ଆଧାର କାର୍ଡ ପାଇଁ କଜିଆ କଲେ ଡାକ୍ତରଖାନା ଓ ପରିବାର: ଜୀବନ ଗଲା କାର୍ଗିଲ୍‌ ସହିଦଙ୍କ ବିଧବା ପତ୍ନୀଙ୍କର

ରୋହତକ: କାର୍ଗିଲ୍‌ ଯୁଦ୍ଧରେ ସହିଦ ହୋଇଥିବା ଜଣେ ଯବାନଙ୍କ ୫୫ ବର୍ଷୀୟ ବିଧବା ପତ୍ନୀ ଡାକ୍ତରୀ ଚିକିତ୍ସା ବିନା ଶୁକ୍ରବାର ଦିନ ମୃତ୍ୟୁ ବରଣ କରିଛନ୍ତି। ସୋନିପତ୍‌ର ଏକ ଘରୋଇ ଡାକ୍ତରଖାନା ତାଙ୍କର ଆଧାର କାର୍ଡ ପାଇଁ ଅଡ଼ି ବସିବାରୁ ଏ ଭଳି ଅଘଟଣ ଘଟିଥିବା କୁହାଯାଉଛି।

ସୋନିପତ୍‌ର ଟ୍ୟୁଲିପ୍‌ ହସ୍‌ପିଟାଲ ଏ ଅଭିଯୋଗକୁ ଅସ୍ୱୀକାର କରି କହିଛି: ସେମାନେ ରୋଗୀକୁ ଆଡ୍‌ମିଟ୍‌ କରିବାକୁ ପ୍ରସ୍ତୁତି କରୁଥିବାବେଳେ ତାଙ୍କ ପରିବାର ଲୋକେ ତାଙ୍କୁ ଫେରାଇ ନେଇଥିଲେ। ରୋଗୀଙ୍କୁ ଜରୁରୀକାଳୀନ ଓ୍ଵାଡ୍‌କୁ ନିଆ ଯାଉଥିବାବେଳେ ସେମାନେ ତାଙ୍କର ପ୍ରକୃତ ଆଧାର କାର୍ଡ ମାଗିଥିବା କଥା ସ୍ୱୀକାର କରିଛନ୍ତି।

ସରକାରଙ୍କ ନିୟମ ଅନୁସାରେ, ରୋଗୀ ଆଡ୍‌ମିସନ୍‌ ପାଇଁ ୧୨ ଅଙ୍କବିଶିଷ୍ଟ ଆଧାର କାର୍ଡ ହିଁ ଯଥେଷ୍ଟ।

ସହିଦ ହାବିଲଦାର ଲକ୍ଷ୍ମଣ ଦାସଙ୍କ ପତ୍ନୀ ଶକୁନ୍ତଳା ଦେବୀ କେବଳ ଗଳା କର୍କଟ ରୋଗ ଭୋଗୁ ନ ଥିଲେ, ସେ ଥିଲେ ଜଣେ ହୃଦ୍‌ରୋଗିଣୀ।

ଲକ୍ଷ୍ମଣ କାର୍ଗିଲ୍‌ ନିକଟସ୍ଥ ମୁସ୍‌କୋ ଉପତ୍ୟକାରେ ଅଷ୍ଟମ ଜାଟ୍‌ ରେଜିମେଣ୍ଟ୍‌ରେ ନିଯୁକ୍ତି ପାଇଥିଲେ। ଜୁନ୍‌ ୯ ତାରିଖ ୧୯୯୯ ମସିହାରେ ଅନୁପ୍ରବେଶକାରୀଙ୍କ ସହ ଗୁଳି ବିନିମୟ ବେଳେ ଗୁଳି ଚୋଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୋନିପତ ମହଲନା ଗ୍ରାମନିବାସୀ ତାଙ୍କ ପୁତ୍ର ପବନ କୁମାର ବାଲିୟାଁ କହନ୍ତି, କିଛି ଦିନ ହେବ ମାଆଙ୍କ ଦେହ ଭଲ ରହୁ ନ ଥିଲା। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ଚାଲିବାରୁ ସୋନିପତ୍‌ସ୍ଥିତ ଏକ୍ସ-ସର୍ଭିସ୍‌ମେନ୍‌ କଣ୍ଟ୍ରିବ୍ୟୁଟରି ହେଲ୍‌ଥ୍‌ ସ୍କିମ୍‌ ହସ୍‌ପିଟାଲ୍‌କୁ ନେଇ ବୁଧବାର ସନ୍ଧ୍ୟାରେ ଟ୍ୟୁଲିପ୍‌ ହସ୍‌ପିଟାଲ୍‌ ପାଇଁ ରେଫେରାଲ୍‌ ସ୍ଲିପ୍‌ କରାଇଥିଲୁ।

ଗୁରୁବାର ସକାଳେ ତାଙ୍କୁ ନେଇ ଟ୍ୟୁଲିପ୍‌ ହସ୍‌ପିଟାଲ୍‌ ଗଲୁ। ଆଧାର କାର୍ଡ ପାଇଁ ହସ୍‌ପିଟାଲ୍‌ ଜିଗର କଲା। ମୋ ପାଖରେ ମାଆଙ୍କର ଆଧାର କାର୍ଡ ନ ଥିଲା। ଘରୁ ହ୍ଵାଟସ୍‌ଆପ୍‌ ଯୋଗେ ତାଙ୍କ ଆଧାର କାର୍ଡର ଏକ ଫଟୋ ମଗାଇ ଦେଖାଇଲି। କିନ୍ତୁ, ପ୍ରକୃତ ଆଧାର କାର୍ଡ ବିନା ଡାକ୍ତରଖାନାର କର୍ମଚାରୀମାନେ ଚିକିତ୍ସା ଆରମ୍ଭ କଲେ ନାହିଁ।

ମୁଁ ବିବ୍ରତ ହୋଇ ମ୍ୟାନେଜ୍‌ମେଣ୍ଟ୍‌ରୁ ଅନ୍ୟ ଜଣକୁ ଡକାଇବାକୁ ସେମାନଙ୍କୁ କହିଲି। ଜଣେ ମଧ୍ୟ ବୟସ୍କା ମହିଳା ବାହାରି ଆସି ମତେ କହିଲେ କି, ଆଧାର ଆଣ, ନାହିଁ ତ ଡାକ୍ତରଖାନା ହତା ଭିତରୁ ବାହାରି ଯାଅ। ମୁଁ ଜିଦ୍ଦି ଧରିବାରୁ ସେମାନେ ସ୍ଥାନୀୟ ପୁଲିସବାଲାଙ୍କୁ ଡାକିଲେ। ସେମାନେ ଆସି ମୁଁ ଗଣ୍ଡଗୋଳ କରୁଛି କହି ମତେ ଧମକଚମକ ଦେଲେ।

ଦେଢ଼ ଘଣ୍ଟା ପରେ ମଧ୍ୟ ସେମାନେ ଆଡ୍‌ମିସନ୍‌ ନ କରିବାରୁ ଛାତି ଯନ୍ତ୍ରଣା ଯୋଗୁଁ କାନ୍ଦୁଥିବା ମାଆଙ୍କୁ ମୁଁ ଇସିଏଚ୍‌ଏମ୍‌ଏସ୍‌କୁ ଫେରାଇ ନେଲି। ସେମାନେ ଅନ୍ୟ ଏକ ଘରୋଇ ଡାକ୍ତରଖାନାକୁ ରେଫର୍‌ କଲେ। ମୁଁ ଅନ୍ୟ ଏକ ରେଫେରାଲ୍‌ ଲେଟର୍‌ ଆଣିବାକୁ ବ୍ୟସ୍ତ ଥିବାବେଳେ ମାଆ ମରି ଗଲେ।

ଘରୋଇ ଡାକ୍ତରଖାନାରେ ମାଆଙ୍କୁ ଭର୍ତ୍ତି କରିବାର ସେମାନଙ୍କର ସାମର୍ଥ୍ୟ ନାହିଁ ବୋଲି ପେଟ୍ରୋଲ୍‌ ପମ୍ପ୍‌ରେ କାମ କରୁଥିବା ବଲିୟାଁ ସୋନିପତସ୍ଥିତ ଇସିଏଚ୍‌ଏସ୍‌କୁ ଜଣାଇଥିଲେ।

କିନ୍ତୁ, ଟ୍ୟୁଲିପ୍‌ ହସ୍‌ପିଟାଲ୍‌ର ଡାକ୍ତର ଅଭିମନ୍ୟୁ କୁମାର ଏ କଥା ଅସ୍ୱୀକାର କରି ସିସିଟିଭି କ୍ୟାମେରା ଫୁଟେଜ୍‌ ଦେଖିବାକୁ କହିଛନ୍ତି। ସେଥିରେ ସେମାନେ ରୋଗୀଙ୍କୁ ଆଡ୍‌ମିସନ୍‌ କରୁଥିବାର ପ୍ରସ୍ତୁତି ଦୃଶ୍ୟ ରହିଛି ବୋଲି ସେ କହନ୍ତି।

ସମ୍ବନ୍ଧିତ ଖବର