ନୂଆଗାଁ ବ୍ଲକ୍‌ରେ ଫେଲ୍ ମାରିଛି ଗାଁ’ କଲ୍ୟାଣ ସମିତି ଯୋଜନା : ଦୁର୍ଗନ୍ଧରେ ଫାଟି ପଡ଼ୁଛି ଗାଁ’ ଦାଣ୍ତ

ନୂଆଗାଁ : ନୂଆଗାଁ ବ୍ଲକ୍ କାପ୍ତାପଲ୍ଲୀ ଏବଂ କେରସିଙ୍ଗ ଗ୍ରାମରେ ଫେଲ୍ ମାରିଛି ଗାଁ କଲ୍ୟାଣ ସମିତି ଯୋଜନା। ଏଠି ଲୋକମାନେ ଦୁର୍ଗନ୍ଧରେ ଶଢ଼ୁଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ଚିର ନିଦ୍ରାରେ ଥିବା ଜଣାପଡ଼ିଛି।

ଖବରରୁ ପ୍ରକାଶ, ପ୍ରତ୍ୟେକ ଗାଁକୁ ସରସ ସୁନ୍ଦର କରିବାକୁ ଗାଁ କଲ୍ୟାଣ ସମିତି ଯୋଜନା ମାଧ୍ୟମରେ ଟଙ୍କା ଖର୍ଚ୍ଚ କରାଯାଉଛି। ଏଥିରେ ଗାଁର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌କରଣ କରିବା ସହିତ ଗାଁକୁ ସଫାସୁତୁରା କରିବାର ବ୍ୟବସ୍ଥା ରହିଛି। କିନ୍ତୁ କାପ୍ତାପଲ୍ଲୀ ଏବଂ କେରସିଙ୍ଗ ଗ୍ରାମରେ ଏହି ଯୋଜନା ବାଟବଣା ହେଉଥିବା ଦେଖିବାକୁ ମିଳିଛି। ଗାଈ ଗୋବର ଏବଂ କାଦୁଅ ପଚପଚ ଯୋଗୁ ଲୋକମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ଗାଁରେ ଡ୍ରେନେଜ୍‌ ବ୍ୟବସ୍ଥା ନଥିବାରୁ ଗାଁ’ ଦାଣ୍ତରେ ପାଣି ଜମି ରହୁଛି। ଦୀର୍ଘଦିନ ଧରି ପାଣିରେ ଅଳିଆ, ଆବର୍ଜନା ଜମା ହେବା ଫଳରେ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ବର୍ଷାଦିନ ଆସିଲେ ଲୋକଙ୍କ ଭାଳେଣି ପଡ଼ୁଛି। ମାଛି, ମଶା, ଡାଆଁଶ ବଂଶ ବିସ୍ତାର କରି ଲୋକଙ୍କୁ ରୋଗଗ୍ରସ୍ତ କରି ସାରିଲେଣି। ଗାଁକୁ ସଫାସୁତୁରା କରିବାକୁ ଗାଁ କଲ୍ୟାଣ ସମିତି ମାଧ୍ୟମରେ ଟଙ୍କା ଆସୁଥିଲେ ମଧ୍ୟ କେଉଁ ବାବଦରେ ଅନୁଦାନ ଖର୍ଚ୍ଚ ହେଉଛି ତାହାର ଖବର କାହା ପାଖରେ ନାହିଁ। ଲୋକମାନେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଆଶାକର୍ମୀ କିମ୍ବା ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଅଣଦେଖା କରିଥିବା କାପ୍ତାପଲ୍ଲୀ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପ୍ରତ୍ୟେକ ବର୍ଷ ଗାଁ କଲ୍ୟାଣ ସମିତି ମାଧ୍ୟମରେ ହଜାର ହଜାର ଟଙ୍କା ପ୍ରତି ୱାର୍ଡକୁ ଦିଆଯାଉଛି। କିନ୍ତୁ ଏହି କାମ ନ ହୋଇ ଟଙ୍କା ବାଟମାରଣା ହେଉଥିବା ଲୋକେ କହିଛନ୍ତି। କାପ୍ତାପଲ୍ଲୀ ଏବଂ କେରସିଙ୍ଗ ଗାଁ ଆଦିବାସୀ ଅଂଚଳ ହୋଇଥିବାରୁ ସ୍ବାସ୍ଥ୍ୟ ବିଭାଗ ଏମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଏହାର ଏକ ତଦନ୍ତ କରିବା ସହିତ ତୁରନ୍ତ ଗାଁରୁ ଆବର୍ଜନା ପାଣି ବାହାର କରିବାର ବ୍ୟବସ୍ଥା କରିବାକୁ ଦୁଇଟି ଗାଁ’ର ବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର