ଅନ୍‌ଲକ୍ ୪ରେ ମଧ୍ୟ ଦେଶର କେତେକ ସହରରେ ଜାରି କରାଯାଉଛି ସଦ୍ୟ କୋଭିଡ୍-୧୯ କଟକଣା

ନୂଆଦିଲ୍ଲୀ: ଦେଶରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ କେତେକ ରାଜ୍ୟ ଓ ସ୍ଥାନୀୟ ପ୍ରଶାସନ ପୁନଶ୍ଚ କଟକଣା ଲାଗୁ କରିଛନ୍ତି। ଏଥିରୁ କେତେକ ସ୍ଥାନରେ ନୂଆ କରି କଟକଣା ଜାରି ହୋଇଥିବା ବ‌େଳେ ଅନ୍ୟ କେତେକ ସ୍ଥାନରେ ପୂର୍ବ କଟକଣା ସମ୍ପ୍ରସାରଣ କରାଯାଉଛି।

ଛତିଶଗଡ଼ରେ ନୂତନ ସଂକ୍ରମଣ ହାର ହଠାତ୍ ବୃଦ୍ଧି ପାଇବାରୁ ରାୟପୁରରେ ସ୍ଥାନୀୟ ପ୍ରଶାସନ ସେପ୍ଟେମ୍ବର ୨୧ ରାତି ୯ଟାରୁ ସେପ୍ଟେମ୍ବର ୨୮ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ସଦ୍ୟ ଲକ୍‌ଡାଉନ୍ ଘୋଷଣା କରିଛି। ଜାରି କରାଯାଇଥିବା ଆଦେଶରେ ଉଲ୍ଲେଖ ଅଛି ଯେ, ଏ ପର୍ଯ୍ୟନ୍ତ ରାୟପୁର ଜିଲ୍ଲାରେ ୨୬, ୦୦୦ କୋଭିଡ୍‌ ୧୯ ମାମଲା ରିପୋର୍ଟ ହୋଇଛି ଏବଂ ଦୈନିକ ୯୦୦ରୁ ୧୦୦୦ ସଂକ୍ରମଣ ରେକର୍ଡ କରାଯାଉଛି। ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ଲାଗି ସମଗ୍ର ଜିଲ୍ଲାକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷଣା କରିବା ଅପରିହାର୍ଯ୍ୟ ହୋଇପଡ଼ିଲା। ଏହି ସମୟସୀମା ମଧ୍ୟରେ ଆନ୍ତଃରାଜ୍ୟ ସୀମା ବନ୍ଦ ରହିବ।

ବିଳାସପୁରରେ ସାତଟି ନଗରାଞ୍ଚଳରେ ମଧ୍ୟ ସେପ୍ଟେମ୍ବର ୨୨ ସକାଳୁ ୯ଟାରୁ ସେପ୍ଟେମ୍ବର ୨୮ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲକ୍‌ଡାଉନ ଜାରି ହୋଇଛି। ଦୁର୍ଗ ଓ ଭିଲାଇ ସମେତ ଛଅଟି ଅଞ୍ଚଳରେ ସେପ୍ଟେମ୍ବର ୨୦-୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଜାରି ରହିବ।

Image Courtesy of Times Now

ଜୟପୁର, ଯୋଧପୁର, କୋଟା, ଆଜମେର, ଅଲୱାର, ଭିଲୱାରା, ବିକାନେର, ଉଦୟପୁର, ଶିକର, ପାଲି ଓ ନଗୌର ଆଦି ୧୧ଟି ଜିଲ୍ଲାରେ ୧୪୪ ଧାରା ଜାରି କରିବା ଲାଗି ରାଜସ୍ଥାନ ସରକାର ସ୍ଥିର କରିଛନ୍ତି।

ପଜିଟିଭ୍ ରୋଗୀମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର କଣ୍ଟାକ୍ଟ୍‌ ଟ୍ରେସିଙ୍ଗ୍ ପ୍ରକ୍ରିୟା ସୁବିଧା ଓ ତ୍ବରାନ୍ବିତ କରିବାକୁ ଏବଂ ଲୋକମାନଙ୍କ ଠାରୁ ନମୁନା ସଂଗ୍ରହ କରିବାକୁ ମିଜୋରାମ ସରକାର ଆଇଜୱାଲ୍ ମହାନଗର ନିଗମ ଅଞ୍ଚଳରେ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ଆଂଶିକ ଲକ୍‌ଡାଉନ୍ ସମ୍ପ୍ରସାରଣ ଘୋଷଣା କରିଛନ୍ତି।

ସେପ୍ଟେମ୍ବର ମାସ ସାରା ପଞ୍ଜାର ସମସ୍ତ ପୌରାଞ୍ଚଳ ସହର ରବିବାରିଆ ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ଅଗଷ୍ଟ ମାସରେ ସେମାନେ ଉଭୟ ଶନିବାର ଓ ରବିବାର ଦିନ ଲକ୍‌ଡାଉନ୍ ଜାରି କରିଥିଲେ।

ନୂଆ କଟକଣା ଜାରି ନ ହୋଇଥିଲେ ବି ମୁମ୍ବାଇରେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଧାରା ୧୪୪ ବଢ଼ାଇ ଦିଆଯାଇଛି। ନଇଡ଼ାରେ ମଧ୍ୟ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଧାରା ୧୪୪ ପରିବର୍ଦ୍ଧିତ ହୋଇଛି, କିନ୍ତୁ କୌଣସି ସଦ୍ୟ କଟକଣା ଲାଗୁ ହୋଇନାହିଁ।

ସମ୍ବନ୍ଧିତ ଖବର