ବଗଲା ବିକ୍ରି ପଛରେ କିଏ ! ଘଟଣାକୁ ନେଇ ବଢ଼ିବାରେ ଲାଗିଛି ଅଡ଼ୁଆ

ପୁରୀ : ବଗଲା ଧର୍ମଶାଳାକୁ ବିସ୍ଥାପିତମାନଙ୍କୁ ଟେକିଦେବା ଘଟଣାକୁ ନେଇ ଅଡ଼ୁଆ ବଢ଼ିବାରେ ଲାଗିଛି। ପ୍ରଶାସନର ମନମାନି, ଏକଚାଟିଆ ନିଷ୍ପତ୍ତି ବିରୋଧରେ ଅଭିଯୋଗ ବଢିବାରେ ଲାଗିଲାଣି। ଗୋଟିଏ ପଟେ ବିକ୍ରି ହୋଇସାରିଥିବା ବଗଲା ଧର୍ମଶାଳା ଜମିକୁ ଫେରାଇ ଆଣିବାକୁ ପୁଣି ଥରେ ହାଇକୋର୍ଟରେ ଆବେଦନ ହୋଇଥିବା ବେଳେ ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ଆଜି ଜିଲ୍ଲା ବିଜେପି ରାଜରାସ୍ତାକୁ ଓହ୍ଲାଇଛି। ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ନେତୃତ୍ବରେ ଆଜି ଏକ ପ୍ରତିନିଧି ଦଳ ବଗଲା ସମ୍ମୁଖରେ ଧାରଣାରେ ବସିବା ସହିତ ଗରିବଙ୍କ ଜୀବନ ବଗଲାକୁ ବିକ୍ରି ନକରିବାକୁ ଦାବି କରିଛି। ବଗଲା ଜମି‌ରେ ପୂର୍ବ ଭଳି ଧର୍ମଶାଳା ହେଉ, ବଗଲା ଗରିବଙ୍କୁ ପୂର୍ବ ଭଳି ସେବା ଯୋଗାଇ ଦେଉ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି। ଏହାକୁ ନେଇ ଚାରିଆଡୁ ଚାପ ବଢିବା ପରେ ଜିଲ୍ଲା ପ୍ରଶାସନ ଅକଳରେ ପଡ଼ିଛି। ସରକାରଙ୍କ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି। ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ‌ଯୋଗୁଁ ଏବେ ବିଶ୍ବଐତିହ୍ୟ ନଗରୀ ପ୍ରକଳ୍ପ ସଙ୍କଟ ଭିତରକୁ ଠେଲି ହୋଇଯାଇଛି।

ବଗଲା ଜମି ବିକ୍ରିକୁ ନେଇ ଜିଲ୍ଲା ପ୍ରଶାସନ ଏକ ଗୁରୁଚାଣ୍ଡାଳ ତ୍ରୁଟି କରିଥିବା ଅଭିଯୋଗ ହୋଇଛି। ବଗଲା ଧର୍ମଶାଳା ଜମି ମହାପ୍ରଭୁଙ୍କ ଅମୃତମ‌ଣୋହି ସଂପତ୍ତି ହୋଇଥିବା ଦୃଷ୍ଟିରୁ ନିୟମ ଅନୁସାରେ ଜିଲ୍ଲା ପ୍ରଶାସନ ଜମି ବିକ୍ରି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନରୁ ଏନଓସି ନେଇ ନାହାନ୍ତି। ନିୟମ ମୁତାବକ, ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ଥିବା ଜମି ବିକ୍ରି ଖର୍ଦି ପୂର୍ବରୁ ଏନଓସିର ଆବଶ୍ୟକତା ରହିଛି। ଗତ ୨୦୧୯ ଫେବ୍ରୁଆରି ୫ ତାରିଖରେ ଚିଠି ନଂ ୧୧୯୯ରେ ଶ୍ରୀମନ୍ଦିର ପ୍ରଶାସନ ବଗଲା ଜମିରେ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମା‌ଣ ପାଇଁ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ( ପିକେଡିଏ)କୁ ଏନଓସି ଦେଇଥିଲେ। ପର୍ଯ୍ୟଟନ ବିଭ‌ାଗର ସହକାରୀ ନିର୍ଦ୍ଦେଶକଙ୍କ ଦରଖାସ୍ତ ଉପରେ ଏନଓସି ଦେଇଥିଲେ। କିନ୍ତୁ ଜମି ବିକ୍ରି ପାଇଁ କୌଣସି ସମ୍ମତି ଦେଇନାହାନ୍ତି।

ମହାପ୍ରଭୁଙ୍କ ଜମିରେ ମାମଲତି
ଶ୍ରୀମନ୍ଦିର ପ୍ରଶାସନଠୁ ନେଇ ନାହାନ୍ତି ଏନ୍ଓ‌ସି
ଜିଲ୍ଲାପାଳ ପୌର ସଂସ୍ଥା ସଂପତ୍ତି ବିକିଲେ କେମିତି
ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ବିଜେପିର ଧାରଣା

୧୮୮୯-୯୦ ସାବକ ରେକର୍ଡ ଅନୁସାରେ ଏ ଜମି ମହାପ୍ରଭୁଙ୍କ ନାମରେ ରେକର୍ଡ ହୋଇଛି। ସେ‌ତେବେଳର ଦାଣ୍ଡିମାଳ ସାହି ମୌଜା ଖାତା ନଂ ୧୨, ପ୍ଲଟ ନମ୍ବର ୯୦,୯୧,୯୨,୯୩ ଓ ୯୭ ମୋଟ ୩ ଏକର ୧୯୦ ଡେସିମିଲ ଜମି ଥିଲା। ଏହା ଶ୍ରୀଜଗନ୍ନାଥ ମହାପ୍ରଭୁ/ମାର୍ଫତଦାର ଭଗବାନ ରାମାନୁଜ ଦାସ ଗୁରୁ ହୟଗ୍ରୀବ, ରମାନୁଜ ଦାସଙ୍କ ନାମରେ ଥିଲା। ୧୮୮୯ ବନ୍ଦୋବସ୍ତରେ ଏହା ରହିଥିଲା। ପରେ ଏହା ବଳଗଣ୍ଡି ମୌଜାର ଖାତା ନମ୍ବର ୨୪୨, ପ୍ଲଟ୍‌ ନମ୍ବର ୪୯୩, ୪୯୪, ୪୯୫, ୪୯୬, ୪୫୯ରେ ୨ ଏକର ୫୭୪ ଡେସିମିଲ ଜମି ଲଜିଂ ହାଉସ ଫଣ୍ଡ ପୁରୀ ନା‌ମ‌ରେ କରାଯାଇଥିଲା। ତେବେ ମୂଳ ରେକର୍ଡରେ ଏହା ଅମୃତମଣୋହି ଜମି ହୋଇଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନର ଏନଓସି ଅପରିହାର୍ଯ୍ୟ ଅଟେ। ଯାହା ଜିଲ୍ଳା ପ୍ରଶାସନ ନେଇନଥିବା ଜଣାପଡିଛି। ଓଲଟା ଶ୍ରୀଜଗନ୍ନାଥ ବିଶ୍ରାମ ସ୍ଥଳୀ ନିର୍ମାଣ ପାଇଁ ମିଳିଥିବା ଏନଓସିକୁ କର୍ତୃପକ୍ଷ ବ୍ୟବହାର କରିଥିବା ଜଣାପଡିଛି। ସେହିଭଳି ଲଜିଂ ହାଉସ ଫଣ୍ଡ ବା ବର୍ତ୍ତମାନର ପୁରୀ ପୌର ପରିଷଦ ବଗଲା ଜମିର ମାଲିକ ଥିବାରୁ ଏଥିପାଇଁ ପୌର ପରିଷଦର ଅନୁମତି ଅପରିହାର୍ଯ୍ୟ। ଗତ ୨୦୧୮ ଅକ୍ଟୋବର ପହିଲାରୁ ପୁରୀ ପୌର ପରିଷଦ ଭାଂଗି ଦିଆଯାଇଛି। ଅକ୍ଟୋବର ପହିଲାରୁ ନିର୍ବାଚିତ ପରିଷଦ ଏବେ ଆଉ ନାହ‌ିଁ। ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ରହିଛନ୍ତି।

ପ୍ରାୟ ଦୁଇବର୍ଷ ହେବ ଜିଲ୍ଲାପାଳ ଏହି ଦାୟିତ୍ବରେ ରହିଛନ୍ତି। ପୌର ପରିଷଦ ଜମିକୁ ରାଜସ୍ବ ବିଭାଗକୁ ହସ୍ତାନ୍ତର ନିଷ୍ପତ୍ତି ନିର୍ବ‌ାଚିତ କାଉନସିଲ ବିନା ଅନୁମତିରେ କିଭଳି ସମ୍ଭବ ହେଲା? ଏଥିପାଇଁ ପୌର ପରିଷଦ ଆକାଉଣ୍ଟକୁ ‌କେତେ ଟଙ୍କା ଆସିଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ସେହିଭଳି ବଗଲାକୁ ଲାଗିଥିବା ମହାବୀର ଧର୍ମଶାଳା ଓ ବଗଲାର ୪୫ ଡେସିମିଲ ଜମିରେ ରହିଥିବା ଏକ ବିଶାଳ କୋଠାକୁ ଏବେ ଅକ୍ଷୟ ପାତ୍ର ଫାଉଣ୍ଡେସନ୍‌ ବ୍ୟବହାର କରୁଛି। ସରକାରଙ୍କ ମିଡ୍‌ ଡେ ମିଲ ପାଇଁ ଏହା ବ୍ୟବହାର ହେଉଛି। ତେବେ ଅକ୍ଷୟପାତ୍ର ଫାଉଣ୍ଡେସନକୁ ଏ କୋଠା ବିନା ଭଡାରେ ଦିଆଯାଇଛି। ଗତ ୧୫ ବର୍ଷ ହେବ ସଂସ୍ଥା ଟଙ୍କାଟିଏ ଭଡା ଲଜିଂ ହାଉସ ଫଣ୍ଡ ବା ବର୍ତ୍ତମାନର ପୌର ସଂସ୍ଥାକୁ କାହିଁକି ଦେଉନାହିଁ ତାକୁ ନେଇ ମଧ୍ୟ ଆଉ ଏକ ବଡ ପ୍ରଶ୍ନ ଠିଆହୋଇଛି। କାହା ଇସାରାରେ ଜିଲ୍ଲା ପ୍ରଶାସନ ସବୁ ଆଇନକାନୁନକୁ ଗିଳିଦେବାକୁ ବସିଛି, ତାହା ଏବେ ବଡ଼ ପ୍ରଶ୍ନ ଭାବେ ଉଭା ହେଲାଣି।

ସମ୍ବନ୍ଧିତ ଖବର