ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ : ଓଡ଼ିଶାରେ ୯୩.୦୧% ପାସ୍‌, ଛାତ୍ର ଆଗରେ

ଭୁବନେଶ୍ବର ଜୋନ୍‌ର ପାସ୍‌ହାର ୯୩.୨୦%, କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବାଜିମାତ୍‌

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ୨୦୧୯ ତୁଳନାରେ ଏଥର ସାରା ଦେଶରେ ପାସ୍‌ହାର ବଢ଼ିଛି। ଓଡ଼ିଶା ସମେତ ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ନେଇ ଗଠିତ ଭୁବନେଶ୍ବର ଜୋନ୍‌ର ପାସ୍‌ହାର ଏଥର ୯୩.୨୦% ହୋଇଛି। ଜୋନ୍‌ରେ ମୋଟ ୯୮ ହଜାର ୮୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଲାଗି ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୯୮ ହଜାର ୨୨୩ ଜଣ ପରୀକ୍ଷା ଦେଇଥିବା ବେଳେ ୯୧ ହଜାର ୫୪୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପଶ୍ଚିମବଙ୍ଗର ପାସ୍‌ହାର ସର୍ବାଧିକ ୯୫.୨୪% ରହିଛି। ଓଡ଼ିଶାର ପାସ୍‌ହାର ୯୩.୦୧% ଓ ଛତିଶଗଡ଼ର ପାସ୍‌ହାର ୯୧.୩୯% ହୋଇଥିବା ସିବିଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି।

ଗତଥର ପରି ଏଥର ମଧ୍ୟ ଭୁବନେଶ୍ବର ଜୋନ୍‌ରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି।

ଜୋନ୍‌ରେ ୪୨ ହଜାର ୬୩୦ ଜଣ ଛାତ୍ରୀ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିଲେ। ୪୨ ହଜାର ୪୩୦ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୯ ହଜାର ୮୪୦ ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୯୩.୯୦% ରହିଛି। ପରୀକ୍ଷା ଦେଇଥିବା ୫୫ ହଜାର ୭୯୩ ଜଣ ଛାତ୍ରଙ୍କ ମଧ୍ୟରୁ ୫୧ ହଜାର ୭୦୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୯୨.୬୭% ରହିଛି। ତେବେ ଓଡ଼ିଶାରେ ଛାତ୍ରୀଙ୍କୁ ପଛରେ ପକାଇଛନ୍ତି ଛାତ୍ର। ୧୫ ହଜାର ୮୦୦ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୪ ହଜାର ୬୫୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୯୨.୭୪% ରହିଛି। ଯେତେବେଳେ କି ପରୀକ୍ଷା ଦେଇଥିବା ୨୦ ହଜାର ୯୩୫ ଛାତ୍ରଙ୍କ ମଧ୍ୟରୁ ୧୯ ହଜାର ୫୧୩ ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୯୩.୨୧% ରହିଛି। ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ଅଧିକ ରହିଥିବା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ ଛାତ୍ରୀଙ୍କ ପାସ୍‌ହାର ୯୬.୨୮% ଓ ଛାତ୍ରଙ୍କ ପାସ୍‌ହାର ୯୪.୫୦% ହୋଇଛି। ଛତିଶଗଡ଼ରେ ଛାତ୍ରଙ୍କ ପାସ୍‌ହାର ୯୦.୦୯% ଓ ଛାତ୍ରୀଙ୍କ ପାସ୍‌ହାର ୯୩% ରହିଛି।

ଜୋନ୍‌ରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକର ପାସ୍‌ହାର ଅନ୍ୟ ବିଦ୍ୟାଳୟ ତୁଳନାରେ ଅଧିକ ରହିଛି। କେନ୍ଦ୍ରୀୟ ବିଦ୍ୟାଳୟ ପାସ୍‌ହାର ୯୯.୪୦%, ଜବାହାର ନବୋଦୟ ବିଦ୍ୟାଳୟ(ଜେଏନ୍‌ଭି)ର ପାସ୍‌ହାର ୯୯.୨୩%, ସିଟିଏସ୍‌ଏର ପାସ୍‌ହାର ୯୯.୦୪%, ଘରୋଇ ବିଦ୍ୟାଳୟ(ଇଣ୍ଡିପେଣ୍ଡେଣ୍ଟ)ରେ ପାସ୍‌ହାର ୯୪.୨୬%, ସରକାରୀ ବିଦ୍ୟାଳୟରେ ପାସ୍‌ହାର ୭୭.୧୮%, ପ୍ରାଇଭେଟ୍‌ ସ୍କୁଲର ପାସ୍‌ହାର ୧୭.୬୨ ପ୍ରତିଶତ ହୋଇଛି। ଯଦି ମୋଟ ଉପରେ ଦେଖାଯାଏ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜେଏନ୍‌ଭିର ପାସ୍‌ହାର ୨୦୧୯ ତୁଳନାରେ ହ୍ରାସ ପାଇଥିବା ବେଳେ ଅନ୍ୟ ସମସ୍ତ ବର୍ଗ ସ୍କୁଲର ପାସ୍‌ହାର ବୃଦ୍ଧି ପାଇଛି। ଓଡ଼ିଶାରେ ସରକାରୀ ସ୍କୁଲରେ ୫୭୧୬ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୬୩୯ ଜଣ ପାସ୍‌ କରିଛନ୍ତି। ଘରୋଇ ବିଦ୍ୟାଳୟର ପରୀକ୍ଷା ଦେଇଥିବା ୨୪ ହଜାର ୫୯୬ ଜଣଙ୍କ ମଧ୍ୟରୁ ୨୩ ହଜାର ୨୩୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜେଏନ୍‌ଭିରେ ୨୦୮୩ ଜଣ ପରୀକ୍ଷା ଦେଇଥିଲେ। ୨୦୬୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟରେ ୪୨୦୮ ଜଣ ପରୀକ୍ଷା ଦେଇଥିବା ବେଳେ ୪୧୯୭ ଜଣ ପାସ୍‌ କରିଛନ୍ତି। ସିଟିଏସ୍‌ଏରେ ପରୀକ୍ଷା ଦେଇଥିବା ସମସ୍ତ ୯ ଜଣ ଯାକ ପରୀକ୍ଷାର୍ଥୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜୋନ୍‌ର ଦୁଇ ଜଣ ପରୀକ୍ଷାର୍ଥୀ ଏମ୍‌ପି(ମାଲ୍‌ପ୍ରାକ୍ଟିସ୍‌)ରେ ଧରାପଡ଼ିଛନ୍ତି। ଚଳିତବର୍ଷ ଭୁବନେଶ୍ବର ଜୋନ୍‌ର ୧୧୫୪ ବିଦ୍ୟାଳୟର ଛାତ୍ରଛାତ୍ରୀ ୩୨୧ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ।

ସମ୍ବନ୍ଧିତ ଖବର