ଟମାଟୋ ବୋଝେଇ ଭ୍ୟାନ ଓଲଟିଲା; ଅଳ୍ପକେ ବର୍ତ୍ତିଲେ ଚାଳକ ଓ ହେଲ୍ପର

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଥୁବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାତସେମିଳି ଗ୍ରାମ ନିକଟରେ ଏକ ଟମାଟୋ ବୋଝେଇ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିବା ବେଳେ ଡ୍ରାଇଭର ଓ ହେଲ୍ପର ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ; ଆଜି ସକାଳୁ ଆନ୍ଧ୍ରପ୍ରଦେଶ ଅନକାପେଲି ଗ୍ରାମରୁ ଏକ ଟମାଟୋ ବୋଝେଇ ଅଶୋକ ଲାଇଲାଣ୍ଡ ଭ୍ୟାନ ଯାହାର ରେଜିଷ୍ଟ୍ରସନ ନମ୍ବର ଏପି୩୧ଟିଏନ ୩୮୮୮ ସେମିଳିଗୁଡା ଅଭିମୁଖେ ଆସୁଥିଲା। ଟମାଟୋ ବୋଝେଇ ଭ୍ୟାନଟି ପାଡୁଆ ଥାନା ଅଞ୍ଚଳ ଅତିକ୍ରମ କରିବା ପରେ ପରେ ନନ୍ଦପୁର ଥାନା ଥୁବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାତସେମିଳି ଗ୍ରାମ ଦେଇ ଯାଇ ଥିବା ରାସ୍ତା ଅତିକ୍ରମ କରି ଯାଉଥିଲା। ଏହି ସମୟରେ ଗ୍ରାମର ଚୈତନ ଖିଲ ଏବଂ ମିନ ପାଙ୍ଗିଙ୍କ ବାସଗୃହ ମଝିରେ ଥିବା ଖାଲି ସ୍ଥାନରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା।

ଏହି ଧକ୍କା ପରେ ଟମାଟୋ ବୋଝେଇ ଭ୍ୟାନଟି ସମ୍ପୂର୍ଣ ଭାବେ ଓଲଟି ପଡି ଥିଲା। ଭ୍ୟାନର ଚାରୋଟି ଯାକ ଚକ ଉପରକୁ ହୋଇ ଯାଇଥିବା ବେଳେ ସମସ୍ତ ଟମାଟୋ ଚାପି ହୋଇ ରହି ଯାଇ ଥିଲା। କିନ୍ତୁ ଭ୍ୟାନରେ ଥିବା ଡ୍ରାଇଭର ଓ ହେଲ୍ପର ସମ୍ପୂର୍ଣ ସୁରକ୍ଷିତ ଥିବା ଜଣା ପଡ଼ିଛି। ଭ୍ୟାନଟି ବିଦ୍ୟୁତ ଖୁଣ୍ଟ ଟିକୁ ଧକ୍କା ଦେବା ପରେ ବିଦ୍ୟୁତ ଖୁଣ୍ଟଟି ଭାଙ୍ଗି ଯିବା ସହ ବିଦ୍ୟୁତ ସେବା ବ୍ୟାହତ ହୋଇ ଯାଇଛି।

ସମ୍ପୂର୍ଣ ସାତସେମିଳି ଗ୍ରାମ ବର୍ତ୍ତମାନ ସୁଦ୍ଧା ଅନ୍ଧାରରେ ଥିବା ଜଣାଯାଇଛି। ଆସନ୍ତା କାଲି ସକାଳେ ନୂତନ ବିଦ୍ୟୁତ ଖୁଣ୍ଟ ପୋତାଯିବା ପରେ ବିଦ୍ୟୁତ ସେବା ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି।ଘଟଣା ସମ୍ପର୍କରେ ଖବର ପାଇ ନନ୍ଦପୁର ପୁଲିସ ଥାନାର ଏ ଏସ ଆଇ ଦୀପକ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର