ଅଶ୍ବିନଙ୍କୁ ଲେଗ୍ ସ୍ପିନ୍ ବୋଲିଂ କରିବାରୁ ରୋକିଥିଲେ ମୁରଲୀ

ମୁମ୍ବାଇ: ଶ୍ରୀଲଙ୍କାର କିଂବଦନ୍ତି ସ୍ପିନର ମୁଥୟା ମୁରଲୀଧରନ୍ ଏବଂ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ଗୁରୁବାର ଗୋଟିଏ ଫ୍ରେମରେ ‌ଦେଖିବାକୁ ମିଳିଥିଲେ। ଏହି ଦୁଇ ସଫଳ ବୋଲର ‘ସ୍ପିନ୍ ବୋଲିଂ’ର ଭବିଷ୍ୟତ ନେଇ ଅନଲାଇନରେ ଆଳାପ କରିବା କ୍ରିକେଟ୍ ପ୍ରେମୀଙ୍କ ପାଇଁ କୌଣସି ବଡ଼ ଉତ୍ସବଠାରୁ କମ୍ ନଥିଲା। ଅଶ୍ବିନ ଯେତେବେଳେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିଥିଲେ, ସେତେବେଳେ ତାଙ୍କୁ ଏକ ଟ୍ବେଣ୍ଟି-୨୦ ବିଶେଷଜ୍ଞ ଭାବେ ଦେଖାଯାଉଥିଲା। ବିବିଧତା ହିଁ ତାଙ୍କର ପ୍ରମୁଖ ଅସ୍ତ୍ର ଥିଲା। ତେବେ ସମୟକ୍ରମେ ସେ ଭାରତର ପ୍ରମୁଖ ଟେଷ୍ଟ୍ ବୋଲର ଭାବେ ନିଜକୁ ଗଢ଼ି ତୋଳିଥିଲେ। ମଜାଦାର କଥା ହେଲା ୨୦୧୭ ମସିହାଠାରୁ ଭାରତ ପାଇଁ ଅଶ୍ବିନ ଆଉ ସୀମିତ ଓଭର କ୍ରିକେଟ୍ ଖେଳିନାହାନ୍ତି। ଏବେ ବି କିନ୍ତୁ ବିବିଧତା ପ୍ରତି ତାଙ୍କର ଥିବା ଭଲ ପାଇବା ଅତୁଟ ରହିଛି। ସେପଟେ ମୁରଲୀ ବର୍ଷ ବର୍ଷ ଧରି ଶ୍ରୀଲଙ୍କା ସ୍ପିନ୍ ବୋଲିଂର ଅପ୍ରତିଦ୍ବନ୍ଦ୍ବୀ ନାୟକ ଥିଲେ। ଏହି ଦୁଇ ସ୍ପିନ୍ ଯାଦୁଗର ଚେନ୍ନାଇ ସୁପରକିଙ୍ଗ୍ସ ତରଫରୁ ଆଇପିଏଲ୍ ଖେଳୁଥିଲା ବେଳେ ମୁରଲୀ କିଭଳି ତାଙ୍କୁ ଲେଗ୍ ସ୍ପିନ୍ ବୋଲିଂ କରିବାରୁ ରୋକିଥିଲେ, ସେ ବିଷୟ ବର୍ଣ୍ଣନା କରିଥିଲେ ଅଶ୍ବିନ। ମୁରଲୀ ମଧ୍ୟ ଏହାର କାରଣ ତାଙ୍କୁ ବୁଝାଇ ଦେଇଥିଲେ। ଅଶ୍ବିନ ଅନଲାଇନରେ କରୁଥିବା ‘ଡିଆରଏସ୍ ୱିଥ୍ ଆସ୍’ କାର୍ଯ୍ୟକମରେ ଯୋଗଦେବା ଅବସରରେ ମୁରଲୀ ମଧ୍ୟ ନିଜ ଯୁବ ବେଳର ଅନେକ ରୋଚକ କଥାକୁ ଖୋଲି କହିଥିଲେ। ଖେଳ ଜୀବନର ଆରମ୍ଭରେ ସେ ଜଣେ ଦ୍ରୁତ ବୋଲର ଥିଲେ ବୋଲି ଏହି ଅବସରରେ କହିଥିଲେ। ଅଶ୍ବିନ ଓ ମୁରଲୀଙ୍କ ମଧ୍ୟରେ ହୋଇଥିବା କଥୋପକଥନର କିଛି ଅଂଶ ଆମେ ଏଠାରେ ଉପସ୍ଥାପନା କରୁଛୁ।

ମୁରଲୀ: ପାଠପଢ଼ା ବେଳେ ମୁଁ ଢେର ସମୟ ଲେଗ୍ ସ୍ପିନ୍ ବୋଲିଂ କରିଥିଲି। ଏହାର କାରଣ ଥିଲେ ରୁୱାନ କଳ୍ପଗେ। ସେ ଜଣେ ଅଫ୍ ସ୍ପିନର ଥିଲେ। ଆମ ବୟସ ବର୍ଗରେ ଆଉ ଜଣେ ବାମହାତୀ ଅଫ୍ ସ୍ପିନର ଥିଲେ। ଗୋଟିଏ ଦଳରେ ଦୁଇ ଜଣ ସ୍ପିନର ଥିବାରୁ ମୋତେ ଦଳରେ ସୁଯୋଗ ମିଳୁ ନଥିଲା। ଏଣୁ ବିବିଧତା ପାଇଁ ମୁଁ କିଛି ଦିନ ଲେଗ୍ ସ୍ପିନ୍ ବୋଲିଂ କଲି ଏବଂ ସେମାନେ ମୋତେ ଦଳରେ ନେଲେ। ଏଭଳି ବଲ୍ ପକାଇବାର ଆତ୍ମବିଶ୍ବାସ ମୋର ଥିଲା। ହେଲେ ଟେଷ୍ଟ୍ କ୍ରିକେଟ୍‌ରେ ଏହ ମୋତେ ଏତେ ସହାୟକ ହେବ ବୋଲି ଭାବି ନଥିଲି। ଲେଗ୍ ସ୍ପିନରଙ୍କ ପାଇଁ ଗୁଗ୍‌ଲି ପକାଇବା ସହଜ ହୋଇଥାଏ। ହେଲେ ବଲ୍‌କୁ ସଠିକ୍ ସ୍ଥାନରେ ଅବତରଣ କରିବା ବହୁତ କଷ୍ଟକର।

ଅଶ୍ବିନ: ଆପଣଙ୍କର ଏହି କଥା ଶୁଣିଲା ବେଳେ ମୋର ୧୯ ବର୍ଷରୁ କମ୍ ଦଳରୁ ଖେଳିବା କଥା ମନେପଡ଼ିଯାଉଛି। ଦଳରେ ସ୍ଥାନ ପାଇବା ଲାଗି ଆପଣ ଲେଗ୍ ସ୍ପିନ୍ ବୋଲିଂ କରିବେ, ଏହା ପରେ କିନ୍ତୁ ଅଫ୍ ସ୍ପିନ୍ ଆଡ଼କୁ ଢଳିବେ। ଆପଣଙ୍କର ମନେ ଥିବ, ଆପଣ ଥରେ ମୋତେ କହିଥିଲେ, ଲେଗ୍ ସ୍ପିନ୍ କାହିଁକି ବୋଲିଂ କରୁଛ, ଅଫ୍ ସ୍ପିନ୍ ପକା‌ଅ। ‘ତୁମେ ସେ କାମ ବହୁତ ଭଲା ଭାବରେ କରିପାର’। ଏକଥା ଆପଣ ‌ମୋତେ ସେତେବେଳେ କାହିଁକି କହିଥିଲେ?

ମୁରଲୀ: ମୁଁ ମଧ୍ୟ ୧୯ ବର୍ଷରୁ କମ୍ ଦଳରେ ସ୍ଥାନ ପାଇବା ଲାଗି ଲେଗ୍ ସ୍ପିନ୍ ‌ବୋଲିଂ କରିଥିଲି। ତୁମେ ଭାରତ ପକ୍ଷରୁ ଖେଳିବାକୁ ଯାଉଛ, ଦଳକୁ ଫେରିବାକୁ ସଂଘର୍ଷ କରୁଛ ଏବଂ ଚୟନକର୍ତ୍ତା ତୁମେ କେବଳ ଲେଗ୍ ସ୍ପିନ୍ ବୋଲିଂ କର ବୋଲି ଚାହୁଥିବେ। ତେବେ ଯେତେବେଳେ ତୁମେ ୱିକେଟ୍ ପାଇବ, ସେତେବେଳେ ହିଁ ତୁମ ଆତ୍ମବିଶ୍ବାସ ବଢ଼ିବ। ଏମିତି ନୁହେଁ ଯେ ତୁମକୁ କେବଳ ଲେଗ୍ ସ୍ପିନ୍ ବୋଲିଂ କରି ଏହାର ପ୍ରମାଣ ଦେବାକୁ ହେବ। ବରଂ ଅଫ୍ ସ୍ପିନ୍ ବୋଲିଂ ଅଧିକ ୱିକେଟ୍ ନିଅ। ଏହା ଏକ ଆହ୍ବାନ। ଏପରିକି ମୁଁ ମଧ୍ୟ ଏକଦା ଦଳରୁ ବାଦ ପଡ଼ିଥିଲେ। ସେମାନେ ମୋତେ ଦିନିକିଆ ଦଳରେ ନେଇ ନଥିଲେ। ହେଲେ ମୁଁ ଲେଗ୍ ସ୍ପିନ୍ ବୋଲିଂ କରିନଥିଲି। ମୁଁ ସେମାନଙ୍କୁ ମୋ ଅଫ୍ ସ୍ପିନରେ ଆହ୍ବାନ କଲି ଏବଂ ୱିକେଟ୍ ନେଇ ଦେଖାଇ ଦେଲି। ଏଣୁ ମୁଁ ସେତେବେଳେ ଭାବିଥିଲି ଯେ ତୁମେ ବୋଧେ ସେହି ଆହ୍ବାନକୁ ଭୁଲି ଯାଇଛ। ଏଣୁ ତୁମକୁ ଏଭଳି କହିଥିଲେ।

ଅଶ୍ବିନ: ଆପଣ ଏବେ ମୋତେ ଏକଥା କହୁଛନ୍ତି। ହେଲେ ଆପଣଙ୍କ ସେହି ମନ୍ତବ୍ୟ ପରେ ମୁଁ କେବଳ କ୍ୟାରମ୍ ବଲ୍ ଓ ଅଫ୍ ସ୍ପିନ୍ ବୋଲିଂ କରୁଥିଲି। ଏପରିକି ପରବର୍ଷ ମଧ୍ୟ ଲେଗ୍ ସ୍ପିନ୍ ବୋଲିଂ କରି ନଥିଲି।

ମୁରଲୀ: ସେଥିପାଇଁ ତୁମେ ଆଜି ଏହି ସ୍ଥିତିରେ ପହଞ୍ଚିଛ।

ସମ୍ବନ୍ଧିତ ଖବର