ଅଦାଲତ ଅବମାନନା ମାମଲା: ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ରାୟ ସଂରକ୍ଷିତ

ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୦ରେ, ତିରସ୍କାର କରି ଛାଡ଼ି ଦିଆଯାଉ: କେ.କେ. ବେଣୁଗୋପାଳ

ନୂଆଦିଲ୍ଲୀ: ସାମାଜିକ କର୍ମୀ ତଥା ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଅଦାଲତ ଅବମାନନା ମାମଲାରେ ସୁପ୍ରିମ୍‌ କୋର୍ଟ ଆଜି ପୁଣି ରାୟ ସଂରକ୍ଷିତ ରଖିଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ‌ସେପ୍‌ଟେମ୍ବର ୧୦ରେ ହେବ। ବିଚାରପତି ଅରୁଣ ମିଶ୍ରଙ୍କ ନେତୃତ୍ବରେ ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି, ଉପଯୁକ୍ତ ସମାଲୋଚନାକୁ କୋର୍ଟ ସ୍ବାଗତ କରୁଛନ୍ତି। ମାତ୍ର ଏହାର ଅର୍ଥ ନୁହେଁ ଯେ ସମାଲୋଚନା ନାମରେ କୋର୍ଟ ଏବଂ ବିଚାରପତିଙ୍କ ଗରିମା କ୍ଷୁଣ୍ଣ କରିବା। ବିଚାରପତି ଏବଂ ଆଇନଜୀବୀ ଗୋଟିଏ ଅନୁଷ୍ଠାନରେ କାର୍ଯ୍ୟ କରନ୍ତି ଏବଂ ସେମାନେ ଏକତ୍ର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ କାମ କରିବା ଉଚିତ୍‌ ବୋଲି କୋର୍ଟ କହିଛନ୍ତି। ଅପରପକ୍ଷେ, ପ୍ରଶାନ୍ତ ଭୂଷଣଙ୍କ ପାଇଁ ମାମଲା ଲଢୁଥିବା ଓକିଲ ରାଜୀବ ଧାୱନ କହିଛନ୍ତି, ସୁପ୍ରିମ୍‌ କୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ଦଣ୍ଡ ନଦିଅନ୍ତୁ। ଏହି ମାମଲାକୁ କୋର୍ଟ ଅଧିକ ଜଟିଳ ନ କରି ଏହାର ଆଶୁ ସମାଧାନ କରିବା ଦିଗରେ ପ୍ରୟାସ କରନ୍ତୁ ବୋଲି ଧାୱନ କହିଛନ୍ତି। ଅଦାଲତ ତାଙ୍କୁ ସତର୍କ କରାଇ ଦେଇ ଛାଡ଼ି ଦେବା ଆବଶ୍ୟକ ବୋଲି ଧାୱନ ଅଦାଲତଙ୍କୁ କହିଥିଲେ। ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ମଧ୍ୟ ସମାନ ମତ ଦେଇଥିଲେ।

ପ୍ରଶାନ୍ତ ଭୂଷଣଙ୍କୁ ତିରସ୍କାର କରି ଛାଡ଼ି ଦିଆଯିବା ଉଚିତ। ଏଥିସହିତ ସେ ଏହା ମଧ୍ୟ କହିଥି‌ଲେ, ପ୍ରଶାନ୍ତ ଭୂଷଣ କ୍ଷମା ମାଗିଲେ ଅସୁବିଧା କେଉଁଠି? ପ୍ରଶାନ୍ତ ଭୂଷଣ ନିଜର ସମସ୍ତ ମନ୍ତବ୍ୟକୁ ତୁରନ୍ତ ପ୍ରତ୍ୟାହାର କରି ନିଅନ୍ତୁ ଏବଂ ଏଥିପାଇଁ ଦୁଃଖପ୍ରକାଶ କରନ୍ତୁ ବୋଲି ବେଣୁଗୋପାଳ କହିଥିଲେ। ସୂଚନାଯୋଗ୍ୟ, ଗତକାଲି ଅଦାଲତ ଅବମାନନା ମାମଲାରେ ସୁପ୍ରିମ କୋର୍ଟଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ପ୍ରଶାନ୍ତ ଭୂଷଣ ମନା କରି ଦେଇଥିଲେ। କ୍ଷମା ମାଗିବାକୁ ତାଙ୍କ ବିବେକ ଅନୁମୋଦନ କରୁନାହିଁ। ଯଦି ସେ କ୍ଷମା ମାଗିବେ ଏହା ତାଙ୍କ ଅନ୍ତରାତ୍ମା ପ୍ରତି ଅବମାନନା ହେବ ବୋଲି ପ୍ରଶାନ୍ତ ଭୂଷଣ କହିଥିଲେ। ସୁପ୍ରିମ୍‌ କୋର୍ଟଙ୍କ ଗରିମା କ୍ଷୁଣ୍ଣ ହେବା ଉଦ୍ଦେଶ୍ୟରେ ସେ କୌଣସି ଟ୍ବିଟ୍‌ କରି ନଥିଲେ ଏବଂ କୋର୍ଟଙ୍କ ପ୍ରତି ତାଙ୍କ ମନରେ ସର୍ବଦା ସମ୍ମାନ ରହିଛି । ସେ ଯାହା ଟ୍ବିଟ୍‌ କରିଥିଲେ, ତାହା ତାଙ୍କର ବାକ୍‌ ସ୍ବାଧୀନତା ପରିସରଭୁକ୍ତ ବୋଲି କହିଥିଲେ।

ସମ୍ବନ୍ଧିତ ଖବର