲା।

ଏହା ବଦଳରେ ଏକ ପତଳା ତଥା ଦୁର୍ବଳ ତମ୍ବାର ଆର୍ଥିଂ ଲଗାଯାଇଛି। ଯାହା ଶ୍ରୀମନ୍ଦିରକୁ ବାରମ୍ବାର ବିପଦକୁ ଟାଣିଆଣୁଛି। ବଦଳାଯାଇଥିବା ପୁରୁଣା ଆର୍ଥିଂ ତାର ଏବେ କାହା ପାଖରେ ନାହିଁ। ଏହାକୁ ବହୁ ମୂଲ୍ୟରେ ବିକ୍ରି କରିଦିଆଯାଇଥିବା ନେଇ ଶ୍ରୀଜଗନ୍ନାଥ ‌ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଯଦି ରଖିଛନ୍ତି ତେବେ ତୁରନ୍ତ ସାମ୍ବାଦିକ ସମ୍ମିଳନୀ କରି ସେ ତାରକୁ ଦେଖାନ୍ତୁ ବୋଲି ସେ ଦାବି କରିଛନ୍ତି। ସେହିଭଳି ଚୁନରା ସେବକ ଶ୍ରୀ ମହାନ୍ତିଙ୍କ କହିବା କଥା, ଗତ ୨୦୦୩-୦୪ରେ ନୀଳଚକ୍ରର ଏକ ଅଂଶ କାଟି ନିଆଯାଇଥିଲା। ଏହାକୁ ନେଇ ‌ସେ ପ୍ରଥମେ ଅଭିଯୋଗ କରିଥିଲେ। ଏହାକୁ ନେଇ ତୁମ୍ବିତୋଫାନ ହୋଇଥିଲା। ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ରାଜେନ୍ଦ୍ର ମହାନ୍ତି ନିଜେ ଧୋତି ପିନ୍ଧି ନୀଳଚକ୍ର ପାଖକୁ ଯାଇଥିଲେ। ନୀଳଚକ୍ରରୁ ଅଧା ଇଞ୍ଚର କଟାଯାଇଥିବା କଥା ସେ ସ୍ବୀକାର କରିଥିଲେ। ଏହାକୁ ନେଇ ରାଜ୍ୟ ତମାମ ହୋହଲ୍ଲା ହୋଇଥିଲା। ମାତ୍ର ସମୟକ୍ରମେ ଏ ଘଟଣା ମଧ୍ୟ ଚପିଗଲା। ଏ ପର୍ଯ୍ୟନ୍ତ ସେ ଘଟଣାର କିଛି ପ୍ରମାଣ ମଧ୍ୟ ହେଲା ନାହିଁ କି ଏହି କଟା ଅଂଶ କେଉଁଠି ଅଛି ତାହା କେହି ଜାଣିପାରିଲେ ନାହି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର