ରାଜନୀତିରେ ଫସିଲା ସୁଶାନ୍ତ ମୃତ୍ୟୁ ତଦନ୍ତ

ଭୁବନେଶ୍ୱର, (ମହମ୍ମଦ ହିଫ୍‌ଜୁର ‌ରହେମାନ୍) : ମଣିଷମରା କରୋନା ଭାଇରସ୍‌ ଯୋଗୁଁ ସାରା ଦେଶ ଛଟପଟ ହେଉଛି। ମଣିଷ ବଞ୍ଚିବା ଲାଗି ସଂଗ୍ରାମ କରୁଛି। ଅର୍ଥନୀତି ବି ଭୁଶୁଡ଼ିଲାଣି। ଉଭୟ ଜୀବନ ଓ ଜୀବିକା ବିପଦରେ ରହିଥିବା ବେଳେ ଏହା ପ୍ରତି ଯେମିତି କାହାରି ଧ୍ୟାନ ନ ଥିବ‌ା ଜଣାପଡ଼ୁଛି। ଏବେ ଚାରିଆଡ଼େ ଗୋଟିଏ ଚର୍ଚା- ସୁଶାନ୍ତ ସିଂହ, ରିୟା ଚକ୍ରବର୍ତୀ ଏବଂ କଙ୍ଗନା ରଣାୱତ୍। ଉଦୀୟମାନ ଯୁବ ଅଭିନେତା ସୁଶାନ୍ତଙ୍କ ସନ୍ଦେହଜନକ ମୃତ୍ୟୁରୁ ହିଁ ଆରମ୍ଭ ହୋଇଛି ଏହି ନାଟକୀୟ ଅଧ୍ୟାୟ। ଚଳଚ୍ଚିତ୍ର କାହାଣୀଠାରୁ ମଧ୍ୟ ଏହି ଘଟଣା ଅଧିକ ରୋମାଞ୍ଚକର। ଏହି ଘଟଣାଟି ଅଧିକ ଚର୍ଚିତ ହୋଇପଡ଼ିଛି ଏଇଥିପାଇଁ କି ଏହି ବିବାଦକୁ ରାଜନେତାଙ୍କଠାରୁ ଆରମ୍ଭ କରି ପୂରା ଗଣମାଧ୍ୟମ ଓ ସିନେ ଜଗତ ମଧ୍ୟ ଡେଇଁ ପଡ଼ିଛି। ତେଣୁ ‌ସାରା ଦେଶର ଦୃଷ୍ଟି ଏହା ଉପରେ ନିବଦ୍ଧ ହୋଇ ରହିଛି।

କେଉଁ ପରିସ୍ଥିତିରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଲା? ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି? ହତ୍ୟା ହେଉ କି ଆତ୍ମହତ୍ୟା ଏଥିପାଇଁ ଦାୟୀ କିଏ? ଏହି ପ୍ରଶ୍ନର ଉତ୍ତର ଖୋଜିବାରେ ମହାରାଷ୍ଟ୍ର ପୁଲିସର ଭୂମିକା ସନ୍ଦେହଜନକ ରହିବାରୁ ଦାୟିତ୍ବଟି ସିବିଆଇକୁ ମିଳିଲା। ସୁଶାନ୍ତଙ୍କ ବାପା ଅଭିଯୋଗ କଲେ ଯେ ତାଙ୍କ ପୁଅର ମୃତ୍ୟୁ ପାଇଁ ବାନ୍ଧବୀ ରିୟା ଚକ୍ରବର୍ତୀ ଦାୟୀ। ତାଙ୍କର ଆଉ ଏକ ଅଭି‌ଯୋଗ ଥିଲା, ସୁଶାନ୍ତଙ୍କ ଆକାଉଣ୍ଟରୁ ରିୟା ୧୫ କୋଟି ଟଙ୍କ‌ା ନେଇଯାଇଛନ୍ତି। ଏହି ଅଭିଯୋଗକୁ ଆଧ‌ାର କରି ସିବିଆଇ ଓ ଇଡି ତଦନ୍ତ ଆରମ୍ଭ କରିଛନ୍ତି। କେତେକ ନିର୍ଦିଷ୍ଟ ଗଣମାଧ୍ୟମରେ ରିୟାଙ୍କୁ ଯେଭଳି ଚିତ୍ରଣ କରାଗଲା, ଲାଗିଲା ‌ଯେପରି ସେ ହିଁ ହତ୍ୟାକାରୀ। କିନ୍ତୁ ଏବେସୁଦ୍ଧା ସିବିଆଇ କିମ୍ବା ଇଡି ହାତରେ ସେଭଳି କିଛି ଠୋସ୍ ତଥ୍ୟ ଲାଗି ନଥିବା ବେଳେ ହଠାତ୍ ଡ୍ରଗ୍ସ କଥା ସାମନାକୁ ଆସିଲା। ରିୟା ନିଜେ ଡ୍ରଗ୍ସ ରଖୁଥିଲେ ଏବଂ ବନ୍ଧୁ ସୁଶାନ୍ତଙ୍କୁ ବି ‌ଯୋଗାଉଥିଲେ ‌ବୋଲି ନାର୍କୋଟିକ୍ ବ୍ୟୁରୋକୁ ପ୍ରମାଣ ମିଳିଲା। ଏଥିପାଇଁ ରିୟାଙ୍କୁ ଗିରଫ କରି ଜେଲ ପଠାଗଲା। ଏହାକୁ ନେଇ ପରିସ୍ଥିତି ସରଗରମ ରହିଥିବା ବେଳେ ଅନ୍ୟତମ ଅଭିନେତ୍ରୀ କଙ୍ଗନା ବି ଚର୍ଚାକୁ ଆସିଲେ। ସେ ବଲିଉଡ୍, ମହାରାଷ୍ଟ୍ର ପୁଲିସ ଏବଂ ଶିବସେନା ସରକାର ବିରୋଧରେ ବିଷୋଦଗାର କଲେ। କଙ୍ଗନାଙ୍କ ଜୀବନ ପ୍ରତି ବିପଦ ଦର୍ଶାଇ କେନ୍ଦ୍ର ସରକାର ତାଙ୍କୁ ୱାଇ ପ୍ଲସ୍ ନିରାପତ୍ତା ଯୋଗାଇଥିବ‌ା ବେଳେ ମହାରାଷ୍ଟ୍ର ସରକାର ତାଙ୍କର ଘର ଭାଙ୍ଗିଦେଲେ।

ଏହିସବୁ ଘଟଣାର ଅବତାରଣା କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି; ପ୍ରସଙ୍ଗ ଆରମ୍ଭ ହେଲା କେଉଁଠି ଏବଂ ପଥଭ୍ରଷ୍ଟ ହୋଇ କେଉଁଠି ପହଂଚିଲାଣି। ଏହାପଛରେ ମୁଖ୍ୟ ଖଳନାୟକ ସାଜିଛି ରାଜନୀତି। ବିଜେପି ଏବଂ ଶିବସେନା ମଧ୍ୟରେ ଚାଲିଥିବା ବିବାଦରେ ପ୍ରତ‌ିଶୋଧପରାୟଣ ହୋଇ ପଡ଼ିଛନ୍ତି ଉଭୟ ଦଳ। ପରସ୍ପର ଉପରେ ରାଗ ସୁଝାଇବାକୁ ଯାଇ ସେମାନେ ଏଭଳି ବିପଜ୍ଜନକ ଖେଳ ଆରମ୍ଭ କରିଛନ୍ତି। ଆଉ ଏଥିରେ ମୋହରା କରାଯାଇଛି ସୁଶାନ୍ତଙ୍କ ପରିବ‌ାର, ରିୟା ଏବଂ କଙ୍ଗନାଙ୍କୁ। ଆଗକୁ ନିର୍ବାଚନ ଆସୁଥିବାରୁ ବିହାରରେ ବିଜେପିର ସହଯୋଗୀ ନୀତୀଶ କୁମାରଙ୍କ ଜେଡିୟୁ ଏଥିରୁ ଭରପୂର ଫାଇଦା ଉଠାଇବାକୁ ଚେଷ୍ଟା ଚଳାଇଛି। ସୁଶାନ୍ତଙ୍କୁ ବିହାର ମାଟିର ପୁଅ କହି ଏହାକୁ ରାଜନୈତିକ ପ୍ରସଙ୍ଗ କରିଥିବାବେଳେ ହିମ‌ାଚଳ ପ୍ରଦେଶର ବିଜେପି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ କଙ୍ଗନାଙ୍କୁ ହିମାଚଳ ମାଟିର ଝିଅ କହୁଛନ୍ତି। ସେହିଭଳି କଂଗ୍ରେସ ରିୟାଙ୍କୁ ବଙ୍ଗାଳି ବ୍ରାହ୍ମଣ ଭାବେ ଉପସ୍ଥାପନ କରି ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିବାକୁ ଚାହୁଛି। ସେମାନେ ଏହି ତିନି ଜଣଙ୍କୁ ନିଜ ନିଜର ଫାଇଦା ପାଇଁ ରାଜନୀତିର ତାୱାରେ ରୁଟି ସେକିବା ଆରମ୍ଭ କରିଦେଇଛନ୍ତି। ମୋଦୀ ସରକାର ଯେପରି ତରବର ହୋଇ କଙ୍ଗନାଙ୍କୁ ‘ୱାଇ ପ୍ଲସ୍’ ସୁରକ୍ଷା ଯୋଗାଇଲେ ତାହା ଆଶ୍ଚର୍ଯ୍ୟଜନକ ନିଶ୍ଚୟ। ପୁଣି କଙ୍ଗନାଙ୍କ ଘରକୁ ଶିବସେନା ‌ସରକାର ଯେପରି ତରବର ହୋଇ ଭାଙ୍ଗିଲେ ତାହା ଆହୁରି ଉଦ୍‌ବେଗଜନକ। ବମ୍ବେ ହାଇକୋର୍ଟ ଏ ନେଇ ‌େଯଉଁ ଟିପ୍ପଣୀ ଦେଇଛନ୍ତି ତାହା ସବୁକଥା ବୟାନ କରୁଛି।

ତେବେ ଯେଉଁମାନଙ୍କୁ ମୋହରା କରାଯାଇଛି; ନିର୍ବାଚନ ପରେ ସେମାନଙ୍କର ଭବିଷ୍ୟତ କଣ ହେବ ତାହା ଏବେଠାରୁ ଅନୁମାନ କରିବା ଅସମ୍ଭବ ନୁହେଁ। କାରଣ ରାଜନୀତିରେ ସବୁକିଛି ସମ୍ଭବ। ଦିନେ ଗୋଟିଏ ପରିବାରର ସଦସ୍ୟ ଥିବା ବିଜେପି ଏବଂ ଶି‌ବସେନା ପୁଣି ଯେ କୋଳାକୋଳି ନ ହେବେ ତାହା କହିହେବ ନାହିଁ।

ସମ୍ବନ୍ଧିତ ଖବର