‘ବିଜୁ ଗାଁ ରେଡିଓ’କୁ ଭୁଲିଗଲେ; ଖାରଜ ହେବ ୧୮ଟି କୃଷି ବିଜ୍ଞାନ କେନ୍ଦ୍ରର ଦରଖାସ୍ତ

ଅନୁଗୁଳ(ବିକାଶ ଚନ୍ଦ୍ର ସାହୁ): ପ୍ରାୟ ଚାରି ବର୍ଷ ତଳେ ଓଡ଼ିଶାରେ ‘ବିଜୁ ଗାଁ ରେଡିଓସ୍ଥାପନ ପାଇଁ ହୋଇଥିଲା ଘୋଷଣା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମନ୍ କି ବାତ୍’ ଷ୍ଟାଇଲରେ ମୁଖ୍ୟମନ୍ତ୍ରୀ ବି ରେଡିଓରେ ମନର କଥା କହିବାକୁ କରିଥିଲେ ଯୋଜନା। ପ୍ରତିମାସରେ ଅନ୍ୟୁନ ୧୦ମିନିଟ୍ ଲୋକଙ୍କ ଉଦ୍ଦେଶ୍ୟରେ ରେଡିଓ କାର୍ଯ୍ୟକ୍ରମ ହେବ। ବିଶେଷ କରି କୃଷକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କର ସ୍ବତନ୍ତ୍ର ବାର୍ତ୍ତା ରହିବ। ସରକାରଙ୍କର ଏହି ଯୋଜନାକୁ ସାକାର କରିବା ପାଇଁ ପ୍ରତି ଜିଲ୍ଲାରେ ଥିବା କୃଷି ବିଜ୍ଞାନ କେନ୍ଦ୍ରକୁ ମାଧ୍ୟମ କରା ଯାଇଥିଲା। ଏହି କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ଜରିଆରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିକଟରେ କମ୍ୟୁନିଟି ରେଡିଓ ପାଇଁ ଆବେଦନ କରାଗଲା। କିନ୍ତୁ ତା’ ପରଠାରୁ ରେଡିଓ ସ୍ଥାପନ ଯୋଜନା ସତେ ଯେମିତି ପାସୋରା ଯାଇଛି। ଆବେଦନକୁ ଇତିମଧ୍ୟରେ ପ୍ରାୟ ତିନି ବର୍ଷ ବିତି ଯାଇଥିଲେ ହେଁ ‘ବିଜୁ ଗାଁ ରେଡିଓ’ ସ୍ଥାପନ ପାଇଁ ସରକାର ଆବଶ୍ୟକ ଦେୟ ପୈଠ କରି ନାହାନ୍ତି।

ଯାହାର ଫଳ ସ୍ବରୂପ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡ଼ିଶାର ୧୮ଟି କୃଷି ବିଜ୍ଞାନ କେନ୍ଦ୍ରକୁ ନୋଟିସ୍ ଜାରି କରିଛି। ଆବେଦନକାରୀ କୃଷି ବିଜ୍ଞାନ କେନ୍ଦ୍ରର ରେଡିଓ ସେଣ୍ଟରର ଆଶୟ ପତ୍ର(ଏଲଓଆଇ) କୁ କାହିଁକି ନାକଚ କରାନଯିବ? ମାସକ ମଧ୍ୟରେ ତା’ର କାରଣ ଦର୍ଶାଇବାକୁ ମନ୍ତ୍ରଣାଳୟର କମ୍ୟୁନିଟି ରେଡିଓ ସେଲ୍ ନୋଟିସରେ ପ୍ରଶ୍ନ କରିଛି। ମାସକ ମଧ୍ୟରେ ଏହାର କୌଣସି ଜବାବ୍ ନ ମିଳିଲେ ଇସ୍ୟୁ କରାଯାଇଥିବା ଆଶୟ ପତ୍ର(ଏଲଓଆଇ)କୁ ବାତିଲ କରାଯିବ ବୋଲି ମନ୍ତ୍ରଣାଳୟ ଚେତାବନୀ ଦେଇଛି।

ନୋଟିସ୍ ହୋଇଥିବା ଏହି ୧୮ଟି କୃଷି ବିଜ୍ଞାନ କେନ୍ଦ୍ର ମଧ୍ୟରେ ରହିଛି ଅନୁଗୁଳ, ବୌଦ୍ଧ, ଦେଓଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନାଗିରି, ମୟୂରଭଞ୍ଜ ଜିଲ୍ଲାର ଦୁଇଟି, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼ ଜିଲ୍ଲାର ଦୁଇଟି ଏବଂ ପୁରୀ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର। ସରକାରଙ୍କ ଘୋଷଣା ମୁତାବକ, କୃଷି ବିଜ୍ଞାନ କେନ୍ଦ୍ରରେ ସ୍ଥାପିତ ହେବାକୁ ଥିବା ଏହି କମ୍ୟୁନିଟି ରେଡିଓ ସେଣ୍ଟର(ବିଜୁ ଗାଁ ରେଡିଓ) ପ୍ରତିଦିନ ଘଣ୍ଟାଏର କାର୍ଯ୍ୟକ୍ରମ ପ୍ରସାରଣ କରିବାର ଥିଲା। ଯାହା ମୁଖ୍ୟତଃ କୃଷି ସମ୍ପର୍କିତ ହେବ ବୋଲି କୁହାଯାଉଥିଲା। କୃଷକ ବାଦ୍ ଗ୍ରାମୀଣ କ୍ଷେତ୍ରର ସ୍ବୟଂ ସହାୟିକା ଗୋଷ୍ଠୀ, ଯୁବ ଗୋଷ୍ଠୀ, ମହିଳାମାନଙ୍କ ସହ ଏହା ଜରିଆରେ ସରକାର ଯୋଡ଼ି ହେବାକୁ ଯୋଜନା କରିଥିଲେ। ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଟାରୁ ଘଣ୍ଟାଏ କାଳ ଏହି କାର୍ଯ୍ୟକ୍ରମ ଚାଲୁ ରହିବ। ରାତି ୮ଟାରେ ପୁନଃ ପ୍ରସାରଣ କରିବାକୁ ନିଷ୍ପତ୍ତି ହୋଇଥିଲା।

ଏହି ରେଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କର ପ୍ରତିମାସରେ ୧୦ମିନିଟର କାର୍ଯ୍ୟକ୍ରମ ରହିଥିଲା। ‘ମନ୍ କି ବାତ୍’ ଷ୍ଟାଇଲରେ ଏହି କାର୍ଯ୍ୟକ୍ରମର ନାମ ‘ତୁମ ପାଇଁ…’ ରଖାଯିବ ବୋଲି ସରକାରୀସ୍ତରରେ ନିଷ୍ପତ୍ତି ହୋଇଥିଲା। ଓୟୁଏଟି ବିଶ୍ବବିଦ୍ୟାଳୟ ତତ୍ତ୍ବାବଧାନରେ ଓଡ଼ିଶାର ୩୨ଟି କୃଷି ବିଜ୍ଞାନ କେନ୍ଦ୍ର ନାମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିକଟରେ ରେଡିଓ ସ୍ଥାପନ ପାଇଁ ଆବେଦନ କରାଗଲା। ତତ୍ ମୁତାବକ, କେନ୍ଦ୍ର ସରକାର ବିଜ୍ଞାନ କେନ୍ଦ୍ରକୁ ଆଶୟ ପତ୍ର(ଏଲଓଆଇ) ଦେଲେ। ମାସକ ମଧ୍ୟରେ ଅନ୍ୟାନ୍ୟ କାଗଜପତ୍ର ଏବଂ ରେଡିଓ ସ୍ଥାପନ ପାଇଁ ଆବଶ୍ୟକ ଦେୟ ଦେବାକୁ ମନ୍ତ୍ରଣାଳୟ ଅନୁରୋଧ କରିଥିଲା। କିନ୍ତୁ, ବର୍ଷକ ପରେ ବର୍ଷ ଗଡ଼ିଯାଇଥିଲେ ହେଁ ଟଙ୍କା ପୈଠ କରାଯାଉ ନାହିଁ କି କାଗଜପତ୍ର ଦାଖଲ କରାଯାଉ ନାହିଁ। ଯେଉଁଥିପାଇଁ ମନ୍ତ୍ରଣାଳୟ ୧୮ଟି କୃଷି ବିଜ୍ଞାନ କେନ୍ଦ୍ରକୁ ନୋଟିସ୍ ଜାରି କରିଛି। ମାସକ ମଧ୍ୟରେ ଉତ୍ତର ନ ରଖିଲେ ଆଶୟ ପତ୍ର ନାକଚ କରିବାକୁ ଚେତାବନୀ ଦେଇଛି।

କେନ୍ଦ୍ରରୁ ଆସିଥିବା ଏ ପ୍ରକାର ଚେତାବନୀ ରାଜ୍ୟ ସରକାରଙ୍କର ଅବହେଳାକୁ କେବଳ ସୂଚାଉ ନାହିଁ, ବରଂ ମୋଦୀଙ୍କ ଷ୍ଟାଇଲରେ ଓଡ଼ିଶା ଲୋକଙ୍କ ମନ ଜିଣିବା ପାଇଁ ରାଜ୍ୟ ସରକାର ଯେଉଁ ‘ବିଜୁ ଗାଁ ରେଡିଓ’ ଘୋଷଣା କରିଥିଲେ ତାହା ଫେଲ୍ ମାରିବାକୁ ଯାଉଛି।

ସମ୍ବନ୍ଧିତ ଖବର