ଧର୍ମଶାଳା ବିଡିଓଙ୍କ ମିଥ୍ୟା ସତ୍ୟପାଠକୁ ନେଇ ଉତ୍ତେଜନା, ୪ ଘଣ୍ଟା ଧରି ଅଟକ ରହିଲେ ଅଧିକାରୀ, ଉଦ୍ଧାର କଲା ପୁଲିସ

ଯାଜପୁର/ ଚଢେଇଧରା : ଯାଜପୁର ଜିଲ୍ଲାର ରାସନ କେଳେଙ୍କାରୀକୁ ନେଇ ଗାଁ ଗାଁରେ ତେଜିଛି ପ୍ରତିବାଦର ସ୍ବର। ଧର୍ମଶାଳା ବିଡିଓ ଏକ କୁଡ଼ିଆ ଘରକୁ ୬ବଖରା କୋଠାଘର ଦର୍ଶାଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିବା ଲୋକଲୋଚନକୁ ଆସିବା ପରେ ସମ୍ପୃକ୍ତ ମହିସରା ପଞ୍ଚାୟତର ରମ୍ପେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ଆଜି ତଦନ୍ତ କରିବାକୁ ରମ୍ପେଇ ଗାଁକୁ ଏମ୍‌ଆଇ ଜଗମୋହନ ଦାସ ଯାଇଥିବାବେଳେ ସଂଘବଦ୍ଧ ଗ୍ରାମବାସୀଙ୍କ ଦ୍ବାରା ହଟହଟାର ଶିକାର ହୋଇଛନ୍ତି। ଉତ୍ତ୍ୟକ୍ତ ଗ୍ରାମବାସୀ ତାଙ୍କୁ ୪ଘଣ୍ଟା ଧରି ଅଟକ ରଖିଥିବାବେଳେ ଧର୍ମଶାଳା ମହିଳା ପୁଲିସ ଓ ଜେନାପୁର ଥାନା ପୁଲିସ ଉଦ୍ଧାର କରିଛନ୍ତି।

ପ୍ରକାଶଥାଉକି, ଧର୍ମଶାଳା ବ୍ଲକର ରାସନ କେଳେଙ୍କାରୀ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ବିଚାରାଧୀନ ରହିଛି । ମହିସରା ପଞ୍ଚାୟତ ଅନ୍ତର୍ଗତ ରମ୍ପେଇ ଗ୍ରାମର ମନ୍ଦର ବିଶ୍ୱାଳଙ୍କ ପତ୍ନୀ ସ୍ଵର୍ଣଲତା ବିଶ୍ବାଳଙ୍କ ୬ ବଖରା କୋଠାଘର ଥିବାରୁ ରାସନରୁ ବଞ୍ଚିତ କରାଯାଇଛି ବୋଲି ଧର୍ମଶାଳା ବିଡିଓ ସ୍ମିତା ରଥ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତିl ବାସ୍ତବରେ ସ୍ଵର୍ଣ୍ଣଲତାଙ୍କ କୋଠଘର ନୁହେଁ ଭଙ୍ଗା କୁଡ଼ିଆ ଅଛି। ବିଡ଼ିଓଙ୍କର ମିଥ୍ୟା ସତ୍ୟପାଠ ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା l ସାଧାରଣ ଲୋକଙ୍କ ଅଭିଯୋଗ ନ ଶୁଣିବା, ଯୋଗ୍ୟ ହିତାଧିକାରୀଙ୍କୁ ରାସନ ନ ମିଳିବା, ରିଟେଲର ହିତାଧିକାରୀଙ୍କୁ ମାସ ମାସ ଧରି ରାସନ ନଦେବା କାରଣରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ଯୋଗାଣ ଅଧିକାରୀ ଜଗମୋହନ ଦାସଙ୍କ କହିବା କଥା ୧୯୧୫ ମସିହା ତଥ୍ୟକୁ ଆଧାର କରି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ତାହାର ତଦନ୍ତ କରିବାକୁ ସେ ଆସିଛନ୍ତି ବୋଲି ଗ୍ରାମବାସୀଙ୍କୁ ଏମ୍‌ଆଇ କହିଥିଲେ। ଏମ୍‌ଆଇଙ୍କ ସହିତ ବ୍ଲକର ଦୁଇ ଜଣ ପିଇଓ ମାନଗୋବିନ୍ଦ ବରାଳ ଓ ବିଜୟ କୁମାର ସାହୁ ଯାଇଥିଲେ l ଆଜି ଗାଁରେ ଏମ୍‌ଆଇ ଶ୍ରୀ ଦାସଙ୍କୁ ପାଇ କିଛି ଲୋକ ଠେଲାପେଲା କରି ବାନ୍ଧିବାକୁ କହୁଥିବାବେଳେ ଅନ୍ୟ କିଛି ଯୁବକ ତାଙ୍କୁ ଅଟକାଇଥିଲେ l ଭୁଲ ତଥ୍ୟ ସେ ଦେଇନାହାନ୍ତି ବୋଲି ଏମଆଇ ଶ୍ରୀ ଦାସ କହିଥିଲେ। ଯେଉଁ ଅଧିକାରୀ ଦେଇଛନ୍ତି ସେ ଆସିବା ପରେ ଯାଇ ଛାଡ଼ିବୁ ବୋଲି ଚେତାବନୀ ଦେଇଥିଲେ। ଏ ସଂପର୍କରେ ଏମ୍‌ଆଇ ଫୋନ ମାଧ୍ୟମରେ ବିଡ଼ିଓଙ୍କୁ ଅବଗତ କରିଥିଲେ। ଖବରପାଇ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଜେନାପୁର ଥାନାକୁ ଜଣାଇଥିଲେ l ଜେନାପୁର ଥାନାଧିକାରୀ ସୁଶାନ୍ତ କୁମାର ଦାସ ଓ ଧର୍ମଶାଳା ଥାନା ମହିଳା ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଇବା ସହ ରାସନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଏମ୍‌ଆଇ ଶ୍ରୀ ଦାସଙ୍କୁ ଛାଡ଼ିଥିଲେ।

ଏମ୍‌ଆଇଙ୍କ ହଟହଟା ସମୟର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ବେଳେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ମୁଖ୍ୟ ଶାସନ ସଚିବଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି। କରୋନା ସମୟରେ ଗରିବ ଓ ଅଭାବୀ ପରିବାର ରାସନ ପାଇଁ ବାରମ୍ବାର ଆପତ୍ତି ଅଭିଯୋଗ କରୁଥିଲେ ମଧ୍ୟ ଯୋଗାଣ ବିଭାଗ ଓ ବ୍ଲକ୍ ପ୍ରଶାସନ କର୍ଣ୍ଣପାତ କରୁନଥିବାରୁ ବିଭିନ୍ନ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଉଛି। ଗରିବ ପରିବାରକୁ ରାସନରୁ ବଞ୍ଚିତ କରି ଅସାଧୁମେଣ୍ଟ ହଡ଼ପ କରୁଥିବା ପଦାକୁ ଆସିଲେ ବି ପ୍ରଶାସନିକ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନନେଇ ଚୁପ୍‌ ରହୁଛନ୍ତି। ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷ ଏବେ ବିସ୍ଫୋରକ ରୂପ ନେବାରେ ଲାଗିଛି। ଜିଲ୍ଲା ପ୍ରଶାସନ ରାସନ ବଣ୍ଟନରେ ଥିବା ଅବ୍ୟବସ୍ଥାକୁ ଦୂର କରି ଭୋକିଲା ଲୋକଙ୍କ ନିକଟରେ ରାସନ ପଞ୍ଚାଇବାକୁ ପ୍ରାଥମିକତା ଦେବା ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର