ପରୀକ୍ଷା ବଢ଼ିଲା, ସଂକ୍ରମଣ ବଢ଼ିଲା: ଦିନକରେ ୧୨୨୦ ପଜିଟିଭ୍, ୧୫ ମୃତ

ଭୁବନେଶ୍ବର: ରାଜ୍ୟରେ ପ୍ରକୃତରେ କରୋନା ସଂକ୍ରମଣ କମିଛି ନା କମ୍ କୋଭିଡ୍‌ ନମୁନା ପରୀକ୍ଷା ଯୋଗୁଁ କମ୍ ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି? ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷଣରେ ଏକପ୍ରକାର ସ୍ଥିରତା ଦେଖିବାକୁ ମିଳୁ ନ ଥିବା ବେଳେ ଏଭଳି ସନ୍ଦେହକୁ ଆଗକୁ ଆସିଛି। ଜାତୀୟସ୍ତରରେ ଦୈନିକ ୧୦ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହେଉଥିବା ବେଳେ ଓଡ଼ିଶାରେ କାଁ ଭାଁ ଏହି ସଂଖ୍ୟା ୫୦ହଜାର ଛୁଉଁଛି। ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୈନିକ କୋଭିଡ୍‌ କେଉଁ ବ୍ୟବସ୍ଥାରେ କେତେ ସଂଖ୍ୟକ ପରୀକ୍ଷା ହେଉଥିଲା ସେ ସଂପର୍କରେ ସୂଚନା ଦିଆଯାଉଥିଲା। ମାତ୍ର ଏହାକୁ ଏବେ ବନ୍ଦ କରି ଦିଆଯାଇଛି। ତେଣୁ ବିଶ୍ବବ୍ୟାପୀ ସବୁଠାରୁ ବିଶ୍ବସନୀୟ ପରୀକ୍ଷା ଭାବେ ବିବେଚିତ ହେଉଥିବା ଆର୍‌ଟି-ପିସିଆର ଦୈନିକ କେତେ ସଂଖ୍ୟକ କରାଯାଉଛି ତାହା ଜାଣିବା ମୁସ୍କିଲ୍। କାରଣ ରାଜ୍ୟରେ ସଂକ୍ରମଣ ଶୀର୍ଷରେ ଥିବା ବେଳେ ମଧ୍ୟ ଆର୍‌ଟି-ପିସିଆର ପରୀକ୍ଷା ଦୈନିକ ୫/୬ହଜାରରୁ ଅଧିକ ହେଉ ନ ଥିଲା। ରାଜ୍ୟ ସରକାର ଅଧିକରୁ ଅଧିକ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ ଉପରେ ନିର୍ଭର କରୁଥିବା ନଜରକୁ ଆସୁଛି।

ଗତ ଦୁଇଦିନର ଉଦାହରଣରୁ ରାଜ୍ୟର ସଂକ୍ରମଣ ସ୍ଥିତି ସଂପର୍କରେ ଏକପ୍ରକାର ସୂଚନା ମିଳିପାରିବ। ଚଳିତମାସରେ ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ପ୍ରାୟତଃ ୧ହଜାର ଉପରେ ରହିଥିଲା। ଗତ ୯ତାରିଖରେ ରାଜ୍ୟରେ ଏହି ସଂଖ୍ୟା ହଜାରେ ତଳକୁ ଖସିଥିଲା। ଜୁଲାଇ ୨୦ତାରିଖ ପରେ ସଂକ୍ରମଣ ହଜାରେ ତଳକୁ ଖସିବା ନେଇ ରାଜ୍ୟବାସୀ ଆଶ୍ବସ୍ତ ହୋଇଥିଲେ। ହେଲେ ସେହିଦିନ ରାଜ୍ୟରେ ୪୩,୪୦୯ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିଲା। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୯,୧୬୦ ନମୁନା ଅର୍ଥାତ୍ ୫୭୫୧ ନମୁନା ଅଧିକ ପରୀକ୍ଷା ହୋଇଥିବା ବେଳେ ଏଥିରେ ୧୨୨୦ ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକି ଗତ ୯ତାରିଖର ସଂକ୍ରମଣ ତୁଳନାରେ ୨୩୩ ଅଧିକ। ଗତ ୨୪ଘଣ୍ଟାରେ ହୋଇଥିବା ନମୁନା ପରୀକ୍ଷାରେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର ୨.୪୮ ପ୍ରତିଶତ ରହିଛି। ମାତ୍ର ଗତ ୯ତାରିଖ ତୁଳନାରେ ଗତକାଲି ହୋଇଥିବା ଅଧିକ ୫୭୫୧ ନମୁନାରେ ଯେତିକି ସଂଖ୍ୟକ ରୋଗୀ(୨୩୩) ଚିହ୍ନଟ ହୋଇଛନ୍ତି ତାହାର ଟିପିଆର ୪ ପ୍ରତିଶତରୁ ଅଧିକ ରହିଛି। ତେଣୁ ଅଧିକ ନମୁନା ପରୀକ୍ଷା ହେଲେ ଅଧିକ ସଂଖ୍ୟାରେ ରୋଗୀ ଚିହ୍ନଟ ହେବା ସ୍ବାଭାବିକ ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ନମୁନା ପରୀକ୍ଷା କମିବା ସତ୍ତ୍ବେ ମଧ୍ୟ ରାଜ୍ୟର ସାମଗ୍ରିକ ଟିପିଆର ଏବେ ବି ୬ ପ୍ରତିଶତ ଉପରେ ରହିଛି। ଗତ ସେପ୍ଟେମ୍ବର ମାସରେ ଏହା ପ୍ରାୟ ୭ ପ୍ରତିଶତ ନିକଟତର ହୋଇଥିଲା।

ନୂତନ ୧୨୨୦ ରୋଗୀଙ୍କ ମଧ୍ୟରେ ୭୦୩ ସଙ୍ଗରୋଧରୁ ଓ ୫୧୭ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୧୩୪ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୧୧୯ ରୋଗୀ ରହିଛନ୍ତି। ଏହାବାଦ୍ ଅନୁଗୁଳ ୫୮, ବାଲେଶ୍ବର ୨୧, ବରଗଡ଼ ୬୦, ଭଦ୍ରକ ୨୮, ବଲାଙ୍ଗୀର ୩୩, ବୌଦ୍ଧ ୫, କଟକ ୯୬, ଦେବଗଡ଼ ୩, ଢେଙ୍କାନାଳ ୨୬, ଗଜପତି ୫, ଗଞ୍ଜାମ ୨୭, ଜଗତସିଂହପୁର ୫୯, ଯାଜପୁର ୨୬, ଝାରସୁଗୁଡ଼ା ୩୨, କଳାହାଣ୍ଡି ୫୯, କନ୍ଧମାଳ ୮, କେନ୍ଦ୍ରାପଡ଼ା ଓ କେନ୍ଦୁଝରରେ ୪୮ ଲେଖାଏଁ, କୋରାପୁଟ ୨୧, ମାଲକାନଗିରି ୧୯, ମୟୂରଭଞ୍ଜ ୪୬, ନବରଙ୍ଗପୁର ୧୪, ନୟାଗଡ଼ ୨୦, ନୂଆପଡ଼ା ୬୬, ପୁରୀ ୬୦, ରାୟଗଡ଼ା ୫, ସମ୍ବଲପୁର ୪୦, ସୋନପୁର ୧୩ ଓ ଷ୍ଟେଟ୍‌ ପୁଲରୁ ୨୧ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୫ହଜାରକୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୧୫ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ବାଲେଶ୍ବରରୁ ସର୍ବାଧିକ ୪ଜଣ ରହିଛନ୍ତି। କଟକ ୩, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୨ ଲେଖାଏଁ, ଖୋର୍ଧା, ମୟୂରଭଞ୍ଜ, ଅନୁଗୁଳ ଓ ସମ୍ବଲପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୪୬୯କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ଆଉ ୧୩୪୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୯୨ହଜାର ୪୭୭କୁ ବୃଦ୍ଧି ପାଇଛି। ଫଳରେ ଚିକିତ୍ସାଧୀନ ‌ରୋଗୀଙ୍କ ସଂଖ୍ୟା ୧୧ହଜାର ୧କୁ ଖସି ଆସିଛି। ଖୋର୍ଧାରୁ ସର୍ବାଧିକ ୧୫୯ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୧୪୨କୁ ଖସି ଆସିଛି।

ସମ୍ବନ୍ଧିତ ଖବର